ବଦଳିଲା ସ୍କୁଲ ଖୋଲିବା ସମୟ

ଭୁବନେଶ୍ୱର,୩ା୩(ବ୍ୟୁରୋ): ସକାଳୁଆ ସ୍କୁଲ ପାଇଁ ସରକାରଙ୍କ ତରଫରୁ ଗତ ଶୁକ୍ରବାର ଦିଆଯାଇଥିବା ସମୟକୁ ମଙ୍ଗଳବାର ପରିବର୍ତ୍ତନ କରିଦିଆଯାଇଛି। ନବମ ଓ ଏକାଦଶ ପିଲାଙ୍କ ପାଇଁ ସକାଳ ୭ରୁ ୯ଟା ପର୍ଯ୍ୟନ୍ତ ପାଠପଢ଼ା ହେବ। ସେହିପରି ଦଶମ ଓ ଦ୍ୱାଦଶ ପିଲାଙ୍କ ପାଇଁ ସକାଳ ୮ରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ପାଠପଢ଼ା ହେବ। ପୂର୍ବରୁ ସ୍କୁଲ ସକାଳ ୭ରୁ ଅପରାହ୍ନ ୧ଟା ଯାଏ ଖୋଲିବା ନେଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। ମହାମାରୀ କରୋନା ଲାଗି ଶିକ୍ଷାନୁଷ୍ଠାନ ବର୍ଷେରୁ ଅଧିକ ସମୟ ଧରି ବନ୍ଦ ରହିଥିଲା। ହେଲେ ଭୀଷଣ ଖରାର ପ୍ରକୋପ ଦେଖି ରାଜ୍ୟ ସରକାର ଚିନ୍ତାରେ ଏଭଳି ନିଷ୍ପତ୍ତି ନେଇଛନ୍ତି। ଗଲା ଶୁକ୍ରବାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଭାଗୀୟ ସମସ୍ତ ନିର୍ଦ୍ଦେଶକ ଏବଂ ଜିଲା ଶିକ୍ଷା ଅଧିକାରୀଙ୍କୁ ଚିଠି କରି ମାର୍ଚ୍ଚ ୧ରୁ ସକାଳୁଆ ସ୍କୁଲ ହେବା ନେଇ ସୂଚନା ଦିଆଯାଇଥିଲା। ଏହାସହ ନବମ ଏବଂ ଏକାଦଶ ପିଲାଙ୍କ ପାଇଁ ପାଠପଢ଼ା ସକାଳ ୮ଟା ୩୦ରୁ ୧୦ଟା ଯାଏ ନିର୍ଦ୍ଧାରଣ କରାଯାଇଥିଲା। ସେହିପରି ଦଶମ ଏବଂ ଦ୍ୱାଦଶ ପିଲାଙ୍କ ପାଠପଢ଼ା ଲାଗି ୧୧ଟାରୁ ୪ଟା ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ ହୋଇଥିଲା। ହେଲେ ଏହାକୁ ନେଇ ଅଭିଭାବକ ଓ ଓଷ୍ଟା ଆପତ୍ତି ଉଠାଯାଇଥିଲେ। ଗ୍ରୀଷ୍ମ ପ୍ରବାହ ପାଇଁ ଯଦି ସକାଳୁଆ ସ୍କୁଲ କରାଯାଉଛି ତେବେ ଗୋଟାଏ ପରେ ସ୍କୁଲ ଖୋଲିଲେ ପିଲା ଏବଂ ଶିକ୍ଷକଙ୍କ ଜୀବନ ପ୍ରତି ବିପଦ ରହିଥିବା ଦର୍ଶାଇଥିଲେ। ଏହା ପରେ ରାଜ୍ୟ ସରକାର ସ୍କୁଲ ସମୟ ପରିବର୍ତ୍ତନ ନେଇ ଆଲୋଚନା ଚଳାଇଥିବା ଗତ ସୋମବାର ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଥିଲେ। ଏହାର ଦିନକ ପରେ ସ୍କୁଲ ଖୋଲିବା ନୂଆ ସମୟ ଘୋଷଣା କରାଯାଇଛି।
ସୂଚନାଯୋଗ୍ୟ, ଭୁବନେଶ୍ୱରରେ ଶୁକ୍ରବାର ସର୍ବାଧିକ ତାପମାତ୍ରା ୪୦.୪ ଡିଗ୍ରୀ ସେଲସିୟସ ଥିବା ଦେଖି ସରକାର ତୁରନ୍ତ ସ୍କୁଲ ସମୟ ପରିବର୍ତ୍ତନର ନିଷ୍ପତ୍ତି ନେଇଥିଲେ। କେତେବର୍ଷ ଧରି ଫେବୃୟାରୀରେ ଖରାର ପ୍ରକୋପ ୪୦ ଡିଗ୍ରୀ ରହିବା କେହି ଦେଖିବାକୁ ପାଇ ନ ଥିଲେ। ପ୍ରାୟତଃ ପ୍ରତ୍ୟେକ ବର୍ଷ ଏପ୍ରିଲରେ ସ୍କୁଲ ସକାଳୁଆ ଆରମ୍ଭ ହୋଇଥାଏ। ଅନ୍ୟପଟେ କରୋନା ମହାମାରୀର ପ୍ରକୋପ ପାଇଁ ବର୍ଷେ କାଳ ସ୍କୁଲ, କଲେଜ ବନ୍ଦ ରହିବା ପରେ ପ୍ରଥମେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଥିଲେ। ଏହାପରେ ନବମ ଏବଂ ଏକାଦଶ ପିଲାଙ୍କ ସ୍କୁଲ ଯିବା ଲାଗି ନିଷ୍ପତ୍ତି ହୋଇଥିଲା। ହେଲେ ପ୍ରାଥମିକ ସ୍କୁଲ ଖୋଲିବା ନେଇ ଏଯାଏ କୌଣସି ନିଷ୍ପତ୍ତି ହୋଇନାହିଁ। ଫେବୃୟାରୀରେ ଯେପରି ଖରାର ପ୍ରକୋପ ରହିଲାଣି ତାକୁ ଦେଖି ଏବେଠାରୁ ସରକାର ସବୁ ପ୍ରକାର ବ୍ୟବସ୍ଥା ଗ୍ରହଣ ଆରମ୍ଭ କରିଦେଇଛନ୍ତି।

Share