ଭୁବନେଶ୍ୱର,୭ା୧(ବ୍ୟୁରୋ): ରାଜ୍ୟରେ କୋଭିଡ୍ ମହାମାରୀର ପ୍ରକୋପ ପୁଣି ବୃଦ୍ଧି ପାଇଛି। କୋଭିଡ୍ର ନୂଆ ଭାରିିଆଣ୍ଟ ଓମିକ୍ରନ୍ ଯୋଗୁ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଜାନୁୟାରୀ ମାସ ପାଇଁ କଟକଣାକୁ କଡ଼ାକଡ଼ି କରିଛନ୍ତି। ଶୁକ୍ରବାରଠାରୁ ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ଅଧସ୍ତନ କାର୍ଯ୍ୟାଳୟ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ। ଏ ନେଇ ଗୁରୁବାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଅଣ୍ଡର ସେକ୍ରେଟାରିଙ୍କଠାରୁ ଆରମ୍ଭ କରି ଉପରିସ୍ଥ ଅଧିକାରୀମାନେ ପ୍ରତ୍ୟେକ ଦିନ କାର୍ଯ୍ୟାଳୟକୁ ଆସିବେ। ମାତ୍ର କର୍ମଚାରୀମାନେ ରୋଟେଶନ ପଦ୍ଧତିରେ କାର୍ଯ୍ୟରେ ଯୋଗଦେବେ। ଯେଉଁ କର୍ମଚାରୀମାନେ ଘରେ ରହିବେ ସେମାନେ ଅନ୍ଲାଇନ ଜରିଆରେ ବକେୟା କାର୍ଯ୍ୟ ସମ୍ପାଦନ କରିବେ। ସେମାନେ ଫୋନ୍ରେ ଉପଲବ୍ଧ ରହିବା ସହ ମୁଖ୍ୟାଳୟ ଛାଡ଼ି ବାହାରକୁ ଯାଇପାରିବେ ନାହିଁ। ଜରୁରୀ କାର୍ଯ୍ୟରେ ଡକରା ହେଲେ ତୁରନ୍ତ କାର୍ଯ୍ୟରେ ଯୋଗ ଦେବେ। କାର୍ଯ୍ୟାଳୟଗୁଡ଼ିକରେ କୋଭିଡ୍ ନିୟମକୁ କଡ଼ାକଡ଼ି ପାଳନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ମାତ୍ର ନିଯୁକ୍ତି କାର୍ଯ୍ୟରେ ନିୟୋଜିତ ଥିବା କାର୍ଯ୍ୟାଳୟ ଯଥା ଓଡ଼ିଶା ପବ୍ଲିକ ସର୍ଭିସ କମିଶନ, ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ, ଓଡ଼ିଶା ସବ୍ଅର୍ଡିନେଟ ଷ୍ଟାଫ୍ ସିଲେକ୍ସନ କମିଶନରେ ୭୫ ପ୍ରତିଶତ କର୍ମଚାରୀରେ ଅଫିସ କାର୍ଯ୍ୟ ଚାଲିବ। ତେବେ ଜରୁରିକାଳୀନ ସେବା ଯୋଗାଉଥିବା କାର୍ଯ୍ୟାଳୟ ଏସ୍ଆରସି, ଓସ୍ଡମା, ଅଗ୍ନିଶମ, ସ୍ବାସ୍ଥ୍ୟ, ମ୍ୟୁନିସିପାଲିଟି, ରାଜ୍ୟ ନିର୍ବାଚନ କମିଶନ ଇତ୍ୟାଦିକୁ ଏହି କଟକଣାରୁ ବାଦ୍ ଦିଆଯାଇଛି। ସେହିସବୁ କାର୍ଯ୍ୟାଳୟରେ ସମସ୍ତ କର୍ମଚାରୀ କାର୍ଯ୍ୟରେ ଯୋଗ ଦେବେ।