‘ନୂଆ ଉନ୍ନତ ଅଭିଳାଷ ଓଡ଼ିଶା’ ଯୋଜନାକୁ ବିରୋଧୀଙ୍କ ଟାର୍ଗେଟ

ଭୁବନେଶ୍ବର, ୧୨ା୮(ସୁନିତ୍‌ ମିଶ୍ର): ୨୦୨୪ ସାଧାରଣ ନିର୍ବାଚନ ଲାଗି ସମୟ ପାଖେଇ ଆସୁଥିବା ବେଳେ ଯୁବ ଭୋଟରଙ୍କ ଉପରେ ବିଜେଡି ଫୋକସ୍‌ କରୁଥିବା ବିରୋଧୀ ଅଭିଯୋଗ କରିଛନ୍ତି। ଶୁକ୍ରବାର ରାଜ୍ୟ ସରକାର କ୍ୟାବିନେଟ୍‌ରେ ନୂଆ ଉନ୍ନତ ଅଭିଳାଷା ଓଡିଶା ସମ୍ପର୍କିତ ନୂଆ ଯୋଜନାକୁ ଅନୁମୋଦନ ମିଳିଛି। ଏଥିରେ ପ୍ରତ୍ୟେକ ବର୍ଷ ଲକ୍ଷେ ଯୁବତୀ, ଯୁବକଙ୍କୁ ଦକ୍ଷ କରିବା ଲାଗି କାମ ହେବ। ଏଥିଲାଗି ୩ ବର୍ଷରେ ୩୮୫ କୋଟି ଟଙ୍କା ଖର୍ଚ୍ଚ କରିବା ଲାଗି ଯୋଜନା ରହିଛି। ଏହାକୁ ନେଇ ଏବେ ରାଜନୀତି ଜୋର୍‌ ଧରିବାରେ ଲାଗିଛି। ଭାଜପା ବିଧାୟକ ମୁକେଶ ମହାଲିଙ୍ଗ କହିଛନ୍ତି, କେତେ ନିଯୁକ୍ତି ଦେଇଛନ୍ତି ତା’ର ଶ୍ୱେତପତ୍ର ଜାରି କରନ୍ତୁ। ସରକାର ଯେଉଁ ନୂଆ ଓଡ଼ିଶା କଥା କହୁଛନ୍ତି ଏହା ଧୂଆଁ ବାଣ। ଆଗାମୀ ନିର୍ବାଚନ ପାଇଁ ଯୁବ ଭୋଟରଙ୍କୁ ପ୍ରଲୋଭିତ ଲାଗି ଏହା ଏକ ନୂଆ ଚାଲ୍‌। ଏମାନେ ଆଗରୁ କ’ଣ କରୁଥିଲେ ବୋଲି ମହାଲିଙ୍ଗ ପ୍ରଶ୍ନ କରିଛନ୍ତି। ବିଜେଡି ବିଧାୟକ ଧ୍ରୁବ ସାହୁ କହିଛନ୍ତି, ବହୁ ଯୁବତୀ,ଯୁବକମାନେ ଟ୍ରେନିଂ ପାଇ ବର୍ତ୍ତମାନ ସିଙ୍ଗାପୁର ଠାରୁ ଆରମ୍ଭ କରି ଦେଶ ଭିତରେ ଏବଂ ବାହାରେ ଆତ୍ମନିଯୁକ୍ତି ପାଇଛନ୍ତି। ତେଣୁ ଏ ଦିଗରେ ସରକାର ଆଉ ପାଦ ଆଗକୁ ଯାଇଛନ୍ତି। ବିରୋଧୀ କେବଳ ବିରୋଧ କରିବା ଜାଣିଛନ୍ତି। ଏହାଦ୍ୱାରା କିଛି ଫରକ ପଡିବ ନାହିଁ ବୋଲି ସେ କହିଛନ୍ତି।

Share