ପୁରୁଖା କଂଗ୍ରେସ ପ୍ରାର୍ଥୀଙ୍କୁ ଟକ୍କର ଦେବେ ଦୁଇ ନୂଆ ମୁହଁ

ଉମରକୋଟ,୩୦ା୧(ସ୍ବ.ପ୍ର.) ନବରଙ୍ଗପୁର ଜିଲା ଉମରକୋଟ ବ୍ଲକର ଜୋନ୍‌ ୧ ଜିଲା ପରିଷଦ ଆସନରେ ବିଜେଡି, ଭାଜପା ଓ କଂଗ୍ରେସ ମଧ୍ୟରେ ତ୍ରିମୁଖୀ ଲଢ଼େଇ ସମ୍ଭାବନା ରହିଛି। ଏହି ଜୋନ୍‌ ୮ ପଞ୍ଚାୟତ ବୋକଦା, ବେହେଡା, ସୁକିଗାଁ, ଭାମିନି, ହୀରାପୁର, ଜାମରୁଣ୍ଡା, ମୃତମା ଓ କୋପନାକୁ ନେଇ ଗଠିତ। ୮ ପଞ୍ଚାୟତ ମଧ୍ୟରୁ ୫ ଟି ଉମରକୋଟ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧୀନରେ ଆସୁଥିବାବେଳେ ଝରିଗାଁ ବିଧାନସଭା ନିର୍ବାଚନ ମଣ୍ଡଳୀରେ ୩ ପଞ୍ଚାୟତ ରହିଛି।
ଗତ ନିର୍ବାଚନରେ ଏଠାରେ ଏହି ଆସନ ସାଧାରଣ ବର୍ଗର ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଥିଲା। ବିଜେଡିର ବେବିନା ଧଳ ବିଜୟୀ ହେଇଥିଲେ। ଏଠାରେ ପ୍ରାୟ ୩୪୨୩୮ ଭୋଟର ଅଛନ୍ତି। ସେଥିମଧ୍ୟରୁ ୭ ବଙ୍ଗୀୟ ଗ୍ରାମ ରହିଛି। ଗତ ନିର୍ବାଚନରେ ଏହି ବଙ୍ଗୀୟ ଗ୍ରାମରୁ ଭାଜପା ଓ କଂଗ୍ରେସ ବିପୁଳ ଭୋଟ ପାଇଥିଲେ। ଚଳିତ ନିର୍ବାଚନରେ ଏହି ଆସନଟି ଅନୁସୂଚିତ ଜାତିଙ୍କ ପାଇଁ ରହିଛି ଏବଂ ଭାଜପା, ବିଜେଡି ଦୁଇ ଦଳର ପ୍ରାର୍ଥୀ ବଙ୍ଗୀୟ ରହିଛନ୍ତି। ତେଣୁ ବଙ୍ଗୀୟ ଭୋଟ ବିଭାଜନ ଆଶଙ୍କା କରାଯାଉଛି। ଏଥିରେ କେଉଁ ଦଳର ପ୍ରାର୍ଥୀ ଅଡ଼ୁଆରେ ପଡ଼ିବେ ତାହା ସମୟ କହିବ। ରାଜନୀତିରେ ପୁରୁଖା ଖେଳାଳି କୁହାଯାଉଥିବା ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ସ୍ବାଧୀନତା ସଂଗ୍ରାମୀ ପରିବାରର କପୁର ଚାନ୍ଦ ନାୟକ। ସେ ଏଥର କଂଗେସ ପକ୍ଷରୁ ନିର୍ବାଚନ ଲଢ଼ୁଛନ୍ତି। କପୁରଙ୍କ ସହ ଭାଜପାର ନୂଆଁ ମୁହଁ ବିଶ୍ୱନାଥ ବିଶ୍ୱାସ ଓ ବିଜେଡିର ଚନ୍ଦନ ରାୟଙ୍କ ମୁକାବିଲା ହେବ। ଭୋଟରଙ୍କ ମନକୁ ବିଚାରକୁ ନେଲେ ଏଠାରେ ତ୍ରିମୁଖୀ ଲଢ଼େଇ ଅନୁମାନ କରାଯାଉଛି।
ଅପରପକ୍ଷେ ରାଜ୍ୟ ସରକାରଙ୍କ ଉନ୍ନତି ମୂଳକ ଯୋଜନାକୁ ନେଇ ବିଜେଡି ପ୍ରଚାର ଚଳାଇଛି। ଭାଜପା ରାଜ୍ୟ ସରକାରଙ୍କ ବିଭିନ୍ନ ଦୁର୍ନୀତି ନେଇ ଲୋକଙ୍କ ପାଖକୁ ଯାଉଛନ୍ତି। କିନ୍ତୁ କଂଗ୍ରେସ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଦୁର୍ନୀତିକୁ ନେଇ ପ୍ରଚାର ଚଳାଇଛି। ସେହିପରି ବଙ୍ଗୀୟ ଗ୍ରାମରେ ଏଥର ବିଜେଡି ନେତାଙ୍କ ଘନ ଘନ ସଭା ଓ ଗ୍ରାମର କିଛି ସମସ୍ୟା ସମାଧାନ କରିବାରେ ସଫଳ ହେଇଥିବାରୁ ଏଥର ନିର୍ବାଚନରେ ବିଜେଡି ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖିଛି। କିନ୍ତୁ କଂଗ୍ରେସର କପୁର ଚାନ୍ଦ ନାୟକଙ୍କ ପ୍ରଚାର ଓ ଲୋକଙ୍କ ସହ ଦୀର୍ଘ ବର୍ଷର ସମ୍ପର୍କ ଅନ୍ୟ ଦଳର ୨ ନୂଆ ପ୍ରାର୍ଥୀଙ୍କୁ ଅଡ଼ୁଆରେ ପକାଇବ ବୋଲି ଅନୁମାନ କରାଯାଉଛି।