ଘୋଷଣା ହେଲା ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର: ଜାଣନ୍ତୁ ଏଥର କେଉଁମାନେ ପୁରସ୍କୃତ ହେବେ….

ଭୁବନେଶ୍ୱର, ୧୦।୭(ବ୍ୟୁରୋ)- ଶେଷରେ ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ୨୦୧୫ ଓ ୨୦୧୬ ବର୍ଷ ପାଇଁ ଶୁକ୍ରବାର ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା କରାଯାଇଛି। ଏଥିପାଇଁ ବିଭିନ୍ନ ବିଭାଗରେ ବହୁ ପ୍ରତିଷ୍ଠିତ ଲେଖକ ତଥା ନାଟ୍ୟକାର, ଔପନ୍ୟାସିକଙ୍କୁ ଏକାଡେମୀ ପକ୍ଷରୁ ଚୟନ କରାଯାଇଛି। ୨୦୧୫ ପାଇଁ ଉପନ୍ୟାସ ବିଭାଗରେ ‘ଗୋଟିଏ ଯୋଡ଼ି ଗାଆଁର କାହାଣୀ’ ପାଇଁ ନିତ୍ୟାନନ୍ଦ ପଣ୍ଡା ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି। ସେପିପରି କ୍ଷୁଦ୍ରଗଳ୍ପ ‘ଗପର ମୁହଁ’ ପାଇଁ ପବିତ୍ର ପାଣିଗ୍ରାହୀ, କାବ୍ୟ କବିତା ‘ଗୋଧୂଳି ଗୀତ’ ପାଇଁ ବୀଣାପାଣି ପଣ୍ଡା ପାଇବେ। ସେହିପରି ନାଟକ ଓ ଏକାଙ୍କିକାରେ ‘ମଞ୍ଚମାୟା’ ପାଇଁ ସଞ୍ଜୟ ହାତୀ ଓ ‘ନାଟୁଆ ଓ ଅନ୍ୟାନ୍ୟ ନାଟକ’ ପାଇଁ ନବୀନ କୁମାର ପରିଡ଼ା ଯୁଗ୍ମ ଭାବେ ପୁରସ୍କାର ପାଇବେ। ପ୍ରବନ୍ଧ ଓ ସମାଲୋଚନା ବିଭାଗରେ ‘ସାହିତ୍ୟ ସମାଲୋଚନା ତାତ୍ତ୍ୱିକ ଓ ପ୍ରାୟୋଗିକ ପ୍ରସଙ୍ଗ’ ପାଇଁ ପଞ୍ଚାନନ ମିଶ୍ର, ଜୀବନୀ ଓ ଭ୍ରମଣ ସାହିତ୍ୟ ବିଭାଗରେ ‘ଲୌହମାନବ ସର୍ଦ୍ଧାର ପଟେଲ’ ପାଇଁ ଧରଣୀଧର ପାଣିଗ୍ରାହୀ, ଅନୁବାଦରେ ‘ତଥାପି କିଛି ରହିଯିବ’ ପାଇଁ ବିଜୟ କୁମାର ମହାନ୍ତି, ଶିଶୁ ସାହିତ୍ୟରେ ‘ଗଛଟିଏ ଗୀତଟିଏ’ ପାଇଁ ରବୀନ୍ଦ୍ର ବିଶ୍ୱାଳ ଓ ଗୀତକବିତା ବିଭାଗରେ ‘ପ୍ରତି ପଲକରେ ତୁମେ’ ପାଇଁ ମନୋଜ ମହାନ୍ତି ପୁରସ୍କାର ପାଇବେ।
ସେହିପରି ୨୦୧୬ ପାଇଁ ଉପନ୍ୟାସରେ ‘ଅମ୍ବା’ ପାଇଁ ଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟ, କ୍ଷୁଦ୍ରଗଳ୍ପରେ ‘ରମାକୁ ମାରିବାର ପାଞ୍ଚଟି ଉପାୟ’ ପାଇଁ ଦେବଦାସ ଛୋଟରାୟ, କାବ୍ୟ କବିତା ବିଭାଗରେ ‘ଫେରନ୍ତି ଘର’ ପାଇଁ ଭଗବାନ ଜୟସିଂହ, ନାଟକ ଓ ଏକାଙ୍କିକାରେ ‘ଆତ୍ମଲିପି ଓ ଅନ୍ୟାନ୍ୟ’ ପାଇଁ ଫକୀର ସିଂହ, ପ୍ରବନ୍ଧ ଓ ସମାଲୋଚନା ବିଭାଗରେ ‘ଆଲୋଚନା ପ୍ରସଙ୍ଗ’ ପାଇଁ ପ୍ରସନ୍ନ କୁମାର ସ୍ବାଇଁ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ଶୁକ୍ରବାର ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ହରିହର ମିଶ୍ରଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକାରୀ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ୨୦୧୫ ଓ ୨୦୧୬ ବର୍ଷ ପାଇଁ ଓଡ଼ଇଶା ସାହିତ୍ୟ ଏକାଡେମୀ ପୁରସ୍କାରର ଚୂଡ଼ାନ୍ତ ଫଳାଫଳ ଘୋଷଣା କରାଯାଇଛି। କାର୍ଯ୍ୟକାରୀ ପରିଷଦ ଓଡ଼ିଇଆ ସାହିତ୍ୟର ୯ଟି ବିଭାଗ ପାଇଁ ପୁସ୍ତକର ଲେଖକଙ୍କୁ ପୁରସ୍କୃତ କରିବା ନିମନ୍ତେ ନାମ ଘୋଷଣା କରିଛନ୍ତି।

Share