ଓଡ଼ିଶା ସୀମା ସମସ୍ୟା ତଥ୍ୟ ସ୍ବରାଷ୍ଟ୍ର ମନ୍ତ୍ରଣାଳୟରେ ନାହିଁ

ଭୁବନେଶ୍ୱର,୨ା୮(ବ୍ୟୁରୋ): ଓଡ଼ିଶାର ସୀମା ସମସ୍ୟା ସମ୍ପର୍କିତ ତଥ୍ୟ କେନ୍ଦ୍ର ସରକାରଙ୍କ ନିକଟରେ ନାହିଁ। ଏହା ଏକ ନିନ୍ଦନୀୟ ପ୍ରସଙ୍ଗ ବୋଲି ଉତ୍କଳ ସମ୍ମିଳନୀ କହିଛି। ସମ୍ମିଳନୀର ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ଶାଖା ସଭାପତି ଦିଲୀପ ଦାଶଶର୍ମା କହିଛନ୍ତି, ନିକଟରେ ଲୋକ ସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ ସ୍ବରାଷ୍ଟ୍ର ବିଭାଗ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ହରିୟାଣା-ହିମାଚଳ ପ୍ରଦେଶ, ଲଦାଖ-ହିମାଚଳ ପ୍ରଦେଶ, ମହାରାଷ୍ଟ୍ର-କର୍ନାଟକ, ଆସାମ-ଅରୁଣାଚଳ ପ୍ରଦେଶ, ଆସାମ-ନାଗାଲାଣ୍ଡ, ଆସାମ-ମେଘାଳୟ ଓ ଆସାମ-ମିଜୋରାମ ମଧ୍ୟରେ ସୀମା ବିବାଦ ଥିବା ନେଇ ସୂଚନା ଦେଇଥିଲେ। ତେବେ ଦୀର୍ଘବର୍ଷ ଧରି ଓଡ଼ିଶା-ଆନ୍ଧ୍ର ପ୍ରଦେଶ, ଓଡ଼ିଶା-ପଶ୍ଚିମବଙ୍ଗ ଓ ଓଡ଼ିଶା-ଛତିଶଗଡ ମଧ୍ୟରେ ସୀମା ବିବାଦ ଲାଗି ରହିଥିଲେ ମଧ୍ୟ ଏହା ତାଙ୍କ ଉତ୍ତରରେ ସ୍ଥାନ ପାଇନାହିଁ। ସ୍ବରାଷ୍ଟ୍ର ମନ୍ତ୍ରଣାଳୟରେ ଓଡ଼ିଶା ସୀମା ବିବାଦ ତଥ୍ୟ ନ ଥିବା ଏଥିରୁ ସ୍ପଷ୍ଟ ହେଉଛି। ଉତ୍କଳ ସମ୍ମିଳନୀ ଏହାକୁ ବିରୋଧ କରିବା ସହିତ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏହି ପ୍ରସଙ୍ଗକୁ ତାଲିକାଭୁକ୍ତ କରି ସମାଧାନ ପାଇଁ ଚେଷ୍ଟା କରନ୍ତୁ ବୋଲି ଦାବି କରାଯାଇଛି। ଏଥିସହ ରାଜ୍ୟଗୁଡ଼ିକ ଭିତରେ ଥିବା ସୀମା ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ସରକାର ‘ସୀମା ସୁରକ୍ଷା ପରିଷଦ’ ଗଠନ କରନ୍ତୁ ବୋଲି ଦାଶଶର୍ମା ଦାବି କରିଛନ୍ତି।

Share