ଢେଙ୍କାନାଳ ଅଫିସ, ୨୧।।୬(ରତନ ନାୟାର): ରଥାରୂଢ଼ ମହାପ୍ରଭୁଙ୍କ ଦର୍ଶନ ପାଇଁ ଧାଇଁ ଆସିଥିଲେ ଗଁାରୁ ସହରକୁ। ଚକାନୟନକୁ ଦେଖୁ ଦେଖୁ ଉଡ଼ିଗଲା ଜୀବନ। ପବିତ୍ର ଘୋଷଯାତ୍ରାରେ ଏଭଳି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ରଥଗଡ଼ାରେ। ମୃତକ ହେଲେ ୧୫ନଂ. ଓ୍ବାର୍ଡ ଅଧୀନ ମୁକ୍ତାଦେଈପୁର ଶାସନର ବୃଦ୍ଧ ନିରୋଦ କୁମାର ରଥ (୭୧)।
ଢେଙ୍କାନାଳର ପ୍ରସିଦ୍ଧ ରଥଯାତ୍ରାରେ ଠାକୁରଙ୍କ ଦର୍ଶନ କରିବା ଏବଂ ରଥ ଟାଣିବା ପାଇଁ ମଙ୍ଗଳବାର ନିରୋଦ ଶ୍ରୀ ସିଦ୍ଧବଳରାମ ଜୀଉଙ୍କ ମନ୍ଦିରକୁ ଆସିଥିଲେ। ଅପରାହ୍ନ ୪ଟାରେ ରଥଟଣା ଆରମ୍ଭ ହେବା ବେଳକୁ ସେ ହଠାତ୍ ଚେତାଶୂନ୍ୟ ହୋଇ ତଳେ ପଡ଼ିଯାଇଥିଲେ। ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ। ଅଂଶୁଘାତର ଶିକାର ହୋଇ ନିରୋଦଙ୍କ ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି। ସୂଚନାଯୋଗ୍ୟ, ନିରୋଦ ହେଉଛନ୍ତି ୧୫ନଂ. ଓ୍ବାର୍ଡର ପୂର୍ବତନ କାଉନ୍ସିଲର ବିଷ୍ଣୁପ୍ରିୟା ରଥଙ୍କ ସ୍ବାମୀ। ସେ ଦୀର୍ଘଦିନ ଧରି ତହସିଲ କାର୍ଯ୍ୟାଳୟରେ ନବସନ୍ଦା କାର୍ଯ୍ୟ କରି ସୁପରିଚିତ ଥିଲେ।