ପ୍ରେମରେ ଫସାଇ ମହିଳାଙ୍କୁ ଘରେ ଆଣି ରଖିଥିଲେ ବୃଦ୍ଧ, ପିଟିପିଟି କଲେ ହତ୍ୟା

କୁଆଁରମୁଣ୍ଡା,୨ା୩(ମହେନ୍ଦ୍ର କୁମାର ସାହୁ): ସ୍ତ୍ରୀଙ୍କ ମୃତ୍ୟୁ ପରେ ଅନ୍ୟ ଜଣେ ବିଧବା ମହିଳାଙ୍କୁ ଭଲ ପାଇ ଗତ ୧ ବର୍ଷ ହେଲା ନିଜ ଘରେ ରଖି ଆସୁଥିବା ଜଣେ ବ୍ୟକ୍ତି ଠେଙ୍ଗାରେ ପିଟି ପିଟି ମାରିଦେଇଛନ୍ତି। ଏହି ଘଟଣା ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା ଅନ୍ତର୍ଗତ ଜଳଙ୍ଗବିରା ଗ୍ରାମର ଗନ୍ଦୁରାଟୋଲିରେ ଘଟିଥିବା ବେଳେ ଶନିବାର ସକାଳୁ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ଅଭିଯୁକ୍ତ ସାମୁଏଲ(୬୦)ଙ୍କୁ ପୋଲିସ ଗିରଫ କରିବା ସହ ଘଟଣା ସମ୍ପର୍କରେ ଅଧିକ ପଚରାଉଚରା ଚଳାଇଛି। ଏ ନେଇ ବୀରମିତ୍ରପୁର ଥାନାରେ କେସ୍‌ ନଂ ୯୮/୨୪ରେ ଏକ ମାମଲା ରୁଜୁ କରାଯାଇଛି ବୋଲି ବୀରମିତ୍ରପୁର ଆଇଆଇସି ବନ୍ଦନା ପାତ୍ର ସୂଚନା ଦେଇଛନ୍ତି। ମୃତ ମହିଳା ହେଉଛନ୍ତି ଫୁଲମଣି ସଏ(୫୫)। ଏହାସହ ଅଭିଯୁକ୍ତ ସାମୁଏଲଙ୍କୁ ଶନିବାର କୋର୍ଟ ଚାଲାଣ କରାଯିବ ବୋଲି ଆଇଆଇସି ପାତ୍ର ସୂଚନା ଦେଇଛନ୍ତି। ରାଉରକେଲାରୁ ସାଇଣ୍ଟିଫିକ୍‌ ଟିମ୍‌ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ହତ୍ୟାରେ ବ୍ୟବହୃତ ଠେଙ୍ଗାକୁ ଜବତ କରି ଘଟଣାର ଯାଞ୍ଚ ଚଳାଇଛି।


ଆଇଆଇସି ପାତ୍ରଙ୍କ ସୂଚନାନୁଯାୟୀ, ମୃତ ଫୁଲମଣିଙ୍କ ଘର ବିଶ୍ରା ଥାନା ଅଞ୍ଚଳରେ ହୋଇଥିବା ବେଳେ ସେ ପୂର୍ବରୁ କୁମଝରିଆ ପଞ୍ଚାୟତର ଲାସେରେ ବିବାହ କରିଥିଲେ। ପ୍ରଥମ ସ୍ବାମୀଙ୍କ ମୃତ୍ୟୁ ଓ କୌଣସି ସନ୍ତାନ ନ ଥିବା ଜାଣି ଫୁଲମଣିଙ୍କୁ ସାମୁଏଲ ପ୍ରେମରେ ଫସାଇ ଗତ ୧ ବର୍ଷ ହେଲା ନିଜ ଘରେ ରଖିଥିଲେ। ସାମୁଏଲଙ୍କର ଜଣେ ବିବାହିତ ଝିଅ ଥିବା ବେଳେ ତାଙ୍କର ସ୍ତ୍ରୀଙ୍କର କିଛି ବର୍ଷ ତଳେ ମୃତ୍ୟୁ ହୋଇଯାଇଥିବା ବେଳେ ଏବେ ସେ ଫୁଲମଣିଙ୍କୁ ନିଜ ପାଖରେ ରଖିଥିଲେ। ହେଲେ ଫୁଲମଣିଙ୍କୁ ପିଟି ମାରିବା ପଛରେ କୌଣସି ସ୍ପଷ୍ଟ ସୂଚନା ମିଳି ନ ଥିବା ବେଳେ ଗତ କିଛି ଦିନ ହେଲା ଉଭୟଙ୍କ ମଧ୍ୟରେ ପ୍ରାୟ ବଚସା ହେଉଥିଲା। ୩ ଦିନ ତଳେ ଫୁଲମଣି ମୃତ ପୂର୍ବ ସ୍ବାମୀଙ୍କ ଘରକୁ ପଳାଇ ଆସିଥିଲେ। ଏହା ଜାଣି ସାମୁଏଲ ତାଙ୍କୁ ସେଠାରୁ ପୁଣି ବୁଝାଇ ନିଜ ଘରକୁ ନେଇଥିଲେ। ହେଲେ ଶୁକ୍ରବାର ରାତିରେ ଉଭୟଙ୍କ ମଧ୍ୟରେ ବଚସା ହେଉଥିବା ସ୍ଥାନୀୟ ବାସିନ୍ଦାଙ୍କ ଠାରୁ ଜଣାପଡ଼ିଛି।

Share