ମାଟିରେ ମିଶିବ ପୁରୁଣା ସ୍ବତନ୍ତ୍ର ସର୍କିଟ ହାଉସ

ପାରାଦୀପ,୭।୭ (ଶରତ ରାଉତ): ପାରାଦୀପର ବେଳାଭୂମି ରାସ୍ତା କଡରେ ଥିବା ପୁରୁଣା ସ୍ବତନ୍ତ୍ର ସର୍କିଟ ହାଉସ ଏବେ ଭଙ୍ଗା ଚାଲିଛି। ଆଉ କିଛି ଦିନ ମଧ୍ୟରେ ତାହା ସମ୍ପୂର୍ଣ୍ଣ ମାଟିରେ ମିଶିଯିବ। ସେହି ପୁରୁଣା ସର୍କିଟ ହାଉସ ସୀମା ମଧ୍ୟରେ ଆଉ ଏକ ନୂଆ ସର୍କିଟ ହାଉସ ନିର୍ମାଣ ସରିଛି। ଉକ୍ତ ପୁରୁଣା ଘର ୧୯୮୪ରେ ନିର୍ମିତ ହୋଇଥିଲା। ସେତେବେଳେ ଏହି ସର୍କିଟ ହାଉସ ଭିତରେ ଅତିଥିମାନଙ୍କ ରହିବା ପାଇଁ ୧୦ଟି ବିଳାସପୂର୍ଣ୍ଣ କକ୍ଷ, ବୈଠକ ଘର, ରୋଷେଇ ଘର, ଅଫିସ, ଷ୍ଟାଫଙ୍କ ରହିବା ପାଇଁ ଅଲଗା କ୍ୱାର୍ଟର, ଗାଡ଼ି ରହିବା ପାଇଁ ଗ୍ୟାରେଜ ଆଦି ଥିଲା। ମାତ୍ର ୩୫ ଟଙ୍କାରେ ସ୍ବତନ୍ତ୍ର ଅତିଥିମାନେ ଏଠାରେ ରହୁଥିଲେ। ପରିଚାଳନା ପାଇଁ ୧୦ରୁ ଅଧିକ କର୍ମଚାରୀ ଥିଲେ। ସମୟାନୁସାରେ କର୍ମଚାରୀ ହ୍ରାସ ପାଇବା ସହ ଘର ଭଗ୍ନ ଅବସ୍ଥାରେ ପହଞ୍ଚତ୍ୟାଇଛି। ଗତ ୫ ବର୍ଷ ମଧ୍ୟରେ ଏଠାରେ ପ୍ରାୟ ୧୫ ଲକ୍ଷ ଟଙ୍କାରୁ ଅଧିକ କେବଳ ମରାମତି ବାବଦରେ ଖର୍ଚ୍ଚ ହୋଇଛି ବୋଲି ଜନସୂଚନା ତଥ୍ୟରୁ ଜଣାପଡିଛି। ଏହା ମଧ୍ୟ ଉକ୍ତ ପୁରୁଣା ସର୍କିଟ ହାଉସକୁ ପ୍ରଶାସନ ପକ୍ଷରୁ ଭଙ୍ଗା ଯାଉଛି। ଏବେ ଯେଉଁ ନୂଆ ସର୍କିଟ ହାଉସ ହୋଇଛି ସେଥିରେ ମାତ୍ର ଅତିଥି ରହିବା ପାଇଁ ୪ ଟି କକ୍ଷ ରହିଛି। ଜଣେ ମାତ୍ର ଚତୁର୍ଥ ଶ୍ରେଣୀ କର୍ମଚାରୀ ଏହାକୁ ପରିଚାଳନା କରୁଛନ୍ତି। ଅତିଥି ରହଣି ଭଡ଼ା ଗୋଟିଏ ଦିନ ପାଇଁ ୫୦୦ ଟଙ୍କାରୁ ଅଧିକ ରହିଛି। ସେହି ସର୍କିଟ ହାଉସ ପରିସରରେ କିଛି ସରକାରୀ ଗାଡ଼ି ଖତ ଖାଉଥିବା ଦେଖିବାକୁ ମିଳିଛି। ଅପରପକ୍ଷେ ପାରାଦୀପର ସ୍ବତନ୍ତ୍ର ପ୍ରତୀକ ଥିବା ସର୍କିଟ ହାଉସ ପାଖରେ ଏବେ ନୂଆକରି ପୋର୍ଟସାଇଡ କାଫେ ସେଣ୍ଟର ଖୋଲିଛି।