ନୂଆଦିଲ୍ଲୀ: କରୋନା କାରଣରୁ ଚାଷ ଓ ଅମଳ ମଧ୍ୟରେ ଅସମାନତା ଦେଖା ଦେବା ସହିତ ଦେଶର ପ୍ରମୁଖ ପିଆଜ ଉତ୍ପାଦନ ସ୍ଥାନ ଓ ରାଜ୍ୟରେ ଅଦିନିଆ ବର୍ଷା ଯୋଗୁ ଅମଳ ବେଶ୍ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ପିଆଜ ବଜାର ଉପରେ ପଡ଼ିଛି। ଗୋଟିଏ ପଟେ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ର ତେଲ ,ଗ୍ୟାସ୍, ଡାଲି, ଖାଇବା ତେଲ ଏବଂ ଆଳୁ ପରେ ପିଆଜ ଦର ବଢ଼ିବା ଯୋଗୁ ସାଧାରଣ ଲୋକ ଓ ଖାଉଟଙ୍କ ଅଣ୍ଟା ଭାଙ୍ଗି ଦେବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଓଡ଼ିଶାର ବିଭିନ୍ନ ସହର ଓ ବଡ ବଡ ବଜାରରେ ପିଆଜ ଦର କୁଇଣ୍ଟାଲ ପିଛା ୪୫ରୁ ୪୭ଶହ ଟଙ୍କା ପଡୁଥିବା ବେଳେ ଖୁୁଚୁରା ବଜାରରେ କେଜି ପିଛା ୫୦ରୁ ୫୫ ଟଙ୍କା ଖାଉଟିଙ୍କୁ ଦେବାକୁ ପଡୁଛି।
ପିଆଜ ରପ୍ତାନି ଉପରେ କୌଣସି ପ୍ରତିବନ୍ଧକ ନ ଥିବାରୁ ବିଭିନ୍ନ ସମୟରେ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି। ସେହିପରି ଏ ପର୍ଯ୍ୟନ୍ତ ପଶ୍ଚିମବଙ୍ଗ, ରାଜସ୍ଥାନ, ଗୁଜରାଟ ଆଦି ରାଜ୍ୟରେ ପିଆଜ ଫସଲ ଅମଳ ହୋଇପାରିନାହିଁ। ପିଆଜ ବଜାରକୁ ଆସିବାରେ ବିଳମ୍ବ ହେବାରୁ ଏବଂ ବଜାରରେ ଚାହିଦା ଅଧିକ ଥିବାରୁ ଦର ବୃଦ୍ଧି ହେଉଛି ବୋଲି ଓଡ଼ିଶା ବ୍ୟବସାୟୀ ମହାସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା ଏ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ। ସେହିଭଳି ମହାରାଷ୍ଟ୍ରର ନାସିକରେ ପିଆଜ ଦର କିଲୋ ପିଛା ୪୪ରୁ୪୫ ଟଙ୍କାରେ ବିକ୍ରି କରାଯାଉଛି। ନାସିକର ଲାସଲଗାଁଓ ମଣ୍ଡିରେ ଶନିବାର ପିଆଜି କୁଇଣ୍ଟାଲ ପିଛା ୪୫ଶହ ଟଙ୍କାରେ ରପ୍ତାନି କରାଯାଉଥିବା ଜଣାପଡିଛି। ଦେଶର ବଡ଼ ବଡ଼ ମଣ୍ଡି ମଧ୍ୟରେ ଲାସଲଗାଁଓ ମଣ୍ଡି ଅନ୍ୟତମ। ଏହି ମଣ୍ଡିର ପିଆଜ ଦର ବର୍ଷତମାମ ଅନ୍ୟ ମଣ୍ଡି ଅପେକ୍ଷା କମ୍ ଥାଏ। ଯଦି ଏଠାରେ ପିଆଜ କୁଇଣ୍ଟାଲ ପିଛା ଦର ବଢିଛି ତେବେ ଅନ୍ୟ ମଣ୍ଡି କଥା ସହଜରେ ଅନୁମାନ କରାଯାଇପାରେ। ଫଳରେ ଆଗାମୀ ଦିନରେ ଦେଶରେ ପିଆଜ ମୂଲ୍ୟ ଆହୁରି ବୃଦ୍ଧି ହେବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି। ମଣ୍ଡିରେ ପିଆଜ ଦର ବଢିବା ସହ ରାସ୍ତାକଡ ଖୁଚୁରା ଦୋକାନୀମାନେ କେଜି ପିଛା ୫୦ ଟଙ୍କାରେ ବିକୁଥିବା ଜଣାପଡିଛି। ଗୋରଖପୁର ମେହବା ମଣ୍ଡି ନାସିକ ସୁପର ପିଆଜ ପ୍ରତି କେଜି ୪୫ରୁ ୪୮ ଦରରେ ବିକ୍ରି ହେଉଛି। ସେହିପରି ରାଜସ୍ଥାନ ଭାବନଗରରେ ଦର ୪୦ରୁ ୪୨ ଟଙ୍କା ଥିବା ବେଳେ ପଶ୍ଚିମବଙ୍ଗରେ ୩୬ରୁ ୩୮ ଟଙ୍କାରେ ବିକ୍ରି ହେଉଛି। ତେବେ ଗତବର୍ଷର ପରିସ୍ଥିତିକୁ ଦୃଷ୍ଟିରେ ରଖି ଚଳିତବର୍ଷ ଚାଷୀ ଅଧିକ ପିଆଜ ଚାଷ କରିଛନ୍ତି। ଗତବର୍ଷ ୬ ହଜାର ୯୦୦ ହେକ୍ଟର ଜମିରେ ପିଆଜ ଚାଷ ହୋଇଥିଲା ବେଳେ ଚଳିତବର୍ଷ ୭ ହଜାର ୬୦୦ ହେକ୍ଟର ଜମିରେ ଚାଷ ହୋଇଛି। ହେଲେ କେତେକ ସ୍ଥାନରେ ହୋଇଥିବା ଅଦିନିଆ ବର୍ଷାରେ ପିଆଜ ଫସଲରେ ପାଣି ପଶିଯାଇଛି। ତେଣୁ ଦର ବୃଦ୍ଧି ହୋଇଥିବା ବ୍ୟବସାୟୀମାନେ ମତ ଦେଇଛନ୍ତି।