ଡିସେମ୍ବରରେ ୭୫ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ ଅଫିସ

ଭୁବନେଶ୍ୱର,୨୮ା୧୧(ବ୍ୟୁରୋ)- କୋଭିଡ୍‌-୧୯ ମହାମାରୀକୁ ଦୃଷ୍ଟିରେ ରଖି ଅତ୍ୟାବଶ୍ୟକ ସେବା ଯୋଗାଉଥିବା ଅଫିସଗୁଡିକୁ ବାଦ ଦେଇ ସମସ୍ତ ସରକାରୀ କାର୍ଯ୍ୟାଳୟ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲୁଛି। କର୍ମଚାରୀମାନେ ରୋଷ୍ଟର ଡ୍ୟୁଟି କରୁଛନ୍ତି। ତେବେ ଆସନ୍ତା ଡିସେମ୍ବର ପହିଲାରୁ କଟକ ଓ ଭୁବନେଶ୍ୱରରେ ଥିବା ସମସ୍ତ ସରକାରୀ କାର୍ଯ୍ୟାଳୟ ୭୫ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ। ଏ ନେଇ ଶନିବାର ଯୋଜନା ଓ ସଂଯୋଜନା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ତେବେ କେଉଁ କର୍ମଚାରୀ କେଉଁଦିନ ଡ୍ୟୁଟି କରିବେ ତାହା ବିଭାଗ କିମ୍ବା ବିଭାଗୀୟ ମୁଖ୍ୟଦପ୍ତର ସ୍ଥିର କରିବ। ଏଥିସହିତ ଜରୁରୀ ସେବା ଯୋଗାଉଥିବା ସରକାରୀ କାର୍ଯ୍ୟାଳୟଗୁଡିକ ୧୦୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ। ଡିସେମ୍ବର ମାସ ପାଇଁ ଅଫିସ ପରିଚାଳନା ନେଇ ମଧ୍ୟ ଗାଇଡ୍‌ଲାଇନ ଜାରି କରାଯାଇଛି। ସ୍ବାସ୍ଥ୍ୟ ବିଭାଗ ସମେତ ପୋଲିସ, ଅଗ୍ନିଶମ, ସ୍ବତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ, ପୌର ସଂସ୍ଥାଗୁଡିକର ସମସ୍ତ କର୍ମଚାରୀ କାର୍ଯ୍ୟ କରିବାକୁ କୁହାଯାଇଛି। ବିଧାନସଭା ଅଧିବେଶନ ସହ ଜଡିତ ବିଭାଗଗୁଡିକର ଅଧିକାରୀ କାର୍ଯ୍ୟାଳୟକୁ ଆସିବାକୁ କୁହାଯାଇଛି।

Share