Categories: ଜାତୀୟ

ମଣିପୁର ବିଧାନସଭା ଅଧିବେଶନେରେ ଯୋଗଦେବେନି ମହିଳା କୁକି ମନ୍ତ୍ରୀ

ଇମ୍ଫାଲ,୨୫।୮: ମଣିପୁର ବିଧାନସଭା ଅଧିବେଶନରେ ଯୋଗ ଦେବେନି କୁକି ସମ୍ପ୍ରଦାୟର ମହିଳା ମନ୍ତ୍ରୀ ନେମଚା କିପଗେନ। ତେବେ ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ ପାହାଡ ଜିଲା ପାଇଁ ପୃଥକ ପ୍ରଶାସନ ଦାବି କରୁଥିବା ସମସ୍ତ ଦଶ ଜଣ କୁକି ବିଧାୟକଙ୍କୁ ସୁରକ୍ଷା ଦିଆଯିବ ବୋଲି ଆଶ୍ୱସନା ଦେଇଛନ୍ତି।

ରାଜ୍ୟ କ୍ୟାବିନେଟରେ ନେମଚା କିପଗେନ ହେଉଛନ୍ତି ଏକମାତ୍ର ମହିଳା ମନ୍ତ୍ରୀ। ସେ ବିଧାନସଭା ଅଧିବେଶନରେଅନୁପସ୍ଥିତ ରହିବେ ବୋଲି ସୂଚନା ଦେଇଛନ୍ତି। ମଣିପୁର ବିଧାନସଭା ବାଚସ୍ପତି ସତ୍ୟବ୍ରତଙ୍କୁ ଲେଖିଥିବା ଚିଠିରେ କିପଗେନ କହିଛନ୍ତି, ସୁରକ୍ଷା ଦୃଷ୍ଟିରୁ ସେ ଇମ୍ଫାଲ ଯିବାକୁ ଚାହୁଁ ନାହାନ୍ତି। ମଣିପୁରରେ ଜାତିଆଣ ହିଂସା ଆରମ୍ଭ ହେବା ପରଠାରୁ ସୁରକ୍ଷା ଦୃଷ୍ଟିରୁ ସେ ଏବଂ ତାଙ୍କ ପରିବାର ସଦସ୍ୟ ଇମ୍ଫାଲରେ ରହିବାକୁ ସୁରକ୍ଷିତ ମଣୁ ନାହାନ୍ତି।

ସେ ଆହୁରି କହିଛନ୍ତି, ମୁଁ ସୁରକ୍ଷା କର୍ତ୍ତାଙ୍କ ସହିତ ପରାମର୍ଶ କରିଛି। ସେମାନେ ମୋତେ ସତର୍କ କରିବା ସହ ଇମ୍ଫାଲ ର ଆଇନ ଶୃଙ୍ଖଳା ପରିସ୍ଥିତି ଅସ୍ଥିର ଥିବା ହେତୁ ଅଧିବେଶନରେ ଯୋଗଦେବାକୁ ବାରଣ କରିଛନ୍ତି।

ସେପଟେ ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ କହିଛନ୍ତି, ରାଜ୍ୟରେ କୌଣସି ପୃଥକ ବିଭାଜନ ହେବ ନାହିଁ। ପାହାଡ ଜିଲା ପାଇଁ ପୃଥକ ପ୍ରଶାସନ ଦାବି କରୁଥିବା ସମସ୍ତ ଦଶ ଜଣ କୁକି ବିଧାୟକଙ୍କ ପାଇଁ ସୁରକ୍ଷା ନିଶ୍ଚିତ କରାଯାଇଛି।

ସୂଚନାଯୋଗ୍ୟ ଯେ ପାହାଡ ଜିଲା ପାଇଁ ପୃଥକ ମୁଖ୍ୟ ସଚିବ ଏବଂ ପୋଲିସ ମୁଖ୍ୟ ଦାବି କରି ଦଶ ଜଣ ବିଧାୟକ ଅଗଷ୍ଟ ୧୬ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ ଏକ ସ୍ମାରକପତ୍ର ଦାଖଲ କରିଥିଲେ। ଏଥିସହ ମେଇତି ଗୋଷ୍ଠୀର ଜୀବନ ପ୍ରତି ବିପଦ ଥିବା ସେ ଦାବି କରିଥିଲେ।

 

Share