ଶେଖ ହାସିନାଙ୍କ ସହ ବଢିଲା ତାଙ୍କ ୯ ସହଯୋଗୀଙ୍କ ଅଡୁଆ

ଢାକା,୧୫।୮: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ସମସ୍ୟା ବେଳକୁ ବେଳ ବଢିବାରେ ଲାଗିଛି। ବାଂଲାଦେଶର ଆନ୍ତର୍ଜାତୀୟ ଅପରାଧିକ ଟ୍ରିବ୍ୟୁନାଲ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ଏବଂ ତାଙ୍କର ଅନ୍ୟ ୯ଜଣ ସହଯୋଗୀଙ୍କ ବିରୋଧରେ ଜନଶୁଣାଣି ତଥା ମାନବିକତା ବିରୋଧରେ ହୋଇଥିବା ଅପରାଧର ତଦନ୍ତ ଆରମ୍ଭ କରିଛି।
ଜୁଲାଇ ୧୫ରୁ ଅଗଷ୍ଟ ୫ମଧ୍ୟରେ ଛାତ୍ରଙ୍କ ଆନ୍ଦୋଳନ ସମୟରେ ଘଟିଥିବା ଘଟଣା ସହ ଜଡିତ ଅଭିଯୋଗ ହାସିନାଙ୍କ ଉପରେ ଲାଗିଛି। ସୂଚନାଯୋଗ୍ୟ, ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ଘୋଷଣା କରିଛନ୍ତି ଯେ ଜୁଲାଇ ୧ରୁ ଅଗଷ୍ଟ ୫ମଧ୍ୟରେ ଘଟିଥିବା ହତ୍ୟାକାଣ୍ଡ ମାମଲା ଅନ୍ତର୍ଜାତୀୟ ଅପରାଧିକ ଟ୍ରିବ୍ୟୁନାଲରେ ଶୁଣାଣି ହେବ।

ବୁଧବାର ଶେଖ ହାସିନା ଏବଂ ତାଙ୍କ ଦଳର ଅନେକ ନେତାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗରେ ଶେଖ ହାସିନାଙ୍କ ବ୍ୟତୀତ ଆୱାମୀ ଲିଗର ସାଧାରଣ ସମ୍ପାଦକ ତଥା ପୂର୍ବତନ ସଡକ ପରିବହନ ମନ୍ତ୍ରୀ ଓବେଦୁଲ କାଦର, ପୂର୍ବତନ ଗୃହମନ୍ତ୍ରୀ ଅସାଦ-ଉଜ-ଜମାଂ ଖାନ କମାଲ ଏବଂ ଦଳର ଅନ୍ୟ ପ୍ରମୁଖ ନେତାଙ୍କ ନାମ ଅନ୍ତର୍ଭୁକ୍ତ ହୋଇଛି।
ବୁଧବାର ରାତିରୁ ଅନ୍ତର୍ଜାତୀୟ ଅପରାଧିକ ଟ୍ରିବ୍ୟୁନାଲ ଏହି ମାମଲାର ତଦନ୍ତ ଆରମ୍ଭ କରିଛି। ଆୱାମି ଲିଗ ବ୍ୟତୀତ ଏହାର ଅନୁବନ୍ଧିତ ସଂଗଠନର ନାମ ମଧ୍ୟ ଅଭିଯୋଗରେ ଅନ୍ତର୍ଭୁକ୍ତ ହୋଇଛି। ଏହା ଅଭିଯୋଗକାରୀଙ୍କ ଓକିଲ ଗାଜି ଏମଏଚ ତମିମଙ୍କ ଦ୍ୱାରା ପ୍ରମାଣିତ ହୋଇଛି।
‘ଢାକା ଟ୍ରିବ୍ୟୁନ’ ଖବରକାଗଜ ଅନୁଯାୟୀ ନବମ ଶ୍ରେଣୀର ଛାତ୍ର ଆରିଫ ଅହମ୍ମଦ ସିଆମଙ୍କ ପିତା ବୁଲବୁଲ କବୀର ଏହି ଆବେଦନ କରିଛନ୍ତି। ସୂଚନାଯୋଗ୍ୟ, ସଂରକ୍ଷଣ ବିରୋଧୀ ଛାତ୍ର ଆନ୍ଦୋଳନ ସମୟରେ ଆରିଫଙ୍କର ମୃତ୍ୟୁ ହୋଇଥିଲା। ଏହି ଆବେଦନରେ ଶେଖ ହସିନା ଏବଂ ଅନ୍ୟମାନେ ଛାତ୍ର ଆନ୍ଦୋଳନ ବିରୋଧରେ ହିଂସାତ୍ମକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଅଭିଯୋଗ ହୋଇଛି।

Share