ବଢୁଛି ମାନସିକ ବିକାରଗ୍ରସ୍ତଙ୍କ ସଂଖ୍ୟା

କେନ୍ଦ୍ରାପଡ଼ା/ ପଟ୍ଟାମୁଣ୍ଡାଇ, ୫ା୧୦ (ଜଗନ୍ନାଥ ଧଳ/କଳ୍ପତରୁ ନାୟକ)କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ସହର ଓ ଏହାର ଆଖପାଖ ଅଞ୍ଚଳରେ ମାନସିକ ବିକାରଗ୍ରସ୍ତଙ୍କ ସଂଖ୍ୟା ବଢ଼ୁଛି। ଏପରି ରୋଗୀମାନଙ୍କ ମଧ୍ୟରୁ କେତେଜଣ ସ୍ଥାନୀୟ ଅଞ୍ଚଳର ହୋଇଥିବାବେଳେ ଆଉ କେତେକ ବାହାର ରାଜ୍ୟର ବୋଲି ଦେଖିବାକୁ ମିଳିଛି। ସେମାନଙ୍କ ପାଇଁ ଜିଲା ପ୍ରଶାସନ ପକ୍ଷରୁ କୌଣସି ଥଇଥାନ ବ୍ୟବସ୍ଥା କରାଯାଉ ନ ଥିବା ଅଭିଯୋଗ ହୋଇଛି।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଏକାଧିକ ମାନସିକ ବିକାରଗ୍ରସ୍ତ ଦିନବେଳା ରାସ୍ତାଘାଟରେ ବୁଲୁଛନ୍ତି। କିଏ ରାସ୍ତା ମଝିରେ ଛିଡା ହେବା ଯୋଗୁ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି ଆଉ କିଏ ଫିଙ୍ଗା ଯାଇଥିବା ଖାଦ୍ୟ ଖାଉଛନ୍ତି। ଅଧିକାଂଶ ଛକ, ସବ୍‌ରେଜିଷ୍ଟାର ଅଫିସ ପାଖ, ହାଟରେ ଶୋଉଛନ୍ତି। ସେମାନେ ଦୂଷିତ ଖାଦ୍ୟ, ପାଣି ପିଇ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି। କିଏ କିଏ ଲୋକମାନଙ୍କୁ ଆକ୍ରମଣ କରିବାକୁ ପଛାଉ ନ ଥିବା ନଜିର ରହିଛି। ଏଥିପାଇଁ ରାସ୍ତାରେ ଯାତାୟତ କରୁଥିବା ଛୋଟ ପିଲା ଓ ବୃଦ୍ଧା ବୃଦ୍ଧ ଓ ଛାତ୍ରୀଛାତ୍ର ନିଜକୁ ସୁରକ୍ଷିତ ମଣୁ ନ ଥିବା ଅଭିଯୋଗ ହୋଇଛି। କିଛି ମାସ ପୂର୍ବରୁ ୩ରୁ ୪ ଜଣ ମାନସିକ ବିକାରଗ୍ରସ୍ତଙ୍କୁ ରାସ୍ତାରେ ବୁଲାବୁଲି କରୁଥିବା ଦେଖିବାକୁ ମିଳିଥିଲା। ଏବେ ୮ରୁ ୧୦ ଜଣ ଏପରି ଅବସ୍ଥାରେ ରାସ୍ତାରେ ବୁଲୁଛନ୍ତି। କିଏ ହିନ୍ଦୀ ଓ କିଏ ବଙ୍ଗାଳି ଭାଷାରେ କଥାବାର୍ତ୍ତା କରୁଛନ୍ତି। ଜଣେ ମହିଳା ଓଡ଼ିଆରେ ଗାଳିଗୁଲଜ କରୁଥିବାରୁ ସିଏ ସ୍ଥାନୀୟ ଅଞ୍ଚଳର ବୋଲି ଅନୁମାନ କରାଯାଉଛି। ତେବେ ସହରରେ ବହୁ ସ୍ବେଚ୍ଛାସେବୀ ଓ ସେବା ଅନୁଷ୍ଠାନ ଥିଲେ ମଧ୍ୟ ଏପରି ବ୍ୟକ୍ତିମାନଙ୍କୁ ସେବା କିମ୍ବା ଥଇଥାନ କରିବାର ବ୍ୟବସ୍ଥା କରାଯାଇନାହିଁ।
ଏ ସମ୍ପର୍କରେ ବରିଷ୍ଠ ଆୟୁଷ ଡାକ୍ତର ମନୋରଞ୍ଜନ ଦାଶ କୁହନ୍ତି, ସେମାନଙ୍କୁ ଉପଯୁକ୍ତ ସ୍ଥାନରେ ଥଇଥାନ କରାଯିବା ସହ ଆବଶ୍ୟକ ସେବା ଯୋଗାଇ ଦେଲେ ଅନେକେ ମୁଖ୍ୟସ୍ରୋତକୁ ଫେରି ପାରିବେ। ଜିଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ କହିଛନ୍ତି, ମାନସିକ ବିକୃତ ରୋଗୀଙ୍କ ପାଇଁ କେନ୍ଦ୍ରାପଡ଼ାରେ ସେପରି କୌଣସି ଚିକିତ୍ସା ବ୍ୟବସ୍ଥା ନାହିଁ। ସରକାରଙ୍କ ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଇଛି। କେନ୍ଦ୍ରାପଡ଼ା ଜିଲାରେ ଏକ କମିଟି ଆପ୍ରୁଭ ହୋଇ ଏନ୍‌ଜିଓକୁ ଦିଆଯାଇଛି। ଜମି ଯୋଗାଇ ଦିଆଗଲା ପରେ ଏକ ଆଶ୍ରୟସ୍ଥଳୀ ବ୍ୟାବସ୍ଥା କରାଯାଇ ସେମାନଙ୍କୁ ଥଇଥାନ କରାଯିବ। ତେବେ ଏ ସଂକ୍ରାନ୍ତରେ ଆମ ପାଖରେ କୌଣସି ଅଭିଯୋଗ ନ ଥିଲା। ଯଦି ସେମିତି କେହି ଥାଆନ୍ତି ଖୁବ୍‌ଶୀଘ୍ର ସେମାନଙ୍କ ଚିକିତ୍ସା ବ୍ୟବସ୍ଥା କରାଯିବ ବୋଲି ଦାସ ପ୍ରତିଶ୍ରୁତି ଦେଇଛନ୍ତି।

Share