ଓଡ଼ିଶା ଅଗ୍ନିଶମ ସେବା ସଂସ୍ଥା ଦେଶରେ ଶ୍ରେଷ୍ଠ

କଟକ ଅଫିସ,୭ା୧: ଓଡ଼ିଶା ଅଗ୍ନିଶମ ସେବା ସଂସ୍ଥା ସର୍ବଭାରତୀୟ ସ୍ତରରେ ସର୍ବଶ୍ରେଷ୍ଠ ବିବେଚିତ ହୋଇଛି। ଦିଲ୍ଲୀର ନୋଇଡାରେ ଗତ ଡିସେମ୍ବର ୨ରୁ ୫ତାରିଖ ପର୍ଯ୍ୟନ୍ତ ଇନ୍‌ଷ୍ଟିଚ୍ୟୁଶନ ଅଫ୍‌ ଫାୟାର ଇଞ୍ଜିନିୟର୍ସ (ଇଣ୍ଡିଆ) ଦ୍ୱାରା ଆୟୋଜିତ ଆନ୍ତର୍ଜାତିକ ଫାୟାର ଇଣ୍ଡିଆ-୨୦୨୧ ମେଳାରେ ଏହି ପୁରସ୍କାର ଘୋଷଣା କରାଯାଇଛି। ଓଡ଼ିଶା ପଛକୁ ତାମିଲନାଡୁ ଦ୍ୱିତୀୟ ଓ ଗୁଜରାଟ ତୃତୀୟ ସ୍ଥାନ ଅଧିକାର କରିଛି। ମୁଖ୍ୟତଃ ବିପର୍ଯ୍ୟୟ ମୁକାବିଲାର ଦକ୍ଷତାକୁ ବିଚାରକୁ ନେଇ ଓଡ଼ିଶା ଅଗ୍ନିଶମ ସେବା ସଂସ୍ଥାକୁ ପ୍ରଥମ ସ୍ଥାନ ମିଳିଛି।
ସୂଚନାଯୋଗ୍ୟ, ଓଡ଼ିଶା ଅଗ୍ନିଶମ ସେବା ସଂସ୍ଥା ଖାଲି ଆମ ରାଜ୍ୟ ନୁହେଁ, ଅନ୍ୟ ରାଜ୍ୟରେ ମଧ୍ୟ ବିପର୍ଯ୍ୟୟ ମୁକାବିଲା କରି ସୁନାମ ଆଣିବାରେ ସଫଳ ହୋଇଛି। ଏହି ସଂସ୍ଥା ୨୦୧୪ ମସିହାରେ ହୁଡ୍‌ହୁଡ୍‌ ବାତ୍ୟା ବେଳେ ଆନ୍ଧ୍ରପ୍ରଦେଶ, ୨୦୧୮ରେ ମେଘାଳୟରେ ମାଇନିଂ ଦୁର୍ଘଟଣା ସମୟରେ ଉଦ୍ଧାର, ୨୦୧୮ରେ କେରଳ ବନ୍ୟା ଓ ୨୦୨୦ରେ ପଶ୍ଚିମବଙ୍ଗରେ ଅମ୍ଫନ ମହାବାତ୍ୟା ସମୟରେ ସଫଳତାର ସହ କାର୍ଯ୍ୟ କରି ପ୍ରଶଂସିତ ହୋଇଥିଲା। ଏଥିସହ ଓଡ଼ିଶାରେ ତିତ୍‌ଲି, ବୁଲ୍‌ବୁଲ୍‌ ଓ ଫନୀ ବାତ୍ୟା ସମୟରେ ମଧ୍ୟ ବିପର୍ଯ୍ୟୟର ସଫଳ ମୁକାବିଲା କରିଥିଲା। ଦେଶରେ ଓଡ଼ିଶା ଏକମାତ୍ର ରାଜ୍ୟ ଯେଉଁଠି ଜନସଂଖ୍ୟା ଅନୁସାରେ ଅଗ୍ନିଶମ ଗାଡ଼ି ଯୋଗାଇ ଦିଆଯାଇଛି ଏବଂ ସର୍ବାଧିକ ୩୪୨ଟି ଅଗ୍ନିଶମ କେନ୍ଦ୍ର ରହିଛି। ଏତଦ୍‌ବ୍ୟତୀତ ଓଡ଼ିଶା ଅଗ୍ନିଶମ ସେବା ସଂସ୍ଥାର ଏକ ରିଜର୍ଭ ଫୋର୍ସ ରହିଛି, ଯାହା ଦେଶର ଅନ୍ୟ କୌଣସି ଅଗ୍ନିଶମ ବିଭାଗ ନିକଟରେ ନାହିଁ। ସେହିପରି ରାଜ୍ୟରେ ୫ଟି ଆଇଏସ୍‌ଓ ସ୍ବୀକୃତିପ୍ରାପ୍ତ ଅଗ୍ନିଶମ କେନ୍ଦ୍ର ଓ ଗୋଟିଏ ପ୍ରଶିକ୍ଷଣ କେନ୍ଦ୍ର ରହିଛି। ଏହାର ସମସ୍ତ କେନ୍ଦ୍ରକୁ ବହୁମୁଖୀ ବିପର୍ଯ୍ୟୟ ଉଦ୍ଧାର କେନ୍ଦ୍ର ଭାବେ ରୂପାନ୍ତର କରାଯିବା ସହ ଜନସାଧାରଣଙ୍କୁ ଅନଲାଇନ୍‌ ଜରିଆରେ ସେବା ଯୋଗାଇ ଦିଆଯାଉଛି। ଦେଶର ସର୍ବଶ୍ରେଷ୍ଠ ଅଗ୍ନିଶମ ସେବା ସଂସ୍ଥା ଭାବେ ପୁରସ୍କୃତ ହୋଇଥିବାରୁ ଓଡ଼ିଶା ଅଗ୍ନିଶମ ସେବା ସଂସ୍ଥାର କର୍ମଚାରୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି। ସେମାନେ ଅଧିକ ଉତ୍ସାହିତ ଓ ଅନୁପ୍ରାଣିତ ହୋଇ କାର୍ଯ୍ୟ କରିବାକୁ ସଂକଳ୍ପବଦ୍ଧ ହୋଇଛନ୍ତି।

Share