ବିଷ ଝଡ଼ାଇବା ପାଇଁ ଏସିଡ୍‌ ବୋଳି ଚିକିତ୍ସା ଘଟଣା: ନିଜ ଆଡୁ ମାମଲା ରୁଜୁ କଲେ ଓଏଚ୍‌ଆର୍‌ସି

ଭୁବନେଶ୍ୱର,୨୧।୮(ବ୍ୟୁରୋ): ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ଅନ୍ତର୍ଗତ ମୃଦଙ୍ଗପଲ୍ଲୀ ଅଞ୍ଚଳରେ ସାପ କାମୁଡ଼ା ରୋଗୀଙ୍କୁ ଏସିଡ୍‌ ବୋଳି ଚିକିତ୍ସା ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ଓଡ଼ିଶା ରାଜ୍ୟ ମାନବିକ ଅଧିକାର କମିଶନ (ଓଏଚ୍‌ଆର୍‌ସି)। ଏନେଇ ଖବର ପ୍ରକାଶ ପାଇବା ପରେ କମିଶନ ନିଜ ଆଡୁ ମାମଲା ରୁଜୁ କରିଛନ୍ତି। ଏଥିସହ ଢେଙ୍କାନାଳ ଜିଲାପାଳ ଓ ଏସ୍‌ପିଙ୍କୁ ନୋଟିସ ଜାରି କରିଛନ୍ତି। ୧୫ଦିନ ମଧ୍ୟରେ ତଦନ୍ତ କରି ପୃଥକ ରିପୋର୍ଟ ଦେବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି।
ମୃଦଙ୍ଗପଲ୍ଲୀ ଗ୍ରାମର ସରିତା ମହାପାତ୍ର ନାମକ ଜଣେ ୨୫ ବର୍ଷୀୟ ଯୁବତୀଙ୍କ ଗୋଡ଼ ଆଙ୍ଗୁଠିରେ ଗତ ୧୭ ତାରିଖରେ କୌଣସି ଏକ ବିଷାକ୍ତ ଜୀବ କାମୁଡ଼ି ଦେଇଥିଲା। ସାପ କାମୁଡ଼ି ଦେଇଥିବା ସନ୍ଦେହ କରି ସେ ନିକଟରେ ରହୁଥିବା ଜଣେ ଗୁଣିଆ (ତଥାକଥିତ କ୍ୱାକ୍‌)ଙ୍କ ନିକଟକୁ ଯାଇଥିଲେ। ଗୁଣିଆ ଜଣକ ବିଷ ଝଡ଼ାଇବା ପାଇଁ ଏସିଡ଼ ବୋଳି ଚିକିତ୍ସା କରିଥିଲେ। ଫଳରେ ଗୋଡ଼ ସାରା ଫୋଟକା ହେବା ସହ ଗଭୀର କ୍ଷତ ହେବାରୁ ସରିତା ବହୁଦିନ ଧରି ଯନ୍ତ୍ରଣାରେ ଛଟପଟ ହୋଇଥିଲେ। ଉକ୍ତ ଗ୍ରାମର ଶୁଭଶ୍ରୀ ମହାପାତ୍ର (୪୫)ଙ୍କ ଗୋଡରେ ୧୫ଦିନ ତଳେ ଏକ କଙ୍କଡ଼ା ବିଛା କାମୁଡ଼ି ଦେଇଥିଲା। ଶୁଭଶ୍ରୀ ଉକ୍ତ ଗୁଣିଆଙ୍କ ନିକଟକୁ ଯିବା ପରେ ସେ କାମୁଡ଼ା ସ୍ଥାନ ସହ ମୁଣ୍ଡ ଓ ଶରୀରର ଅନ୍ୟ କେତେକ ସ୍ଥାନରେ ଏସିଡ୍‌ ବୋଳି ଦେଇଥିଲେ। ତାଙ୍କ ଦେହସାରା ଫୋଟକା ଓ ଘା ହୋଇଯାଇଥିଲା। ଡାକ୍ତରଖାନା ଯାଇ ଚିକିତ୍ସା ପରେ ସେ ସୁସ୍ଥ ହୋଇଥିଲେ। ସେହିପରି ନିରଞ୍ଜନ ବେହେରା (୩୦)ଙ୍କ ମୁଣ୍ଡ ଉପରକୁ ଏକ ସାପ ଖସିପଡ଼ିଥିଲା। ସେ ସାପଟିକୁ ଫୋପାଡ଼ି ଦେଇଥିଲେ। ସାପ କାମୁଡ଼ି ଦେଇଥିବା ଭାବି ସେ ଉକ୍ତ ଗୁଣିଆଙ୍କ ପାଖକୁ ଯିବାରୁ ସେ ଏସିଡ୍‌ ଚିକିତ୍ସା କରିଥିଲେ। ନିରଞ୍ଜନ ବହୁଦିନ ଧରି କଷ୍ଟ ପାଇଥିଲେ। ଏବେ ତାଙ୍କ ଶରୀର କଳା ପଡ଼ିଯିବା ସହ କଦାକାର ହୋଇଯାଇଛି। ଚିକିତ୍ସା ସମୟରେ ଗୁଣିଆ ଜଣକ ତରଳ ଔଷଧ ବୋଲି କହିଥାନ୍ତି। ହେଲେ ଏଥିଯୋଗୁ ଫୋଟକ ଓ ଘା’ ହୋଇଯାଉଥିବାରୁ ସ୍ଥାନୀୟ ଅଞ୍ଚଳର କେତେଜଣ ଶିକ୍ଷିତ ଲୋକ ସନ୍ଦେହ କରିଥିଲେ। ସୂଚନା ପାଇବା ପରେ ସ୍ନେକ୍‌ ହେଲ୍ପ ଲାଇନ୍‌ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ନିଜ ଟିମ୍‌ ସହ ସେଠାକୁ ଯାଇ ଉକ୍ତ ବିପଦପୂର୍ଣ୍ଣ ଚିକିତ୍ସା ସମ୍ପର୍କରେ ତଥ୍ୟ ସଂଗ୍ରହ କରି ବୁଧବାର ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କରିଥିଲେ। ଏଥିସହିତ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି, ଢେଙ୍କାନାଳ ଏସ୍‌ପି ଓ ସିଡିଏମ୍‌ଓଙ୍କୁ ଜଣାଇ ଏକ ସ୍ବତନ୍ତ୍ର ମେଡିକାଲ ଟିମ୍‌ ଦ୍ୱାରା ତଦନ୍ତ କରିବାକୁ ଅନୁରୋଧ କରିଥିଲେ। ଏ ନେଇ ‘ଧରିତ୍ରୀ’ରେ ଖବର ପ୍ରକାଶ ପାଇଥିଲା।

 

Share