ଭତ୍ତା ଆଣିବାକୁ ଯାଇ ନିଖୋଜ ଥିଲେ ବୃଦ୍ଧା, ଆଜି କେନାଲରୁ ମିଳିଲା ମୃତଦେହ

ଦିଗପହଣ୍ଡି,୧୯ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମର ସ୍ବର୍ଗତ କନ୍ତାରୁ ପାତ୍ରଙ୍କ ବିଧବା ସ୍ତ୍ରୀ ଏମ୍‌.ଅରାଲୁ ପାତ୍ର (୬୪) ନାମକ ଜଣେ ବୃଦ୍ଧା ବୁଧବାର ସନ୍ଧ୍ୟା ୫ଟାରେ ହାଇସ୍କୁଲ ନିକଟ ରାସ୍ତାକଡ଼ରେ ଥିବା ଘୋଡ଼ାହାଡ଼ କେନାଲରେ ଗାଧୋଉଥିବା ବେଳେ ପାଣିସ୍ରୋତରେ ଭାସି ଯାଇ ନିଖୋଜ ଥିଲେ। ଗୁରୁବାର ସକାଳେ ଅରାଲୁଙ୍କ ମୃତଦେହ କେନାଲରୁ ଉଦ୍ଧାର କରାଯାଇଛି। ବୁଧବାର ଅରାଲୁ ଭତ୍ତା ପାଇଁ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇଥିଲେ। ସନ୍ଧ୍ୟା ସୁଦ୍ଧା ଘରକୁ ନ ଫେରିବାରୁ ପରିବାର ଲୋକେ କେତେକ ଗ୍ରାମବାସୀଙ୍କ ସହଯୋଗରେ ତାଙ୍କୁ ଖୋଜାଖୋଜି କରିଥିଲେ। ଲୋକେ ଗାଧୋଉଥିବା କେନାଲ ତୁଠ ଉପରେ ତାଙ୍କ ବ୍ୟାଙ୍କ ପାସ୍‌ବୁକ,ଭତ୍ତା କାର୍ଡ ଏବଂ କିଛି ଟଙ୍କା ମିଳିଥିଲା। ତେଣୁ ସେ କେନାଲରେ ଗାଧୋଉଥିବା ବେଳେ ପାଣିରେ ଭାସି ଯାଇଥିବା ପରିବାର ଲୋକେ ସନ୍ଦେହ କରିଥିଲେ। ଖବରପାଇ ଦିଗପହଣ୍ଡି ଦମକଳ ବାହିନୀ ଏବଂ ବହୁ ସଂଖ୍ୟକ ଗ୍ରାମବାସୀ କେନାଲର ଶେଷମୁଣ୍ଡ ଯାଏ ତାଙ୍କୁ ଖୋଜିଥିଲେ ମଧ୍ୟ ତାଙ୍କ ପତ୍ତା ମିଳି ନ ଥିଲା। ରାତି ହୋଇଯିବାରୁ ସର୍ଚ୍ଚ ଅପରେଶନ ବନ୍ଦ ଥିଲା। ଗୁରୁବାର ସକାଳେ ଦମକଳ ବାହିନୀ ପୁଣି ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରିବାରୁ କେନାଲ ପାଣିରୁ ବୃଦ୍ଧାଙ୍କ ମୃତଦେହ ମିଳିଥିଲା। ତାଙ୍କୁ ଉଦ୍ଧାର କରାଯାଇ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଦିଗପହଣ୍ଡି ପୋଲିସ ଟିମ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ମୃତଦେହ ଜବତ କରିବା ସହ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ପଠାଇଥିଲେ। ସେଠାରେ ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଶୋକାକୁଳ ପରିବେଶ ମଧ୍ୟରେ ଗାଁ ଶ୍ମଶାନରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଛି।