ପଡ଼ି ମଣ୍ଡୁକ କ୍ରୂର ଅହି କବଳେ

ଚିତ୍ର ଚରିତ୍ର/ ଅଧ୍ୟାପକ ନିରଞ୍ଜନ ପାଢ଼ୀ

କେଉଁ ପୁରୁଣା କାଳର ପୁରାଣର କଥା ୟେ, ଅଥଚ କେତେ ସତେଜ ଏହାର ସମ୍ବେଦ୍ୟ ସତ୍ୟତା! ମହାଭାରତର ଯକ୍ଷ ଯୁଧିଷ୍ଠିରଙ୍କ ପ୍ରଶ୍ନୋତ୍ତର କାହାଣୀରେ ନିଜ ତୃଷାର୍ତ୍ତ ଭାଇମାନଙ୍କୁ ମୂର୍ଚ୍ଛିତ ହୋଇଥିବାର ଦେଖି ଅସ୍ଥିର ହୋଇ ଉଠିଥିଲେ ଜ୍ୟେଷ୍ଠ ପାଣ୍ଡବ ଧର୍ମରାଜ ଯୁଧିଷ୍ଠିର। ସେମାନଙ୍କୁ ବଞ୍ଚାଇବା ପାଇଁ ଯକ୍ଷଙ୍କ ପ୍ରଶ୍ନର ସମୁଚିତ ଉତ୍ତର ଦେବା ଲାଗି ପ୍ରଜ୍ଞା ପରୀକ୍ଷାର ସମ୍ମୁଖୀନ ହୋଇଥିଲେ ସେ। ଯକ୍ଷଙ୍କ ପ୍ରଶ୍ନଗୁଚ୍ଛର ସବୁଠୁଁ ଜଟିଳ ପ୍ରଶ୍ନଟି ଥିଲା- ”ସଂସାରରେ ସବୁଠୁଁ ବଳି ବଡ଼ ବୈଚିତ୍ର୍ୟ କ’ଣ?“ ଯୁଧିଷ୍ଠିରଙ୍କ ଉତ୍ତର ଥିଲା ଅତ୍ୟନ୍ତ ସ୍ପଷ୍ଟ ଓ ସରଳ- ”ପ୍ରତି ମୁହୂର୍ତ୍ତରେ ମରଣକୁ ପ୍ରତ୍ୟକ୍ଷ କରି ମଧ୍ୟ ଜୀବନ ପ୍ରତି ଅତିରିକ୍ତ ଅନୁରକ୍ତି ହିଁ ସଂସାରର ସବୁଠାରୁ ବଡ଼ ଆଶ୍ଚର୍ଯ୍ୟ।“ ମୃତ୍ୟୁ ହିଁ ପ୍ରତ୍ୟେକ ଜୀବନର ସର୍ବଶେଷ ସିନ୍ଧାନ୍ତ, ଏକ ଅପରିହାର୍ଯ୍ୟ ସତ୍ୟ। ମାତ୍ର ପ୍ରତିନିୟତ ଜୀବନକୁ ନିବିଡ଼ ଆଶ୍ଳେଷରେ ବାନ୍ଧି ରଖିଥିବା ମଣିଷ ଏହି ସତ୍ୟକୁ ଅସ୍ବୀକାର କରନ୍ତି, ଏହି ସିଦ୍ଧାନ୍ତକୁ ଅଣଦେଖା କରନ୍ତି; ନିଜ ଉଚ୍ଚାରଣ ଓ ଆଚରଣରେ।
ସାପଟିଏ ବେଙ୍ଗଟିକୁ ଦୁଇ ପାଟି ମଧ୍ୟରେ ଚାପି ରଖି ଆସ୍ତେ ଆସ୍ତେ ଗିଳିବାର ଉପକ୍ରମ କରୁଛି। ନିଶ୍ଚିତ ମୃତ୍ୟୁମୁହଁରୁ ଅସଫଳ ମୁକ୍ତି ପାଇଁ ଅସହାୟ ବେଙ୍ଗଟି ବିକଳରେ ଚିକତ୍ାର ଛାଡ଼ୁଛି। ସାପ ବେଙ୍ଗ ଦୁହିଁଙ୍କ ଜୀବନ ମୃତ୍ୟୁର ଏହି ଖେଳ ମଧ୍ୟକୁ ଅଚାନକ ପଶିଆସୁଛି କଙ୍କିଟିଏ। ମୃତ୍ୟୁର ଭୟଙ୍କର ଅନୁଭବ ମଧ୍ୟରେ କରୁଣ ଆର୍ତ୍ତନାଦ କରୁ କରୁ କଙ୍କିଟିକୁ ଦେଖି ବେଙ୍ଗଟିର ଆଖି ଦିଓଟି କେଇ ମୁହୂର୍ତ୍ତ ପାଇଁ ଅଚାନକ ପ୍ରାପ୍ତିର ଆଶାରେ ଉଜ୍ଜ୍ୱଳ ହୋଇ ଉଠୁଛି। ନିଜର ଅର୍ଦ୍ଧେକ ଶରୀର ସାପର ଦନ୍ତଚାପ ଭିତରେ ପେଷି ହୋଇ ଆସୁଥିଲେ ବି ସେଥିକୁ ଖାତିର ନ କରି ସେ ନିଜର ଜିଭ ଲମ୍ବାଇ କଙ୍କିଟିକୁ ଗିଳି ପକାଉଛି। କେଇ କ୍ଷଣ ମଧ୍ୟରେ ସାପର ଗର୍ଭ ଭିତରେ ନିଶ୍ଚିହ୍ନ ହେବାକୁ ଯାଉଥିବା ବେଙ୍ଗର ନିଜ ଗର୍ଭ ପୂରଣ ପାଇଁ କି ଆକୁଳ ଆକାଂକ୍ଷା! ସଂସାରରେ ବୈଚିତ୍ର୍ୟ ଆଉ କାହାକୁ କହନ୍ତି କି! ଯୁଧିଷ୍ଠିରଙ୍କ ଏହି ଉତ୍ତର ହିଁ ଯକ୍ଷଙ୍କୁ ଖୁସି କରି ଦେଇଥିଲା ସେଦିନ। ନିଜ ଅନୁଜମାନଙ୍କୁ ସଂଜୀବିତ କରିବାରେ ସଫଳ ହୋଇଥିଲେ ସେ।
କରୋନାର ଦ୍ୱିତୀୟ ଲହର ଯେତେବେଳେ ଗତ କେଇଦିନ ଧରି ସମଗ୍ର ଭାରତବର୍ଷକୁ ମୃତ୍ୟୁର କ୍ରୀଡ଼ା ପ୍ରାଙ୍ଗଣକୁ ନିର୍ଦ୍ଦୟ ଭାବରେ ଟାଣିଆଣିଛି, ଦେଶର ସବୁଠାରୁ ସଂଭ୍ରାନ୍ତ ମହାନଗରୀ ଦିଲ୍ଲୀ ଯେତେବେଳେ ଅତ୍ୟନ୍ତ ଅସହାୟ ଭାବେ ଅବଶିଷ୍ଟ ଭାରତର ହାତଟେକା ଅମ୍ଳଜାନ ଦାନକୁ ଅପେକ୍ଷା କରି ରହୁଛି, ଦିଲ୍ଲୀଠୁ ମୁମ୍ବାଇ ଓ କୋଲକାତା ଯାଏ ଶ୍ମଶାନ ଘାଟରେ ନିଜ ପାଳି ପଡ଼ିବାକୁ ଶବବାହକ ଆମ୍ବୁଲାନ୍ସମାନେ ଧାଡ଼ିରେ ଅପେକ୍ଷା କରି ରହୁଛନ୍ତି, ସେତେବେଳେ କାରୁଣ୍ୟର କୋଳାହଳ ମଧ୍ୟରେ ମୃତ୍ୟୁକୁ ବୁଝି ବୁଝାଇବା ପାଇଁ ଆଉ ଅଧିକ କ’ଣ ଦୃଷ୍ଟାନ୍ତ ଲୋଡ଼ା ଯେ! ଅଥଚ ବିଡ଼ମ୍ବନାର ବିଷୟ, ମହାମାରୀ କରୋନାର ଭୟଙ୍କର ତାଣ୍ଡବ ମଧ୍ୟରେ ଥୋକେ ଲୋକ ଏ ସଂସାରରୁ ଅକାଳରେ ଅପସରି ଯାଉଥିବା ବେଳେ କରୋନାର ପଞ୍ଝା ମଧ୍ୟରୁ ମୁକ୍ତ ରହିଥିବା ଆଉ ଥୋକେ ଲୋକ ମୃତ୍ୟୁର ସୌଦାଗର ସାଜି ପୁଳାଏ ସହଜଲବ୍ଧ ଅର୍ଥ ଅଣ୍ଟିରେ ପୂରାଇବାକୁ ପରସ୍ପର ସହ ପ୍ରତିଯୋଗିତାରେ ଲାଗି ପଡ଼ିଛନ୍ତି। ସତେ ଯେମିତି ଏମାନେ ସମସ୍ତେ ଜଣେ ଜଣେ ମୃତ୍ୟୁଞ୍ଜୟୀ ମହାପୁରୁଷ। କରୋନା କେବେବି ଏମାନଙ୍କ ପାଖ ମାଡ଼ିବ ନାହିଁ କି ଏମାନଙ୍କ ପାଇଁ ଅମ୍ଳଜାନ ବା ରେମ୍‌ଡେସିଭିର ଇଞ୍ଜେକ୍‌ଶନ ଲୋଡ଼ା ପଡ଼ିବ ନାହିଁ।
ସମଗ୍ର ବିଶ୍ୱ କଥା ଛାଡ଼, ମହାମାରୀ କରୋନାର କରାଳ କୋପରେ ଭାରତର ମଞ୍ଜ ଥରିଗଲାଣି। ବିଶାଳ ପକ୍ଷ ବିସ୍ତାର କରି ଏହି ଭୂତାଣୁ ଦାନବ ମାଡ଼ି ଚାଲିଛି ଭାରତର ଏ ପ୍ରାନ୍ତରୁ ସେ ପ୍ରାନ୍ତ ପର୍ଯ୍ୟନ୍ତ। ମୃତ୍ୟୁସଂଖ୍ୟା ୩ ଲକ୍ଷ ଛୁଇଁବାକୁ ବସିଲାଣି। ପ୍ରତିଦିନ ୪ ଲକ୍ଷ କୋଭିଡ୍‌ ସଂକ୍ରମିତ ଚିହ୍ନଟ ହେଲେଣି ତ ୪ ହଜାର ପ୍ରାୟ ପୀଡ଼ିତ ନିତିଦିନ ସଂସାର ଛାଡ଼ିଲେଣି। ହସ୍ପିଟାଲରେ ବେଡ୍‌ ମିଳୁନି। ଶ୍ମଶାନରେ ଶବଦାହ ପାଇଁ ସ୍ଥାନ ଅଭାବ ପଡ଼ିଲାଣି। ମହାମାରୀର ଏହି ମହାସଂହାର ସହ ପ୍ରତିଦିନ ଚିହ୍ନା ଅଚିହ୍ନା ବହୁ ଲୋକଙ୍କ ମୃତ୍ୟୁ ସମ୍ବାଦ କାନରେ ପଡ଼ି ନିଜକୁ ଏତେ ଦୁର୍ବଳ କରିଦେଉଛି ଯେ ଆସନ୍ତାକାଲିର ଆୟୁଷ ମଧ୍ୟ ଅନିଶ୍ଚିତ ଲାଗୁଛି। ମଣିଷର ସକଳ ଜ୍ଞାନ, ବିଜ୍ଞାନ ଓ ବୌଦ୍ଧିକତାକୁ ପ୍ରତିହତ କରି କରୋନା ମାଡ଼ିଚାଲିଛି ପ୍ରମତ୍ତ ଗତିରେ। ପୂର୍ବରୁ କରୋନାର ରକ୍ଷାକବଚ ବୋଲି ବିବେଚନା କରାଯାଉଥିବା ଟିକାର ଦୁଇ ଦୁଇଟି ଡୋଜ୍‌ ନେଲା ପରେ ବି ଏହାର ଆକ୍ରମଣରୁ ନିସ୍ତାର ମିଳୁନାହିଁ। କେମିତି ଏକ ବାଧ୍ୟ ବୈରାଗ୍ୟରେ ଆକ୍ରାନ୍ତ ହୋଇ ମଣିଷ ଗୋଟିଏ ଦିନର ଜୀବନକୁ ବି ଈଶ୍ୱରଙ୍କର ବରଦାନ ବୋଲି ମନେକରୁଛି।
ଅଥଚ ଆଉ କିଛି ମଣିଷ ମୃତ୍ୟୁର ଏହି କ୍ରୀଡ଼ା ପ୍ରାଙ୍ଗଣକୁ ଜୀବନକୁ ସମୃଦ୍ଧ କରିବାର ଏକ ସୁଯୋଗ କ୍ଷେତ୍ର ବୋଲି ମନେକରି ଅର୍ଥ ଅର୍ଜନ କରିବାର କୁତ୍ସିତ କସରତରେ ମାତି ଯାଇଛନ୍ତି। ଆଖି ଆଗରେ ମୃତ୍ୟୁର ଭୟଙ୍କର ରୂପ ପ୍ରତ୍ୟକ୍ଷ କରି ଆତଙ୍କିତ ପ୍ରାଣରେ ଭୟ କି ବୈରାଗ୍ୟ ଜାତ ହେବା ତ ଦୂରର କଥା, ଏହାକୁ ଅବଶିଷ୍ଟ ଜୀବନ ପାଇଁ ସମ୍ବଳ ସଂଗ୍ରହ କରିବାର ପ୍ରକୃଷ୍ଟ ସମୟ ବୋଲି ଧରି ନେଇଛନ୍ତି। କିଏ ଲକ୍‌ଡାଉନ୍‌ ଭଳି ଏକ ବିଷମ ବେଳାରେ ନିଅଣ୍ଟିଆ ବଜାରର ଦ୍ୱାହି ଦେଇ ପନ୍ଦର ଟଙ୍କିଆ ଆଳୁ କିଲୋକୁ ଚାଳିଶ ଟଙ୍କାରେ ବିକିଲେଣି ତ ଅନ୍ୟ କେହି ଶହେ ଟଙ୍କିଆ ପ୍ୟାକେଟ୍‌ ଖାଦ୍ୟକୁ ଘରେ ପହଞ୍ଚାଇ ଦୁଇଶହ ଟଙ୍କା ଦାବି କଲେଣି। ପୁଣି କେଉଁଠି ଜୀବନ ରକ୍ଷାକାରୀ ଅମ୍ଳଜାନ ସିଲିଣ୍ଡରକୁ ତିନିଗୁଣା ଦାମରେ ବିକ୍ରି କରାଗଲାଣି ତ ଅନ୍ୟ କେଉଁଠି ଗୁରୁତର କରୋନା ରୋଗୀଙ୍କ ରକ୍ଷାକବଚ କୁହାଯାଉଥିବା ରେମ୍‌ଡେସିଭିର ଔଷଧ ଚାଳିଶ ପଚାଶ ହଜାର ଟଙ୍କାରେ କଳାବଜାରରେ ବିକ୍ରି ହେଲାଣି।
ଖବର ପ୍ରକାଶପାଇଛି ଯେ, ହରିଦ୍ୱାରରେ ଏକ ଔଷଧ କମ୍ପାନୀରେ କରୋନାର ଯନ୍ତ୍ରଣା ନିବାରଣକାରୀ ରେମ୍‌ଡେସିଭିର ଇଞ୍ଜେକ୍‌ଶନ ଓ ଟ୍ୟାବ୍‌ଲେଟର ନକଲି ସଂସ୍କରଣ ନିର୍ମାଣ କରାଯାଉଥିଲା ବେଳେ ପୋଲିସ ଚଢ଼ାଉ କରି ଏହି ପାଷାଣ୍ଡ ହତ୍ୟାକାରୀମାନଙ୍କୁ ଗିରଫ କରିଛି। ଅତ୍ୟନ୍ତ ଅଚିନ୍ତନୀୟ ମଣିଷର ଏହି ରୂପ ପ୍ରତ୍ୟକ୍ଷ କଲା ପରେ କାହା ଉପରେ ଆଉ ଆସ୍ଥା ପ୍ରକଟ କରିହେବ, କଳ୍ପନା କରି ହେଉନାହିଁ। ପ୍ରକୃତିସୃଷ୍ଟ ମୃତ୍ୟୁଦୂତ କରୋନା ଯଥେଷ୍ଟ ହେଲାନାହିଁ ଯେ ପୁଣି ଜୀବନ ରକ୍ଷାକାରୀ ଔଷଧକୁ ନକଲି କରି ମୃତ୍ୟୁର ଆଉ ଏକ ଦୂତକୁ ନିର୍ମାଣ କରି ବଜାରକୁ ଛଡ଼ାଯାଉଛି ଅଧିକ ସଂହାର କରିବା ପାଇଁ। ସ୍ବାସ୍ଥ୍ୟ ସଙ୍କଟର ଏହି ଗୁରୁତର ଦୁଃସ୍ଥିତି ମଧ୍ୟରେ ଚିକିତ୍ସା ନାମରେ ପୁଳାଏ ଅର୍ଥ ଅର୍ଜନ କରିବାର ବେପାରୀ ମାନସିକତା ମଣିଷ ଭିତରୁ ନିମ୍ନତମ ମଣିଷତ୍ୱକୁ ବି ଅପହରଣ କରିନେଲାଣି। କରୋନା ପରୀକ୍ଷା କରିବା ପାଇଁ ବେସରକାରୀ ପରୀକ୍ଷାଗାରମାନଙ୍କ ଲାଗି ସରକାର ଏକ ଦର ନିର୍ଦ୍ଧାରଣ କରିଥିଲେ ବି ତାହାଠାରୁ ତିନିଗୁଣା ଅଧିକ ଦାବି କରୁଛନ୍ତି ସେଇ ଅର୍ଥଲୋଭୀମାନେ। ଚିକିତ୍ସା ଖର୍ଚ୍ଚ ସମ୍ପର୍କରେ ନ କହିବା ଭଲ। କେଇଦିନ ତଳେ କରୋନାର ପ୍ରଥମ ଲହର ବେଳେ ବିଭିନ୍ନ କୋଭିଡ୍‌ ଚିକିତ୍ସା କେନ୍ଦ୍ରମାନଙ୍କୁ ସରକାର ଯେଉଁ ଖର୍ଚ୍ଚ ଭରଣା କରିବାକୁ ଅର୍ଥ ଦେଇଥିଲେ, ତାହାର ପରିମାଣ ଶୁଣି ଆଖି ଖୋସି ହୋଇ ଯାଇଥିଲା। କେଉଁଠି ରୋଗୀ ପିଛା ଲକ୍ଷେ ତ ଅନ୍ୟ କେଉଁଠି ଚାରିଲକ୍ଷରୁ ଊର୍ଦ୍ଧ୍ୱ। ମାସ୍କ କିଣା କେଳେଙ୍କାରୀ ତ ହାଟରେ ପଡ଼ି ବାଟରେ ଗଡ଼ିଲା।
ସରକାରୀ ବାବୁ ହୁଅନ୍ତୁ କି ବେସରକାରୀ ବେପାରୀବୃନ୍ଦ, ଆଖି ଆଗରେ ମୃତ୍ୟୁର ଭୟଙ୍କର ରୂପ ଦେଖି ଆତଙ୍କିତ ପ୍ରାଣରେ ବୈରାଗ୍ୟ ଜାତ ହେବା ତ ଦୂରର କଥା, ଏହାକୁ ଅର୍ଥ ଅର୍ଜନର ସୁଯୋଗ ମନେ କରିପାରନ୍ତି କିପରି! ନିଜ ନିଜର ଆସନ୍ତାକାଲିକୁ ସମୃଦ୍ଧ କରିବାକୁ ଅନୁଚିତ ସମ୍ବଳ ସଂଗ୍ରହ କରିବାର ଏ ପ୍ରକାର ପାଗଳ ପ୍ରବଣତା ମଧ୍ୟରେ ସେମାନେ ଭୁଲିଯାଆନ୍ତି ଯେ, ଯେଉଁ ଆସନ୍ତାକାଲି ପାଇଁ ଏହି ଅସାଧୁ ହୀନ ଉଦ୍ୟମ; ସେଇ ଆସନ୍ତାକାଲି ହୁଏତ ଜୀବନରେ ଆସି ନ ପାରେ। ଯେଉଁ ପିଲା ପରିବାରଙ୍କ ପାଇଁ ଏହି ଅର୍ଥ ଅର୍ଜନ, କରୋନା ସଂକ୍ରମିତ ହୋଇ ମରିଗଲା ପରେ ସେମାନେ ହୁଏତ ନିଜ ନିଜର ନିଃସଙ୍ଗବାସରେ ରହି ଶେଷ ଦର୍ଶନ ପାଇଁ ଆସି ନ ପାରନ୍ତି ବା ଆସିଲେ ବି ନିଜକୁ ସୁରକ୍ଷିତ ରଖିବାକୁ ଦୂରରେ ରହି ଫୁଲ ଗଣ୍ଡାଏ ଶବ ଉପରକୁ ଫୋପାଡ଼ି ଚାଲି ଯାଇପାରନ୍ତି। ଏ ପ୍ରକାର ସମ୍ଭାବନା ନୈରାଶ୍ୟବାଦର ବାହକ ହୋଇପାରେ, ମାତ୍ର ନିଚ୍ଛକ ସତ୍ୟ, ଆଖିଦେଖା କଥା।
ମଣିଷ ଯେତେବେଳେ ଭୋଗସର୍ବସ୍ବ ମାନସିକତାରେ ଆକ୍ରାନ୍ତ ହୁଏ, ସେତେବେଳେ ତା’ର ନିମ୍ନତମ ମାନବିକତା ନିର୍ବାସନରେ ଚାଲିଯାଏ। ଅକାଳରେ ପୋକମାଛି ପରି ଝଡ଼ି ପଡୁଥିବା ଅନ୍ୟ ମଣିଷମାନଙ୍କୁ ଦେଖି ତା’ ହୃଦୟ ବେଦନାରେ ଦ୍ରବୀଭୂତ ହେବା ତ ଦୂରର କଥା, ସେ ତା’ ଜୀବନକୁ ଅତ୍ୟଧିକ ଆଶ୍ଳେଷରେ ଜଡ଼ାଇ ରଖେ। ତା’ର ଆସନ୍ତାକାଲି ଯେ ହତଭାଗ୍ୟ ମୃତକମାନଙ୍କ ଆଜିର ରୂପ ନେଇପାରେ, ଏ କଥା ସେ ଜାଣି ଜାଣି ଭୁଲିଯାଏ। ମୃତ୍ୟୁର ତାଣ୍ଡବ ମଧ୍ୟରେ ନିଜ ଜୀବନକୁ ଲାଳିତ କରି ମୃତ୍ୟୁଞ୍ଜୟୀ ବୋଲାଉଥିବା ଏହି ବୀରପୁରୁଷମାନଙ୍କ ଅବସ୍ଥା ଠିକ୍‌ ସେହି ସାପ ମୁହଁରେ ପଡ଼ି କଙ୍କିକୁ ଗିଳିବାର ଉପକ୍ରମ କରୁଥିବା ବେଙ୍ଗଟି ଭଳି। ନିତି ଦିନ ଟିଭି ପରଦାରେ ଶହ ଶହ ଶବଦାହ ଦେଖି ମଧ୍ୟ ସଂପୂର୍ଣ୍ଣ ନିର୍ବିକାର, ନିର୍ଲିପ୍ତ। ଯେମିତି କି କେଉଁଠି କିଛି ଘଟିନାହିଁ। ଯାହା ବି ଘଟିଛି ବା ଘଟୁଛି, ତାହା ଅନ୍ୟ ଜୀବନର ଦୁର୍ଭାଗ୍ୟ। ‘ମୁଁ ତ ଠିକ୍‌ ଅଛି, ମୋ ପରିବାର ବି। ଅନ୍ୟ କାହାର ଅକାଳ ମୃତ୍ୟୁ ବା ତା’ ସମ୍ପର୍କୀୟମାନଙ୍କ କାରୁଣ୍ୟର ଅଶ୍ରୁଧାର ମୋର ବା ମୋ ପରିବାରର ଓଠର ହସକୁ ଚୋରାଇ ନେବ ବା କାହିଁକି?’
ଅତୀତରେ ଏଇ ମାଟିରେ ଦିନେ ଜଣେ ରାଜପୁତ୍ର ଜନ୍ମ ନେଇଥିଲେ ଯେ, ନିଜ ପ୍ରଭାତ ଯାତ୍ରାର ସଡ଼କ କଡ଼ରେ ଶବଟିଏ ଦେଖି ଜୀବନର ଅସାରତା ଉପଲବ୍ଧି କରି ସନ୍ନ୍ୟାସୀ ହୋଇ ଯାଇଥିଲେ। ଜୀବନ ପ୍ରତି ତାଙ୍କର ଏହି ଦୃଷ୍ଟିଭଙ୍ଗୀ ପରବର୍ତ୍ତୀ କାଳରେ ତାଙ୍କ ବ୍ୟକ୍ତିତ୍ୱକୁ ଏମିତି ମହିମାମୟ କରି ଗଢ଼ି ତୋଳିଥିଲା ଯେ, ଦଶ ଅବତାର ମଧ୍ୟରୁ ନବମ ଅବତାର ଭାବେ ଏଯାଏ ତାଙ୍କୁ ଆମେ ପୂଜା କରିଆସୁଛୁ। କରୋନାର ଏହି ସଙ୍କଟ କାଳରେ ନିତିଦିନ ବଢ଼ୁଥିବା ମୃତ୍ୟୁସଂଖ୍ୟାକୁ ଦେଖି ଆମେ ସଂସାର ତ୍ୟାଗ କରି ସନ୍ନ୍ୟାସୀ ହେଲେ ବି ଏ ଦୁଷ୍ଟ ଭୂତାଣୁ ଆମକୁ ଛାଡ଼ିବାର ନାହିଁ। ସୁତରାଂ, ମହାମାରୀର ଏହି ବିଭୀଷିକା ଆମକୁ ସନ୍ନ୍ୟାସୀ ଆଡ଼କୁ ବାଟ କଢ଼ାଇ ନ ନେଉ। ସଂସାରରେ ରହି କରୋନା ବିରୋଧରେ ଲଢ଼ିବାକୁ ଶକ୍ତି ସଂଗ୍ରହ କରିବାକୁ ମନରେ ସାହସ ଭରିଦେଉ। ମାତ୍ର ତାହା ସହିତ ଏହି ସଙ୍କଟକୁ ଅନୁଚିତ ଅର୍ଥ ଅର୍ଜନ କରିବାର ଏକ ସୁଯୋଗ ମନେ କରିବାରୁ ନିବୃତ୍ତ କରୁ। ତା’ ନ ହେଲେ କିଏ ଜାଣେ, କାଲି ନିଜ ପରିବାରରେ କେହି କରୋନାରେ ଆକ୍ରାନ୍ତ ହେଲେ ତା’ର ଜୀବନ ରକ୍ଷା ପାଇଁ ଯେଉଁ ରେମ୍‌ଡେସିଭିର ଇଞ୍ଜେକ୍‌ଶନଟି ଉପଲବ୍ଧ ହେବ, ତାହା ଅସଲି ନ ହୋଇ ନକଲି ଥିବ!
– ପ୍ରଜ୍ଞା ନିଳୟ, ବିଦ୍ୟାପତି ନଗର
ଚକେଇସିହାଣି, ଭୁବନେଶ୍ୱର-୧୦
ମୋ: ୮୮୯୫୬୨୪୧୦୫


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

କେଶ କାଟିବାକୁ ହେଲେ ସେଲୁନ୍‌ ଯିବାକୁ ପଡେ। ହେଲେ ସେଲୁନ୍‌ କେବେ ଲୋକଙ୍କ ପାଖକୁ ଆସିବା ଦେଖିଛନ୍ତି! ଅଜବ କଥା ଭଳି ଲାଗୁଥିଲେ ବି ଏମିତି...

ରୋବୋ ଯୁଦ୍ଧ

ଣସି ଯୁଦ୍ଧ ପାଇଁ ସୈନିକ ଏବଂ ଅସ୍ତ୍ରଶସ୍ତ୍ର ହେଉଛି ଅତି ଗୁରୁତ୍ୱପୂର୍ଣ୍ଣ। ପ୍ରାଚୀନ କାଳରେ ଖଣ୍ଡା, ତରବାରି ସାହାଯ୍ୟରେ ଯୁଦ୍ଧ ହେଉଥିଲା। ଏହା ଥିଲା ପ୍ରତ୍ୟକ୍ଷ...

ସନ୍ଦେହଘେରରେ ୟୁପିଏସ୍‌

କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନଗୁଡ଼ିକର ସମର୍ଥନ ଓ ଭାଗୀଦାରିରେ ଜାତୀୟ ଯୁଗ୍ମ କାର୍ଯ୍ୟକାରିଣୀ ପରିଷଦ (ଏନ୍‌ଜେସିଏ) ଭଳି ଏକ ବୃହତ୍‌କାୟ ସର୍ବଭାରତୀୟ ମିଳିତ ମଞ୍ଚ ଅଧୀନରେ ରେଳ...

ପରିସ୍ଥିତିର ଦାସ

ରୁଷିଆ-ୟୁକ୍ରେନ ଯୁଦ୍ଧ ଡିସେମ୍ବର ୨୧ରେ ଏକ ଭିନ୍ନ ଚିତ୍ର ତୋଳିଛି। ୨୦୦୧ ସେପ୍ଟେମ୍ବର ୧୧ (୯/୧୧)ରେ ଓସମା ବିନ୍‌ ଲାଡେନ୍‌ଙ୍କ ସଙ୍ଗଠନ ଅଲ୍‌-କାଏଦା ଆମେରିକାର ବିଶ୍ୱ...

ଏଇ ଭାରତରେ

ବୟସ ୨୫, ହେଲେ ଜାସ୍‌ କାଲ୍‌ରାଙ୍କ କାର୍ଯ୍ୟ ଅତ୍ୟନ୍ତ ପ୍ରଶଂସନୀୟ ତଥା ପ୍ରେରଣାଦାୟକ। ଏହି ବୟସରେ ଜାସ୍‌ ଗୁରୁଗ୍ରାମରେ ଏକ ଆଶ୍ରୟସ୍ଥଳୀରେ ୧,୨୦୦ ଅସହାୟ ଲୋକଙ୍କୁ...

ନାଗା ସୃଜନ ନାୟିକା

ଏବେ ସାହିତ୍ୟରେ ଗୋଟେ ନୂଆ ଫର୍ମାଟ୍‌ ବିକଶିତ ହୋଇଛି। ପୁରୁଣା କଥାବସ୍ତୁ, ପୌରାଣିକ ଆଖ୍ୟାୟିକା, ଐତିହାସିକ ଘଟଣାବଳୀକୁ ଲେଖକମାନେ ନୂତନ ଢଙ୍ଗରେ ବ୍ୟାଖ୍ୟାନ କରି ବଡ଼...

ଗଣତନ୍ତ୍ରରେ ଦଳ ଓ ସରକାର

ଆମ ଦେଶ ଯେ ବିଶ୍ୱରେ ଏକ ସର୍ବବୃହତ୍‌ ଗଣତାନ୍ତ୍ରିକ ରାଷ୍ଟ୍ର ଭାବରେ ପରିଚିତ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ। ୭୮ ବର୍ଷ ଧରି ନିରବଚ୍ଛିନ୍ନ ଭାବେ...

ଆଗକୁ କ’ଣ ଘଟିବ

୨୦୨୫ ବର୍ଷଟି ବିଭିନ୍ନ ଉପାୟରେ ଏକ ଗୁରୁତ୍ୱପୂର୍ଣ୍ଣ ବର୍ଷ ହେବ। ଡୋନାଲ୍ଡ ଟ୍ରମ୍ପ ଆସନ୍ତା ମାସରେ ପୁନର୍ବାର ଆମେରିକାର ରାଷ୍ଟ୍ରପତି ଭାବରେ ଦାୟିତ୍ୱ ଗ୍ରହଣ କରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri