ପୁରୁଣା ଚାକୁଣ୍ଡା ଗଛ ପାଲଟିଛି ମୂକସାକ୍ଷୀ

ମହାକାଳପଡ଼ା,୮ା୧(ପ୍ରତାପ ଚନ୍ଦ୍ର ସ୍ବାଇଁ): ମହାକାଳପଡ଼ା ବ୍ଲକ ରାମନଗରଠାରେ ମା’ ରାମଚଣ୍ଡୀଙ୍କ ମନ୍ଦିର ପରିସରରେ ରହିଥିବା ପୁରୁଣା ଚାକୁଣ୍ଡା ଗଛ ମୂକସାକ୍ଷୀ ଭାବେ ଠିଆ ହୋଇଛି। ଇତିମଧ୍ୟରେ ଏହି ଗଛ ଅନେକ ବିପର୍ଯ୍ୟୟକୁ ସାମ୍ନା କରିଛି। ଭାଙ୍ଗି ଯାଇଛି ଶାଖା ପ୍ରଶାଖା, ତଥାପି ହାର ମାନିନି। ଅତୀତର କାହାଣୀ ଓ କିମ୍ବଦନ୍ତୀକୁ ଜାବୁଡ଼ି ଧରି ଅନେକ ଘଟଣା ଦେଖିଛି। ବହୁ ପୁରାତନ ଗଛଟିର ସୁରକ୍ଷା ଦେବା ପାଇଁ ମା’ ରାମଚଣ୍ଡୀ ସେନା ଆବାହକ ଲକ୍ଷ୍ମୀକାନ୍ତ ସ୍ବାଇଁ, ସାମାଜିକ କର୍ମୀ ବିରଞ୍ଚତ୍ ନାରାୟଣ ଦାସ ପ୍ରମୁଖ କହିଛନ୍ତି।
ଦିନ ଥିଲା କୁଜଙ୍ଗ ଷଣ୍ଢ ବଂଶୀୟ ରାଜା ଘଞ୍ଚ ଅରଣ୍ୟରେ ଶିକାର କରିବାକୁ ଆସି ସଞ୍ଜ ହୋଇଯିବାରୁ ନିଜ ସନ୍ୟ ସାମନ୍ତଙ୍କ ସହ ରାତିରେ ଏହି ଗଛ ମୂଳେ ବିଶ୍ରାମ ନେଇଥିଲେ ବୋଲି ଲୋକେ କହୁଛନ୍ତି। କିନ୍ତୁ ଆଜିକା ଦିନରେ ରାଜା ନାହାନ୍ତି ସତ ହେଲେ ଗଛ ମୂକସାକ୍ଷୀ ହୋଇ ରହିଛି। ପୂର୍ବରୁ ସଞ୍ଜ ନଇଁଲେ ଏହି ଗଛ ମୂଳେ ବିଭିନ୍ନ ଜଙ୍ଗଲି ହିଂସ୍ର ଜୀବଜନ୍ତୁ ଠିକଣା ପାଲଟିଥିଲା। କେବେ କେବେ ଚିତା ବାଘ ଶିକାର କରିବା ପାଇଁ ଗଛ ମୂଳ ଉହାଡରେ ଲୁଚି ଛପି ଜଙ୍ଗଲି ଜୀବଜନ୍ତୁଙ୍କୁ ମାରି ଖାଉଥିଲା। ଅପରପକ୍ଷରେ ଏହି ଗଛର କୋରଡରେ ବିଭିନ୍ନ ବିରଳ ପ୍ରଜାତିର ପକ୍ଷୀ ବସବାସ କରୁଥିଲେ। ପରବର୍ତ୍ତୀ ସମୟରେ ରାଜାଙ୍କ ସ୍ବପା୍ନଦେଶ ପରେ ମହାକାଳପଡ଼ାର ବ୍ଲକ ରାମନଗରଠାରେ ଗଛ ନିକଟରେ ଆଜି ମା’ ରାମଚଣ୍ଡୀଙ୍କ ବିଜେସ୍ଥଳୀ ପାଲଟି ଯାଇଛି। ପୁରାଣ ବର୍ଣ୍ଣିତ ଜମ୍ବୁ ଦ୍ୱୀପର ବଙ୍ଗୋପସାଗର କୂଳ ଅନତି ଦୂର ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀ ମନ୍ଦିର ଶୋଭା ପାଉଛି। ଏହି ପୀଠ ମଧ୍ୟରେ ବିରାଜମାନ କରିଛି ଏହି ଚାଖୁଣ୍ଡା ଗଛ। ବିଭିନ୍ନ ଘାତ ପ୍ରତିଘାତ, ଦୁର୍ବିପାକରେ ନିଜର ଅସ୍ତିତ୍ୱ ହରାଇଥିବା ଏହି ଗଛ କୋରଡରେ ଶୁଆ ସାରି, ଧଳା ପେଚାଙ୍କ ଆଶ୍ରୟସ୍ଥଳୀ ପାଲଟିଛି। ମା’ ରାମଚଣ୍ଡୀଙ୍କ ସେବାୟତ (ହୁରିଆ ସଙ୍କୀର୍ତ୍ତନ) କୋଚିଳା ଗଁାର ପୁରୁଖା ପୁରୁଖା ବାପା ଜେଜେ ବାପାଙ୍କଠାରୁ ଶୁଣିବାକୁ ମିଳେ ଏହି ଗଛଟି କାହିଁ କେଉଁ ଅନାଦି କାଳରୁ ରହି ଆସିଛି। ପୂର୍ବ ଓଡ଼ିଶାରେ ଘଟିଥିବା ଭୟଙ୍କର ସାମୁଦ୍ରିକ ଝଡ଼ ୧୮୮୫, ୧୯୨୨, ୧୯୭୧, ୧୯୮୨, ୧୯୯୯ ଆଦିରେ ଘଟି ଯାଇଥିଲେ ମଧ୍ୟ ଏହାକୁ ସାମ୍ନା କରି ଆଜି ବି ବଞ୍ଚତ୍ ରହିଛି ଚାକୁଣ୍ଡା ଗଛ। ସେ ଦିନର କଥା କାହାଣୀକୁ ଅତି ନିକଟରୁ ଦେଖିଥିବା ଏହି ଗଛ ହିଁ ବୟାନ କରୁଛି କିମ୍ବଦନ୍ତୀ। ସେ ଦିନର ଏହି ଗଛ କାହାଣୀକୁ ଜେଜେ ବାପା ଅଣଜେଜେ ବାପାଙ୍କଠାରୁ ଶୁଣିଥିବା ମିଳେ ବୋଲି କୋଚିଳା ଗ୍ରାମର ଦୀନବନ୍ଧୁ ରାଉତ(୯୦), ସନାତନ ସ୍ବାଇଁ (୮୦), ସରୁମୁହିଁ ଗଁାର ଶତାୟୁ ଗୋପୀନାଥ ସ୍ବାଇଁ (୧୧୨) କହିଛନ୍ତି, ତା’ ସହିତ ପିଲା ବେଳେ ବାପାଙ୍କ ସହ ମା’ଙ୍କ ଦର୍ଶନ କରିବାକୁ ଯାଇ ଏହି ଗଛକୁ ଦେଖି ଏହାର କାହାଣୀ ଶୁଣିଥିଲୁ।