ଓଡ଼ିଶା ହାଇକୋର୍ଟରେ ୩ ବିଚାରପତି ନିଯୁକ୍ତ

କଟକ ଅଫିସ,୧୧ା୨: ଓଡ଼ିଶା ହାଇକୋର୍ଟ ପାଇଁ ୩ ନୂଆ ବିଚାରପତି ନିଯୁକ୍ତ ହୋଇଛନ୍ତି। ସେମାନେ ହେଲେ ଭି. ନରସିଂହ, ବିରଜା ପ୍ରସନ୍ନ ଶତପଥୀ ଏବଂ ରମଣ ମୁରାହାରୀ ଓରଫ ମୁରାହାରୀ ଶ୍ରୀ ରମଣ। ଏହି ୩ ବିଚାରପତିଙ୍କ ନାମକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୋହର ମାରିଛନ୍ତି। ବରିଷ୍ଠତା ଭିତ୍ତିରେ ସେମାନଙ୍କୁ ଅବସ୍ଥାପିତ କରାଯିବ। ଏହି ନିଯୁକ୍ତି ସମ୍ପର୍କରେ କେନ୍ଦ୍ର ସରକାରଙ୍କ ଆଇନ ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି ା ୩ ନୂଆ ନିଯୁକ୍ତି ପରେ ଓଡ଼ିଶା ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୨୧ରେ ପହଞ୍ଚତ୍ଛି।
ସୂଚନାଯୋଗ୍ୟ, ଓଡ଼ିଶା ହାଇକୋର୍ଟର ଅନୁମୋଦିତ ବିଚାରପତିଙ୍କ ସଂଖ୍ୟା ୨୭ ଥିବାବେଳେ ୧୮ଜଣ ରହିଛନ୍ତି। ସୁପ୍ରିମକୋର୍ଟ ପ୍ରଧାନବିଚାରପତିଙ୍କ ନେତୃତ୍ୱରେ ଗଠିତ କଲେଜିୟମ ଗତ ୩୧ତାରିଖରେ ଓଡ଼ିଶା ହାଇକୋର୍ଟ ପାଇଁ ଆଇନଜୀବୀ ଭି. ନରସିଂହ, ବିରଜା ପ୍ରସନ୍ନ ଶତପଥୀ, ସଞ୍ଜୟ କୁମାର ମିଶ୍ର ଏବଂ ରମଣ ମୁରାହାରୀ ଓରଫ ମୁରାହାରୀ ଶ୍ରୀ ରମଣଙ୍କ ନାମ କେନ୍ଦ୍ରକୁ ସୁପାରିସ କରିଥିଲା। ହେଲେ ରାଷ୍ଟ୍ରପତି ୩ଜଣଙ୍କ ନାମରେ ମୋହର ମାରିଛନ୍ତି। ଏହି ୩ ନୂଆ ବିଚାରପତିଙ୍କ ଯୋଗଦାନ ମାମଲା ଫଇସଲା କରିବାରେ ବେଶ୍‌ ସହାୟକ ହେବ। ଭି. ନରସିଂହ ହେଉଛନ୍ତି ହାଇକୋର୍ଟର ପୂର୍ବତନ ବିଚାରପତି ସ୍ବର୍ଗତ ଭି. ଗୋପାଳ ସ୍ବାମୀଙ୍କ ପୁତ୍ର। ସେ ଆୟକର, ସର୍ଭିସ୍‌ ଲ’, କମର୍ସିଆଲ, ଫୌଜଦାରି, ଦେୱାନୀ ଓ ସାମ୍ବିଧାନିକ ମାମଲା ପରିଚାଳନା କ୍ଷେତ୍ରରେ ଦକ୍ଷତା ହାସଲ କରିଛନ୍ତି। ସେ ସିବିଆଇ ଓକିଲ ଭାବେ ମଧ୍ୟ ଅନେକ ମାମଲା ପରିଚାଳନା କରିଛନ୍ତି। ସେହିପରି ବିରଜା ପ୍ରସନ୍ନ ଶତପଥୀ ହେଉଛନ୍ତି ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ଭଗବାନ ଶତପଥୀଙ୍କ ପୁତ୍ର। ସେ ମଧୁସୂଦନ ଆଇନ ମହାବିଦ୍ୟାଳୟରୁ ଆଇନ ଶିକ୍ଷା ଶେଷ କରିବା ପରେ ସ୍ବର୍ଗତ ଅଶୋକ ମହାପାତ୍ରଙ୍କ ଅଧୀନରେ ଓକିଲାତି ପେସା ଆରମ୍ଭ କରିଥିଲେ। ରମଣ ମୁରାହାରୀ ଓରଫ୍‌ ଏମ୍‌.ଏସ୍‌. ରମଣ ଜଣେ ବିଶିଷ୍ଟ ଟ୍ୟାକ୍ସ ଲୟର୍‌। ସେ ପୂର୍ବରୁ ସେଲ୍‌ସ ଟ୍ୟାକ୍ସ ଟ୍ରିବ୍ୟୁନାଲ୍‌ରେ ବହୁ ମାମଲା ଦକ୍ଷତାର ସହ ପରିଚାଳନା କରିଛନ୍ତି। ଏଥିସହ ସେ ସେଲ୍‌ସ ଟ୍ୟାକ୍ସ ଉପରେ ଅନେକ ବହି ଲେଖିଛନ୍ତି।

Share