ସରକାର ଦେଲେ ଚେତାବନୀ, ଆନ୍ଦୋଳନ କଲେ…

ଭୁବନେଶ୍ୱର,୨୪।୯: ଓଡ଼ିଶା ନର୍ସିଙ୍ଗ କର୍ମଚାରୀ ସଂଘଙ୍କ ଦ୍ୱାରା ଆସନ୍ତକାଲି ଆନ୍ଦୋଳନ ପାଇଁ ଡକରା ହୋଇଥିଲା। ଯାହାର ଗୋଟିଏ ଦିନ ପୂର୍ବରୁ ସବୁ CDMO ଓ ସରକାରୀ ମେଡିକାଲ କଲେଜଙ୍କୁ ଚିଠି ଲେଖିଛନ୍ତି ସରକାର। ଆନ୍ଦେଳନ ଉପରେ ରୋକ୍‌ ଲଗାଇବା ସହ କୌଣସି ନର୍ସିଂ କର୍ମଚାରୀ ଷ୍ଟ୍ରାଇକ୍‌ କରୁଥିଲେ ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସରକାର ଚେତାବନୀ ଦେଇଛନ୍ତି।

ଅଗଷ୍ଟ ୭ ତାରିଖରୁ ନର୍ସିଂ ଅଫିସରଙ୍କ ବିରୋଧରେ ୬ ମାସ ପାଇଁ ଲାଗୁ ହୋଇଥିବା ଏସମାକୁ କଡ଼ାକଡ଼ି କାର୍ଯ୍ୟକାରୀ କରିବାକୁ ଆଜି ସବୁ CDMO ଓ ସରକାରୀ ମେଡିକାଲ କଲେଜଙ୍କୁ ଚିଠି ଲେଖିଛି ନର୍ସିଂ ନିର୍ଦ୍ଦେଶାଳୟ । ସେପ୍ଟେମ୍ବର ୨୫ ଓ ୨୬ରେ ସବୁ ସରକାରୀ ହସ୍ପିଟାଲର ଜେନେରାଲ ୱାର୍ଡ, ଅଣ ଏମର୍ଜେନ୍ସି ବିଭାଗରୁ ନର୍ସିଂ ଅଫିସର ପ୍ରତ୍ୟାହାର ସହ ସେପ୍ଟେମ୍ବର ୨୭ରୁ ସବୁ ନର୍ସିଂ ଅଫିସର କାର୍ଯ୍ୟ ବନ୍ଦ କରିବାକୁ ଓଡ଼ିଶା ନର୍ସିଂ ଏମ୍ପ୍ଲଇଜ ଆସୋସିଏସନ ସାଧାରଣ ସମ୍ପାଦକ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ।

କିନ୍ତୁ ଆନ୍ଦୋଳନର ଗୋଟିଏ ଦିନ ପୂର୍ବରୁ ଚିଠି ଜାରି କରି କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଚେତାବନୀ ଦେଇଛନ୍ତି। ଏହାଛଡ଼ା ଯଦି କୌଣସି ନର୍ସିଂ ଅଫିସର ଷ୍ଟ୍ରାଇକ କରୁଥିବେ, ସେନେଇ ଜଣାଇବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛି ନିର୍ଦ୍ଦେଶାଳୟ । ଏପଟେ ଆସନ୍ତାକାଲିଠୁ ଆନ୍ଦୋଳନ କରିବା ପାଇଁ ସୂଚନା ଦେଇଛି ଓ ନର୍ସିଂ କର୍ମଚାରୀ ସଂଘ । ନର୍ସିଂ କ୍ଷେତ୍ରରେ ଆଉଟୋସୋର୍ସିଂ ବ୍ୟବସ୍ଥା ଉଚ୍ଛେଦ, କର୍ମଚାରୀଙ୍କୁ କଣ୍ଟ୍ରାକଚ୍ୟୁଆଲରୁ ରେଗୁଲାର କରିବା ଆଦି ୧୦ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛି ଓ ନର୍ସିଂ କର୍ମଚାରୀ ସଂଘ ।

Share