ସୋମବାରଠାରୁ ଓଡ଼ିଶା ପରିବହନ ଶ୍ରମିକ ମହାସଂଘ ପକ୍ଷରୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଧର୍ମଘଟ ଡାକରା

ଭୁବନେଶ୍ୱର, ୭।୧(ସୁନିତ୍‌ ମିଶ୍ର): ଓଡ଼ିଶା ପରିବହନ ଶ୍ରମିକ ମହାସଂଘ ପକ୍ଷରୁ ସୋମବାରଠାରୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଧର୍ମଘଟ ଡାକରା ଦିଆଯାଇଛି। ଭାରତୀୟ ନ୍ୟାୟ ସଂହିତା ୨୦୨୩ରେ ଗାଡ଼ି ଚାଳକଙ୍କ ପାଇଁ କରାଯାଇଥିବା ଦଣ୍ଡବିଧାନକୁ ବିରୋଧ କରି ଏହି ଧର୍ମଘଟ ଡାକରା ଦିଆଯାଇଛି ବୋଲି ଓଡ଼ିଶା ପରିବହନ ଶ୍ରମିକ ମହାସଂଘ ସଭାପତି ଜନାର୍ଦ୍ଦନ ପତି କହିଛନ୍ତି।
ଏହି ଧର୍ମଘଟ ସମୟରେ ସବୁ ଅଏଲ୍‌ କମ୍ପାନୀ ଡିପୋ ଅଫିସ୍‌କୁ ତେଲ ଯୋଗାଣ ବନ୍ଦ ରଖିବା ନେଇ ମହାସଂଘ ପକ୍ଷରୁ ଲିଖିତ ଭାବେ ଜଣାଇ ଦିଆଯାଇଛି। ତେବେ ଓଡ଼ିଶା ପରିବହନ ଶ୍ରମିକ ମହାସଂଘ ପକ୍ଷରୁ ଦିଆଯାଇଥିବା ଏହି ବନ୍ଦ ଡାକରା ପରେ ରାଜ୍ୟରେ ପେଟ୍ରୋଲ, ଡିଜେଲ ବିକ୍ରି ଏକ ପ୍ରକାର ଅସୁବିଧା ଭିତରକୁ ଆସିଯିବା ଏକ ପ୍ରକାର ନିଶ୍ଚିତ ବୋଲି ସୂଚନା ମିଳିଛି। କାରଣ ଗତ ୩ ଦିନ ହେଲା ହିଟ୍‌ ଆଣ୍ଡ ରନ୍‌ ମାମଲାରେ ଗାଡ଼ି ଚାଳକଙ୍କୁ ୧୦ ବର୍ଷ ଜେଲ ଏବଂ ୭ ଲକ୍ଷ ଟଙ୍କାର ଜରିମାନା ଆଦାୟ ନିୟମକୁ ବିରୋଧ କରି ରାଜ୍ୟବ୍ୟାପୀ ଡ୍ରାଇଭର ସଂଘ ପକ୍ଷରୁ ଷ୍ଟିୟରିଂ ଛାଡ଼ ଡାକରା ଦିଆଯାଇଥିଲା। ଏଥିଯୋଗୁ ମଧ୍ୟ ପେଟ୍ରୋଲ, ଡିଜେଲ ଯୋଗାଣ ଏକପ୍ରକାର ବନ୍ଦ ହୋଇଯାଇଥିଲା। ଯେଉଁଥିପାଇଁ ଶନିବାର ରାଜ୍ୟବ୍ୟାପୀ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହେବା ସଙ୍ଗେସଙ୍ଗେ ଅଧିକାଂଶ ପେଟ୍ରୋଲ ପମ୍ପ ଡ୍ରାଏ ସମସ୍ୟା ଯୋଗୁ ବନ୍ଦ ମଧ୍ୟ ରହିଥିଲା।

Share