ଯାଜପୁର,୨୮ା୭(ହର୍ଷବର୍ଦ୍ଧନ ବେହେରା): ଶିକ୍ଷାକ୍ଷେତ୍ରରେ ବିକାଶଶୀଳ ଜିଲା ଭାବେ ପରିଚିତ ଯାଜପୁରରେ ଅଧାରୁ ପାଠ ଛାଡିବା(ଡ୍ରପ୍ ଆଉଟ) ଏବଂ ଆଦୌ ସ୍କୁଲ ବାରଣ୍ଡା ମାଡି ନ ଥିବା ପିଲାଙ୍କ ସଂଖ୍ୟା ହ୍ରାସ ପାଇ ପାରୁନାହିଁ। ଜିଲାରେ ୨୦୧୮-୧୯ ଶିକ୍ଷା ବର୍ଷରେ ଅନୁସୂଚିତ ଜାତି(ଏସ୍ସି) ଏବଂ ଜନଜାତି(ଏସ୍ଟି) ଶ୍ରେଣୀର ସମୁଦାୟ ୩୨୬୨ ଜଣ ଛାତ୍ରୀଛାତ୍ର ଅଧାରୁ ପାଠ ଛାଡିଥିବା ରିପୋର୍ଟ ଏକ ବିଧାନସଭା ପ୍ରଶ୍ନର ଉତ୍ତରରେ ଜଣାପଡିଥିଲା। ତେବେ ଏହାର ୫ ବର୍ଷ ପରେ ବି ଡ୍ରପ୍ ଆଉଟ ଛାତ୍ରୀଛାତ୍ର ଚିହ୍ନଟ ହେବା ଦୁର୍ଭାଗ୍ୟଜନକ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଏହି ମର୍ମରେ ଧରିତ୍ରୀରେ ଗତ ୧୧ ତାରିଖରେ ଡ୍ରପ୍ ଆଉଟ ପିଲାଙ୍କ ଥଇଥାନ ଚିନ୍ତା ଶୀର୍ଷକ ଏକ ଖବର ପ୍ରକାଶ ପାଇବା ପରେ ଯାଜପୁର ସମଗ୍ର ଶିକ୍ଷା ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଏହି କ୍ରମରେ ସମସ୍ତ ବ୍ଲକ ଶିକ୍ଷାଧିକାରୀ(ବିଇଓ)ଙ୍କୁ ଦେଇଥିବା ପତ୍ରରେ ଜିଲା ଶିକ୍ଷାଧିକାରୀ ଦର୍ଶାଇଛନ୍ତି, ବାରମ୍ବାର ଏକାଧିକ ପତ୍ର ଓ ନିୟମିତ ଭାବେ ନିର୍ଦ୍ଦେଶ ଦିଆଯାଉଥିଲେ ବି ଡ୍ରପ୍ ଆଉଟ ପିଲାଙ୍କ ଚିହ୍ନଟ ହୋଇ ପାରୁନାହିଁ। ଏହାସହ ୧୦୦ ପ୍ରତିଶତ ଡ୍ରପ୍ ଆଉଟ ପିଲାଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ଲକ୍ଷ୍ୟ ହାସଲ ହୋଇ ପାରିନାହିଁ। ଯାହା ଫଳରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଉତ୍ତର ଦେବାରେ ସମସ୍ୟା ହେଉଛି। ତେଣୁ ଡ୍ରପ୍ ଆଉଟ ପିଲାଙ୍କୁ ଚିହ୍ନଟ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଜିଲା ଶିକ୍ଷାଧିକାରୀ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷେ ଅଙ୍ଗନଓ୍ବାଡି କେନ୍ଦ୍ରକୁ ନ ଯାଇ ୬ ବର୍ଷରୁ କମ୍ ପିଲାମାନେ ରେଳଲାଇନ କଡରେ ସମୟ ଅତିବାହିତ କରୁଥିବା ଦୃଶ୍ୟ ତଥାଭିଜ୍ଞ ମହଲରେ ଆଲୋଡନା ସୃଷ୍ଟି କରିଛି।
ଜିଲାର ଶିଳ୍ପ ସମୃଦ୍ଧ କଳିଙ୍ଗନଗର ତଥା ଦାନଗଦି ବ୍ଲକ ଅଞ୍ଚଳରେ ସାମାଜିକ କର୍ମୀ ମଣ୍ଟୁ ଦାସ ଓ ତାଙ୍କ ସାଥି ବେସରକାରୀ ଭାବେ ୬୫୪ ଜଣ ଛାତ୍ରୀଛାତ୍ର ଡ୍ରପ୍ ଆଉଟ ହୋଇଥିବା ଚିହ୍ନଟ କରିଥିଲେ। ଉକ୍ତ ତଥ୍ୟକୁ ଆଧାର କରି ସେ ହାଇକୋର୍ଟରେ ୧୭୨୯/୨୦୨୩ ନମ୍ବରରେ ଏକ ଜନସ୍ବାର୍ଥ ମାମଲା ଦାୟର କରିଥିଲେ। ଏହି ମାମଲା ଉପରେ ହାଇକୋର୍ଟଙ୍କ ପକ୍ଷରୁ ଗତ ୨୪ା୧ା୨୦୨୩ରେ ଶୁଣାଣୀ କରି ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କୁ ଉକ୍ତ ଅଭିଯୋଗ ଉପରେ ତଦନ୍ତ କରିବା ସହ ଉପଯୁକ୍ତ ଭାବେ ଥଇଥାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଉକ୍ତ ନିର୍ଦ୍ଦେଶର ୬ ମାସ ଅତିକ୍ରାନ୍ତ ହୋଇ ସାରିଥିଲେ ହେଁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିବାରୁ ଡ୍ରପ୍ ଆଉଟ ପିଲାମାନେ ବାଧ୍ୟ ହୋଇ ବାହାରକୁ ଦାଦନ ଖଟି ଯାଉଥିବା ଅଭିଯୋଗ ହେଉଛିି। ଶିଳ୍ପ ବହୁଳ ଜିଲାରେ ମଧ୍ୟ ଏଭଳି ପରିସ୍ଥିତି ସଂଗୀନ ରହିଛି । ପିଲାମାନଙ୍କୁ ସ୍କୁଲକୁ ଆକୃଷ୍ଟ କରିବାକୁ ରାଜ୍ୟ ସରକାର ବହୁବିଧ ଯୋଜନା ପ୍ରଣୟନ କରିଛନ୍ତି। ଏହାସହ ୬ ବର୍ଷରୁ କମ ପିଲାମାନଙ୍କ ପାଇଁ ଅଙ୍ଗନଓ୍ବାଡି କେନ୍ଦ୍ର ଖୋଲା ଯାଇଛି। ଏହି ଅଙ୍ଗନଓ୍ବାଡି କେନ୍ଦ୍ରଗୁଡିକରେ ମଧ୍ୟ ସରକାର ଅନେକ ସୁବିଧା ଯୋଗାଇ ଦେଉଛନ୍ତି। ହେଲେ ବିଭାଗୀୟ ଅଧିକାରୀଙ୍କ ଆନ୍ତରିକତାର ଅଭାବ ଯୋଗୁ ଏହି ଯୋଜନା ଠିକ୍ ଭାବେ କାର୍ଯ୍ୟକାରୀ ହୋଇ ପାରୁ ନ ଥିବାରୁ ସ୍କୁଲ ସମୟରେ ପିଲାମାନେ ବିପଦସଙ୍କୁଳ ସ୍ଥାନରେ ଖେଳୁଥିବା ଦେଖିବାକୁ ମିଳିଛି। ଅଭାବ ଅନାଟନ ଯୋଗୁ ଅତି ବେଶୀରେ ୪ର୍ଥ, ୫ମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଯାଇ ସେମାନେ ଅଧାରୁ ପାଠ ଛାଡୁଛନ୍ତି ା ବୟସ ଅନୁସାରେ ସେମାନଙ୍କ ନାମ ବିଭିନ୍ନ ଶ୍ରେଣୀରେ ଲେଖା ଯାଉଛି ସତ ହେଲେ ସେହି ବାଳିକାବାଳକମାନେ ଘର କାମ କିମ୍ବା ଶିଶୁ ଶ୍ରମିକ ଭାବେ ନିୟୋଜିତ ରହୁଛନ୍ତି ା ପିଲାମାନଙ୍କୁ ସ୍କୁଲକୁ ଆକୃଷ୍ଟ କରିବାକୁ ସରକାରଙ୍କ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ମଧ୍ୟ କାମରେ ଲାଗୁନି ା ବରିଷ୍ଠ ଆଇନଜୀବୀ ଚନ୍ଦ୍ରଶେଖର ପଣ୍ଡା କୁହନ୍ତି, ବିପଦ ସଙ୍କୁଳ ଏବଂ ଦୟନୀୟ ଅବସ୍ଥାରେ ଛୋଟ ପିଲାମାନେ ରେଳଲାଇନ କଡରେ ସମୟ ଅତିବାହିତ କରୁଛନ୍ତି, ଯାହାକି ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା କେତେ ଦୂର ସଫଳ ହେଉଛି ତାହା ଏପରି ସ୍ଥିତିରେ ଜଳଜଳ ହୋଇ ଦିଶୁଛି। ଅତିରିକ୍ତ ଜିଲା ଶିକ୍ଷାଧିକାରୀ(ସ୍କିମ୍) ଶଶୀଧର ସିଂହଙ୍କୁ ପଚାରିବାରୁ ସେ କହିଛନ୍ତି, ସମସ୍ତ ବିଇଓ ଏବଂ ପ୍ରଧାନ ଶିକ୍ଷକମାନଙ୍କୁ ଡ୍ରପ୍ ଆଉଟ ପିଲାଙ୍କୁ ଚିହ୍ନଟ କରିବାକୁ ନିର୍ଦ୍ଦେଶ ହୋଇଛି। ଏହାସହ ଶତ ପ୍ରତିଶତ ଡ୍ରପ୍ ଆଉଟ ସଂଖ୍ୟା ହ୍ରାସ କରିବାକୁ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉଛି।