Categories: ଜାତୀୟ

ବଢୁଛି ଜିକା ଭାଇରସ୍‌ ସଂକ୍ରମିତଙ୍କ ସଂଖ୍ୟା

କାନପୁର,୭।୧୧: ଉତ୍ତରପ୍ରଦେଶର କାନପୁରରେ ଜିକା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ରବିବାର ଏଠାରେ ଆଉ ୧୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲାରେ ସଂକ୍ରମିତଙ୍କ ସଂଖ୍ୟା ୮୯ରେ ପହଞ୍ଚିଛି । ମାମଲା ବଢୁଥିବାରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକି ସମୀକ୍ଷା କରିଥିଲେ । ଏହି ଅବସରରେ ସେ ସାନିଟାଇଜେସନ କାର୍ଯ୍ୟକୁ ତ୍ୱରାନ୍ବିତ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାପୂର୍ବରୁ ଯୋଗୀ ଆଦିତ୍ୟନାଥ ସ୍ବାସ୍ଥ୍ୟ ବିଭାଗକୁ ପରିସ୍ଥିତି ଉପରେ କଡା ନଜର ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ରୋଗ ପ୍ରଥମେ ୧୯୫୨ମସିହାରେ ଉଗାଣ୍ଡା ଏବଂ ତାଞ୍ଜାନିଆର ମଣିଷମାନଙ୍କଠାରେ ଚିହ୍ନଟ ହୋଇଥିଲା। ସାମାନ୍ୟ ଜ୍ୱର, ଦେହରେ ଦାଗ, ମାଂସପେଶୀ ଏବଂ ଗଣ୍ଠି ଯନ୍ତ୍ରଣା କିମ୍ବା ମୁଣ୍ଡବିନ୍ଧା ଏହି ରୋଗର ଲକ୍ଷଣ ବୋଲି କୁହାଯାଇଛି।
ଅକ୍ଟୋବର ୨୩ରେ କାନପୁରରେ ପ୍ରଥମ ଜିକା ଭାଇରସ କେସ ଚିହ୍ନଟ ହୋଇଥିଲା। ଭାଇରସ ସଂକ୍ରମଣକୁ ରୋକିବା ପାଇଁ ସ୍ବାସ୍ଥ୍ୟ ଟିମ ପକ୍ଷରୁ ବିଭିନ୍ନ ସ୍ଥାନରେ ସାନିଟାଇଜେସନ କାର୍ଯ୍ୟକ୍ରମ କରାଯାଉଛି। ସେହିପରି ଜ୍ୱର ଥିବା ଲୋକଙ୍କୁ ଚିହ୍ନଟ କରି ପରୀକ୍ଷା କରାଯାଉଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ଅନୁଯାୟୀ ଜିକା ଜୀବାଣୁ ଏଡିସ ମଶା ଦ୍ୱାରା ସଂକ୍ରମିତ ହୁଏ।

Share