ଆଉ ୫ ସହରରେ ଓଜେଇଇ ପରୀକ୍ଷା କେନ୍ଦ୍ର: ଆବେଦନ ଦାଖଲ ତାରିଖ ୩୧କୁ ବୃଦ୍ଧି

ଭୁବନେଶ୍ୱର,୨୬।୭(ବ୍ୟୁରୋ): ରାଜ୍ୟରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) କର୍ତ୍ତୃପକ୍ଷ ଆଉ ୫ଟି ସହରରେ ଅନ୍‌ଲାଇନ୍‌ ପରୀକ୍ଷା କେନ୍ଦ୍ର ବୃଦ୍ଧି କରିଛନ୍ତି। ସେହି ସହରଗୁଡ଼ିକ ହେଲା ଅନୁଗୋଳ, ବାରିପଦା, ବରଗଡ଼, ଜୟପୁର ଓ କେନ୍ଦୁଝର। ଏ ନେଇ ଶନିବାର ବିଜ୍ଞପ୍ତି ପ୍ରକାଶ ପାଇଥିବାବେଳେ ଆବେଦନ ପ୍ରକ୍ରିୟାରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ଆବେଦନ ଦାଖଲର ଶେଷ ତାରିଖ ୩୧କୁ ବୃଦ୍ଧି କରାଯାଇଛି। ଯେଉଁମାନେ ଆବେଦନ ପ୍ରକ୍ରିୟା ସମାପ୍ତ କରିସାରିଛନ୍ତି, ସେମାନେ ଆସନ୍ତା ଏହି ସମୟ ମଧ୍ୟରେ ପସନ୍ଦ ମୁତାବକ ପରୀକ୍ଷା କେନ୍ଦ୍ରଗୁଡ଼ିକର ଚୟନକୁ ପରିବର୍ତ୍ତନ କରିପାରିବେ। ପରୀକ୍ଷା ତାରିଖ ଏବଂ ଆଡ୍‌ମିଟ୍‌ କାର୍ଡ ଡାଉନଲୋଡ୍‌ କରିବାର ତାରିଖ ସମ୍ବନ୍ଧରେ ବିସ୍ତୃତ କାର୍ଯ୍ୟସୂଚୀ ପରେ ସୂଚିତ କରାଯିବ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି। ତେବେ ପୂର୍ବରୁ ଓଜେଇଇ କର୍ତ୍ତୃପକ୍ଷ ପ୍ରବେଶିକା ପରୀକ୍ଷା ପାଇଁ ଅନ୍‌ଲାଇନ୍‌ ଆବେଦନ ଦାଖଲର ଶେଷ ତାରିଖକୁ ଜୁଲାଇ ୨୫କୁ ବୃଦ୍ଧି କରିଥିଲେ। ସେହିଭଳି ଦେୟ ଦେବାର ଶେଷ ତାରିଖ ଅଗଷ୍ଟ ୫କୁ ବୃଦ୍ଧି କରାଯାଇଛି।

 

Share