Categories: ଗଞ୍ଜାମ

ସମସ୍ୟା ଘେରରେ ଡାଳଖାଇ ଓଡିଆର୍‌ପି କଲୋନୀ

ରମ୍ଭା,୧୮।୪: ରମ୍ଭା ଥାନା ଇଲାକା ଗଞ୍ଜାମ ବ୍ଲକ ରାମଗଡ଼ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡାଳଖାଇ ଓଡିଆରପି କଲୋନୀ ବହୁବିଧ ସୁବିଧା ସୁଯୋଗରୁ ବଞ୍ଚିତ। ସମସ୍ୟା ଘେରରେ ଉବୁଟୁବୁ ହେଉଥିଲେ ମଧ୍ୟ ପ୍ରଶାସନର ଅଣଦେଖା ମନୋଭାବ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିବାରେ ଲାଗିଛି। ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ପାନୀୟ ଜଳ ଓ ବିଦ୍ୟୁତ୍‌ ସମେତ ମୌଳିକ ସମସ୍ୟାରୁ କାଣିଚାଏ ସଫଳତା ପାଇପାରୁ ନ ଥିବା ବାସିନ୍ଦାଙ୍କ ପକ୍ଷରୁ ଅଭିଯୋଗ ହୋଇଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଅନେକ ଯୋଜନା ହୋଇଛି। ଏପରିକି ହରିଜନ ସମ୍ପ୍ରଦାୟ ଓ ବାତ୍ୟା ଆଶ୍ରୟସ୍ଥଳୀ ବାସିନ୍ଦାମାନଙ୍କୁ ତଦୂର୍ଦ୍ଧ୍ୱ ପରିମାଣର ଯୋଜନା କରାଯାଇଛି, କିନ୍ତୁ ଯୋଜନା ଅପହଞ୍ଚ ହୋଇ ରହିଯାଇଛି। ପ୍ରାୟ ଏକ କୋଟି ଟଙ୍କାର ଶିକ୍ଷାନୁଷ୍ଠାନ ଗୃହ ବନାଯାଇଛି କିନ୍ତୁ କେନ୍ଦ୍ର ନାହିଁ।
୭ କିଲୋମିଟର ପ୍ରତ୍ୟହ କୋମଳମତି ଛାତ୍ରୀଛାତ୍ରମାନେ ଚାଲି ଚାଲି ଯାଇ ଶିକ୍ଷା ଗ୍ରହଣ କରିବା ବୁଦ୍ଧିଜୀବୀ ଓ ଶିକ୍ଷାବିତ୍‌ ମହଲରେ ଆଲୋଡନ ସୃଷ୍ଟି କରିଛି। ତେବେ ଉପରୋକ୍ତ ସମସ୍ୟାକୁ ପ୍ରଶାସନ ପକ୍ଷରୁ ତୁରନ୍ତ ଦୃଷ୍ଟି ଦିଆ ନ ଗଲେ ଆନ୍ଦୋଳନ ପାଇଁ ଅଣ୍ଟା ଭିଡୁଥିବା ଖବର ମିଳିଛି।