କେସିଙ୍ଗା,୨୭।୯(ଡି.ଏନ.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ୍ ଶିରୋଲ ଗାଁରେ ଗତ ୭ ଦିନ ହେଲା ଛାଡାବାନ୍ତି ଲାଗିରହିଛି। ଦୂଷିତ ପାନୀୟ ଜଳ ପିଇ ଲୋକେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେଉଛନ୍ତି। ଏହି ଖବର ଧରିତ୍ରୀରେ ପ୍ରକାଶ ପାଇବା ପରେ ପ୍ରଶାସନ ପକ୍ଷରୁ ତତ୍ପରତା ଦେଖାଦେଇଛି। ମଙ୍ଗଳବାର ଗ୍ରାମ୍ୟଜଳ ଯୋଗାଣ ଓ ପରିମଳ ବିଭାଗର ଏସ୍ଡିଓ ରାଜେଶ କୁମାର ଗଡ଼ତିଆ, ଯନ୍ତ୍ରୀ ଧର୍ମେନ୍ଦ୍ର କୁମାର ସେଠୀ ଶିରୋଲ ଗାଁରେ ପହଞ୍ଚି ପାନୀୟ ଜଳର ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏପରିକି ଯୁଦ୍ଧକାଳୀନ ଭିର୍ତ୍ତିରେ ପାଇପ୍ଲାଇନ ମରାମତି କରାଯାଇଛି। ହେଲେ ଆଜି ଦିନକ ପାଇଁ ଜଳଯୋଗାଣ ବନ୍ଦରହିବ। କାରଣ ପାଇପ୍ଲାଇନ କେତେକ ସ୍ଥାନରେ ଫାଟି ଯାଇଛି। ସେସବୁକୁ ମରାମତି କରାଯାଉଛି। ଅନ୍ୟପକ୍ଷେ, ବିଭାଗୀୟ ପକ୍ଷରୁ ୪୫ଟି ନଳକୂପରେ ବ୍ଲିଚିଂ ପାଉଡର ପକାଯାଇଛି। କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିବା ରୋଗୀ ସୁସ୍ଥ ହେଉଥିବା ମେଡ଼ିକାଲ ଅଫିସର ଡ଼. ସୁବାଷ ଚନ୍ଦ୍ର ବେହେରା ପ୍ରକାଶ କରିଛନ୍ତି।