Categories: ଖେଳ

ଫେବୃୟାରୀରେ ଅଲିମ୍ପିକ କ୍ୱାଲିଫାଇଙ୍ଗ ରେସ୍‌ ଓ୍ବାକ୍‌ ଇଭେଣ୍ଟ

ନୂଆଦିଲ୍ଲୀ, ୭।୧(ପି.ଟି.): ଆସନ୍ତା ମାସରୁ ଭାରତର ଆଥଲେଟିକ ସେସନ ଆରମ୍ଭ ହେବା ନିଶ୍ଚତ ହୋଇଛି। ଫେବୃୟାରୀରେ ଜାତୀୟ ଓପନ ରେସ୍‌ ଓ୍ବାକିଂ ଚାମ୍ପିୟନଶିପ୍‌ ଆରମ୍ଭ ହେବ। ଏହା ଅଲିମ୍ପିକ କ୍ୱାଲିଫାଇଙ୍ଗ ଇଭେଣ୍ଟ ଭାବେ ପରିଗଣିତ ହେବ ବୋଲି ବୁଧବାର ଜାତୀୟ ଫେଡେରେଶନ ତରଫରୁ ଘୋଷଣା କରାଯାଇଛି। ୧୩ ତାରିଖରୁ ଆରମ୍ଭ ହେବାକୁ ଥିବା ଏହି ଇଭେଣ୍ଟ ଦୁଇଦିନ ଧର ଚାଲିବ। ଏଥିରେ କେତେଜଣ ଅନ୍ତର୍ଜାତୀୟ ଆଥଲେଟ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି।
ପୁରୁଷ ୫୦ କି.ମି., ପୁରୁଷ ଓ ମହିଳା ୨୦ କି.ମି. ସହିତ ପୁରୁଷ ଓ ମହିଳାଙ୍କ ପାଇଁ ୨୦ ବର୍ଷରୁ କମ୍‌ କି.ମି. ପ୍ରତିଯୋଗିତା ଆୟୋଜନ ହେବ। କୋଭିଡ୍‌-୧୯ ପ୍ରୋଟୋକଳ କଡ଼ା ନିୟମରେ ଏହି ପ୍ରତିଯୋଗିତା ଖେଳାଯିବ। ପୁରୁଷ ଓ ମହିଳା ୨୦ କି.ମି. ଓ ପୁରୁଷ ୫୦ କି.ମି. ହେଉଛି ଅଲିମ୍ପିକ୍ସ ଇଭେଣ୍ଟ। ଭାରତର କେ.ଟି ଇର୍ଫାନ ଓ ଭାଓ୍ବନା ଜାଟ ଟୋକିଓ ଅଲିମ୍ପିକ୍ସ ପାଇଁ ଯଥାକ୍ରମେ ପୁରୁଷ ଓ ମହିଳା ୨୦ କି.ମି. ଇଭେଣ୍ଟ ଲାଗି ଯୋଗ୍ୟତା ଅର୍ଜନ କରିଛନ୍ତି।
ଜାତୀୟ ଓପନର ଅଷ୍ଟମ ସଂସ୍କରଣ ଓ ଚତୁର୍ଥ ଅନ୍ତର୍ଜାତୀୟ ରେସ୍‌ ଓ୍ବାକିଂ ଚାମ୍ପିୟନଶିପ୍‌ ଝାଡଖଣ୍ଡର ରାଞ୍ଚିରେ ଫେବୃୟାରୀ ୧୩ ଓ ୧୪ ତାରିଖରେ ଆୟୋଜନ ହେବ। ଏହ ଅଲିମ୍ପିକ୍‌ କ୍ୱାଲିଫାଇଙ୍ଗ ଇଭେଣ୍ଟ ବୋଲି ଆଥଲେଟିକ ଫେଡେରେଶନ ଅଫ୍‌ ଇଣ୍ଡିଆ (ଏଏଫ୍‌ଆଇ) ତରଫରୁ କୁହାଯାଇଛି। ଉଲ୍ଲେଖଥାଉ କି, କୋଭିଡ୍‌- ୧୯ କାରଣରୁ ଗତବର୍ଷ ସମ୍ପୂର୍ଣ୍ଣ ଆଥଲେଟିକ କ୍ୟାଲେଣ୍ଡର ବାତିଲ ହୋଇଥିଲା।