Categories: ଜାତୀୟ

ଅଲ୍‌-କାଏଦା ସହଯୋଗୀଙ୍କୁ ପାଣ୍ଠି ଯୋଗାଉଥିଲା ଓବାମା ପ୍ରଶାସନ

ଓ୍ବାଶିଂଟନ, ୫।୧: ବିଶ୍ୱକୁ ଆତଙ୍କବାଦ ମୁକ୍ତ କରିବା କଥା କହୁଥିବା ଆମେରିକା ପରୋକ୍ଷରେ ଉକ୍ତ ସଂଗଠନ ସହ ଜଡ଼ିତ ସଂସ୍ଥାକୁ ଆର୍ଥତ୍କ ସହାୟତା ଯୋଗାଉଥିବା ଏକ ତଦନ୍ତରୁ ଜଣାପଡ଼ିଛି। ବେଆଇନ ଇସ୍‌ଲାମୀୟ ଆତଙ୍କବାଦୀ ସଂଗଠନ ଅଲ୍‌-କାଏଦାର ସହଯୋଗୀ ସଂସ୍ଥାକୁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ପ୍ରଶାସନ ପାଣ୍ଠି ଯୋଗାଉଥିଲା। ଆମେରିକା ସିନେଟ କମିଟି ନିକଟରେ ଏଭଳି ଏକ ରିପୋର୍ଟ ପ୍ରକାଶ କରିଛି। ସିନେଟ ଫାଇନାନ୍ସ କମିଟି ଅଧ୍ୟକ୍ଷ ଚୁକ୍‌ ଗ୍ରାସଲିଙ୍କ କାର୍ଯ୍ୟାଳୟ ପକ୍ଷରୁ ହୋଇଥିବା ତଦନ୍ତ ଅନୁଯାୟୀ ଓବାମା ପ୍ରଶାସନ ଅଲ୍‌ କାଏଦାର ସହଯୋଗୀ ସଂଗଠନ ଇସ୍‌ଲାମିକ ରିଲିଫ୍‌ ଏଜେନ୍ସୀ (ଆଇଏସ୍‌ଆର୍‌ଏ) ପାଇଁ ଆମେରିକାର ଏକ ସାହାଯ୍ୟକାରୀ ସଂସ୍ଥା ଓ୍ବାଲର୍‌ଡ ଭିଜନ୍‌କୁ ୨ ଲକ୍ଷ ଡଲାର ମଞ୍ଜୁର କରିଥିଲା। ଘଟଣାକ୍ରମେ ଓ୍ବାଲର୍‌ଡ ଭିଜନ ଭାରତରେ କାମ କରିବା ସହ ଇଣ୍ଟରଆକ୍ସନର ଏକ ସଦସ୍ୟ ରହିଛି। ଆମେରିକାର ସରକାରୀ ସଂସ୍ଥାଗୁଡ଼ିକ କିପରି ପାକିସ୍ତାନ ଓ ମଧ୍ୟପ୍ରାଚ୍ୟର ଆତଙ୍କବାଦୀ ସଂଗଠନ ସହ ଜଡ଼ିତ ଇସ୍‌ଲାମୀୟ ଦାତବ୍ୟ ସଂସ୍ଥାଗୁଡ଼ିକୁ ଇଣ୍ଟରଆକ୍ସନ ଜରିଆରେ ପାଣ୍ଠି ଯୋଗାଉଥିଲେ ଗତବର୍ଷ ଏକ ଗଣମାଧ୍ୟମ ଏହାର ପର୍ଦ୍ଦାଫାସ୍‌ କରିଥିଲା। ହେଲ୍ପିଂ ହ୍ୟାଣ୍ଡ ଫର୍‌ ରିଲିଫ୍‌ ଆଣ୍ଡ ଡେଭେଲପ୍‌ମେଣ୍ଟ (ଏଚ୍‌ଏଚ୍‌ଆର୍‌ଡି) ସମେତ ଅଧିକାଂଶ ବିବାଦୀୟ ଇସ୍‌ଲାମୀୟ ଦାତବ୍ୟ ଅନୁଷ୍ଠାନ ସହ ଇଣ୍ଟରଆକ୍ସନର ଟୁଗେଦର ପ୍ରୋଜେକ୍ଟ ଜଡ଼ିତ। ଭାରତ ଓ କଶ୍ମୀରକୁ ଟାର୍ଗେଟ କରୁଥିବା ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଲଶ୍କର-ଇ-ତୋଇବାର ଦାତବ୍ୟ ଓ ରାଜନୈତିକ ଶାଖା ସହ ଏଚ୍‌ଏଚ୍‌ଆର୍‌ଡି କାର୍ଯ୍ୟ କରିଥାଏ। ମିଡିଲ୍‌ ଇଷ୍ଟ ଫୋରମ୍‌ର ସାମ ଓ୍ବେଷ୍ଟ୍ରାପ୍‌ ଏବଂ କ୍ଲିଫ୍‌ ସ୍ମିଥ୍‌ ୨୦୧୮ରେ ଏକାଧିକ ଲେଖା ମାଧ୍ୟମରେ ଏହି କାରବାରର ପର୍ଦ୍ଦାଫାସ୍‌ କରିବା ପରେ ଓ୍ବାଲର୍‌ଡ ଭିଜନ ଓ ଏହାର ଆଇଏସ୍‌ଆର୍‌ଏ ସହ ସମ୍ପର୍କ ଉପରେ ଆମେରିକା ସିନେଟ ୨୦୧୯ରେ ତଦନ୍ତ ଆରମ୍ଭ କରିଥିଲା।

ସୁଦାନର ସଂଘର୍ଷ ଅଞ୍ଚଳରେ ମାନବୀୟ ସେବା ପାଇଁ ୨୦୧୪ ଜାନୁୟାରୀରେ ୟୁନାଇଟେଡ୍‌ ଷ୍ଟେଟ୍ସ ଏଜେନ୍ସି ଫର୍‌ ଇଣ୍ଟରନ୍ୟାଶନାଲ ଡେଭେଲପମେଣ୍ଟ (ୟୁଏସ୍‌ଏଆଇଡି) ଓ୍ବାଲ୍ଡ ଭିଜନକୁ ୭୨୩,୪୦୫ ଡଲାର ଯୋଗାଇଥିଲା। ଓ୍ବାଲର୍‌ଡ ଭିଜନ ଏହି ସେବା କାର୍ଯ୍ୟ କରିବାକୁ ଆଇଏସ୍‌ଆର୍‌ଏକୁ ଦାୟିତ୍ୱ ଦେଇଥିଲା। ଆତଙ୍କବାଦ ସହ ସମ୍ପୃକ୍ତି ଲାଗି ଆଇଏସ୍‌ଆର୍‌ଏ ବିରୋଧରେ ଆମେରିକ ସରକାର ୨୦୦୪ରୁ କଟକଣା ଲଗାଇଥିବାବେଳେ ଏ ସମ୍ପର୍କରେ ଜାଣି ନ ଥିବା ଓ୍ବାଲର୍‌ଡ ଭିଜନ କହିଥିଲା। ଓ୍ବାଲର୍‌ଡ ଭିଜନ ବେଆଇନ ଭାବେ ସରକାରୀ ପାଣ୍ଠି ଆଇଏସ୍‌ଆର୍‌ଏକୁ ଯୋଗାଇଥିବାରୁ ସିନେଟ କମିଟି ଏହାର ସମାଲୋଚନା କରିଛି।

Share