ବଡ଼ଗାଁ,୨୯।୧୦(ଡି.ଏନ୍.ଏ.) ସୁନ୍ଦରଗଡ଼ ଜିଲା ବଡ଼ଗାଁ ଥାନା ଅଧୀନ ଛାମୁଣ୍ଡା ଗ୍ରାମର ବାର୍ହା ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଛାମୁଣ୍ଡା ଗ୍ରାମର ବିଶେଶ୍ୱର ନାଏକ(୬୫)।
ଶନିବାର ସକାଳ ପ୍ରାୟ ସାଢ଼େ ୬ଟାରେ ବିଶେଶ୍ୱର ବିଲକୁ ଶୌଚ ହେବା ପାଇଁ ଯାଇଥିଲେ। ହେଲେ ବିଲ ମଝିରେ କିଛି ଶବ୍ଦ ହେଉଥିବା ଶୁଣି ପାଖକୁ ଗଲା ବେଳେ ବାର୍ହା ହାବୁଡ଼ରେ ପଡିଯାଇଥିଲେ। ଫଳରେ ତାଙ୍କର ଗୋଡ଼ ଏବଂ ମୁହଁରେ ଗଭୀର ଆଘାତ ଲାଗିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବଡ଼ଗାଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ସୁନ୍ଦରଗଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି।
ଅନ୍ୟପକ୍ଷେ ବାର୍ହା ଶିକାର ପାଇଁ ଲଗାଯାଇଥିବା ଫାଶ ଖୋଲୁଥିବା ବେଳେ ଏଭଳି ଅଘଟଣ ଘଟିଥିବା କୁହାଯାଉଛି। ଖବର ପାଇ ବଡ଼ଗାଁ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।