ଆଶାୟୀଙ୍କ ସଂଖ୍ୟା ବଢ଼ୁଛ

ବାରିପଦା ଅଫିସ,୨।୩

ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ଶେଷ ହେବା ପରେ ମୟୂରଭଞ୍ଜ ଜିଲା ପରିଷଦ ଗଠନକୁ ନେଇ ଚର୍ଚ୍ଚା ଜୋର ଧାରିଲାଣି। ଏହି ଜିଲାରେ ବିଜେଡି ଏକ ତରଫା ବିଜୟ ହାସଲ କରିଛି। ମୋଟ ୫୬ ଆସନ ମଧ୍ୟରୁ ୫୩ଟି ହାତେଇ ପରିଷଦ ଗଠନ କରିବାକୁ ଯାଉଛି। ତେବେ ପରିଷଦର ସଭାପତି ପଦରେ କାହାକୁ ବସାଯିବ ସେଥିନେଇ ଦଳ ପକ୍ଷରୁ ମାନସମନ୍ଥନ ଚାଲିଛି। ଏଥିନେଇ ନିର୍ବାଚିତ ପ୍ରତିନିଧି ଓ କର୍ମକର୍ତ୍ତାଙ୍କ ମଧ୍ୟରେ କଳ୍ପନାଜଳ୍ପନା ଲାଗିରହିଥିବା ବେଳେ ଦଳରେ ଆଶାୟୀଙ୍କ ସଂଖ୍ୟା ବୃଦ୍ଧି ପାଇଛି।
ମୟୂରଭଞ୍ଜ ଜିଲା ପରିଷଦ ସଭାପତି ଆସନ ଅନୁସୂଚୀତ ଜନଜାତିଙ୍କ ପାଇଁ ସଂରକ୍ଷିତ ରହିଛି। ଆସନ୍ତା ୧୩ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ। ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ହାସଲ ଦଳକୁ ବେଶ ଉତ୍ସାହିତ କରିଛି। ଜିଲାର ପୂର୍ବ ଓ ପଶ୍ଚିମ ସାଙ୍ଗଠନିକ ଶିବିରରେ ଦଳ ପକ୍ଷରୁ ଅଙ୍କକଷା ଆରମ୍ଭ ହୋଇଛି। ତେବେ ଜିଲା ପରିଷଦ ସଭାପତି କିଏ ହେବ ସେ ନେଇ ଦଳର ନିର୍ବାଚିତ ପ୍ରତିନିଧି ଓ କର୍ମକର୍ତ୍ତାଙ୍କ ମଧ୍ୟରେ କଳ୍ପନାଜଳ୍ପନା ଲାଗିରହିଛି। ହାଇକମାଣ୍ଡଙ୍କ ନିର୍ଦ୍ଦେଶ କ୍ରମେ ଦଳ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇ ସଭାପତି ବଛାଯିବ। ଅନ୍ୟ ଦଳର ସଂଖ୍ୟା ଗରିଷ୍ଠତା ନ ଥିବାରୁ ସଭାପତି ନିର୍ବାଚନରେ ପ୍ରତିଦ୍ୱନ୍ଦିତା ନ ହୋଇ ସର୍ବସମ୍ମତି କ୍ରମେ ଜଣଙ୍କୁ ଚୟନ କରାଯିବ ବୋଲି ଆଲୋଚନା ଚାଲିଛି। ଏଥର ଜିଲାର ୩୨ଜଣ ଏସ୍‌ଟି ପ୍ରାର୍ଥୀ ନିର୍ବାଚିତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କାହାକୁ ସଭାପତି ଚୟନ କରାଯିବ ସେଥି ନେଇ ଗୋଟିଚାଳଣା ଚାଲିଛି। ସେହିପରି ଦଳର ଅନେକ ପ୍ରାର୍ଥୀ ହ୍ୟାଟ୍ରିକ ବିଜୟ ହାସଲ କରିଥିବା ବେଳେ ବହୁ ପ୍ରାର୍ଥୀ ବିପୁଳ ସଂଖ୍ୟାରେ ବିଜୟ ଲାଭ କରିଛନ୍ତି। ତେଣୁ ଅଭିଜ୍ଞ ଓ ଶିକ୍ଷିତ ଯୁବପିଢୀଙ୍କୁ ସଭାପତି କରାଯିବା ବୋଲି ଚର୍ଚ୍ଚା ହେଉଛି। ଅନ୍ୟ ପକ୍ଷରେ ଦଳର ନେତୃବୃନ୍ଦଙ୍କ ନିଷ୍ପତ୍ତିି ଉପରେ ଗୁରୁତ୍ୱ ଦିଆଯିବ ବୋଲି କେତେକ ବିଜେଡି କର୍ମକର୍ତ୍ତା କହିଛନ୍ତି। ତେବେ ଠିକ୍‌ ପ୍ରାର୍ଥୀ ଚୟନ କରା ନ ଗଲେ ପୁନର୍ବାର ଦଳରେ କନ୍ଦଳ ଉପୁଜିବା ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ ବୋଲି ଆଲୋଚନା ହେଉଛି। ଉଲ୍ଲେଖଯୋଗ୍ୟ, ଚଳିତ ନିର୍ବାଚନରେ ଜେଏମ୍‌ଏମ୍‌ ୩ଟି ଜିଲା ପରିଷଦ ଆସନ ଦଖଲ କରିଥିବା ବେଳେ ଭାଜପା ଓ କଂଗ୍ରେସ ଖାତା ଖୋଲିପାରି ନାହାନ୍ତି।

Share