Categories: ଖେଳ

୩୯ ବଲ୍‌ରେ ମାରିଥିଲେ ଶତକ, ଏବେ ୮.୩ ଓଭରରେ ଟି୨୦ ମ୍ୟାଚ୍‌ ଶେଷ କରି ଚର୍ଚ୍ଚାରେ ଏହି ବ୍ୟାଟ୍ସମ୍ୟାନ୍‌ !

ନୂଆଦିଲ୍ଲୀ,୨୩।୧: ବ୍ୟାଟ୍ସମ୍ୟାନଙ୍କ ଧୂଆଁଧାର ବ୍ୟାଟିଂକୁ ନେଇ ଟି୨୦ କ୍ରିକେଟ ରୋମାଞ୍ଚକର ହୋଇଥାଏ। ଯିଏ ଯେତେ ଚୌକା ଛକା ମାରେ, ତାର ନାଁ ସେତେ ହୋଇଥାଏ। ଠିକ ଏଭଳି କିଛି ଇଣ୍ଟରନ୍ୟାଶନାଲ ଲିଗ୍‌ ଟି୨୦(ଆଇଏଲ୍‌ଟି୨୦) ମୁକାବିଲାରେ ଦେଖିବାକୁ ମିଳିଛି। ଏଠାରେ ୮.୩ ଓଭରରେ ଟାର୍ଗେଟ ପୂରଣ କରି ଜଣେ ବ୍ୟାଟ୍ସମ୍ୟାନ୍‌ ମ୍ୟାଚ୍‌ ଶେଷ କରିଛନ୍ତି। ଶତକ କରିବାକୁ ବଞ୍ଚିତ ହୋଇଥିଲେ ହେଁ ତାଙ୍କର ୯୩ ରନ୍‌ର ଇନିଂସ ଦଳକୁ ବିଜେତା କରିଛି। ସେ ହେଲେ ଜନସନ୍‌ ଚାଲର୍‌ସ।

ଓ୍ବେଷ୍ଟଇଣ୍ଡିଜର ଜନ୍‌ସନ ଜଣେ ଉଇକେଟକିପର ବ୍ୟାଟ୍ସମ୍ୟାନ। ଜାନୁଆରୀ ୨୨ରେ ଆଇଏଲ୍‌ଟି୨୦ରେ ଦୁବାଇ କ୍ୟାପିଟାଲ୍ସ ଏବଂ ଶାରଜାହ ଓ୍ବାରିୟର୍ସ ମଧ୍ୟରେ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା। ଏଥିରେ ଶାରଜାହ ପକ୍ଷରୁ ଖେଳି ଜନସନ୍‌ ବିସ୍ଫୋରକ ବ୍ୟାଟିଂ କରିଥିଲେ। ଫଳରେ ତାଙ୍କ ଦଳ ୫ ଉଇକେଟ ଥାଇ ବିଜେତା ହୋଇଥିଲା। ଲିଗ୍‌ରେ ଖେଳିଥିବା ୨ ମ୍ୟାଚରେ ଶାରଜାର ଏହା ପ୍ରଥମ ବିଜୟ ଥିଲା।

ଶାରଜାହ ଟିମ୍‌କୁ ୧୭୧ ରନ୍‌ର ବିଜୟଲକ୍ଷ୍ୟ ମିଳିଥିଲା। ଏହାକୁ ହାସଲ କରିବାକୁ ଯାଇ ୮ ଚୌକା ଏବଂ ୬ ଛକା ସହାୟତାରେ ଜନସନ୍‌ ୯୩ ରନ୍‌ କରିଥିଲେ। ଏକୁଟିଆ ୮.୩ ଓଭର ସେ ଖେଳି ଦଳକୁ ବିଜେତା କରିବାର ସ୍କ୍ରିପ୍ଟ ଲେଖିଥିଲେ।

କହିରଖୁଛୁ, ଗତ ବର୍ଷ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଜନସନ୍‌ ୩୯ ବଲରେ ଶତକ ମାରିଥିଲେ। ଏଭଳି କରି ଓ୍ବେଷ୍ଟଇଣ୍ଡିଜ ପକ୍ଷରୁ ସବୁଠାରୁ ଦ୍ରୁତ ଶତକ ମାରିଥିବା ବ୍ୟାଟ୍ସମ୍ୟାନ ଭାବେ ରେକର୍ଡ କରିଥିଲେ। ତାଙ୍କ ପୂର୍ବରୁ ୪୭ ବଲରେ ଶତକ ମାରି କ୍ରିସ ଗେଲ ଶୀର୍ଷରେ ଥିଲେ।

Share