Categories: ଜାତୀୟ

ଦୂତାବାସ ଯାଇ ପାଲେଷ୍ଟିନୀୟଙ୍କୁ ସମର୍ଥନ ଜଣାଇଲେ ବିରୋଧୀ ନେତା

ନୂଆଦିଲ୍ଲୀ,୧୭ା୧୦(ପି.ଟି.): ଗାଜା ଷ୍ଟ୍ରିପ୍‌ ଉପରେ ଇସ୍ରାଏଲ୍‌ ଆକ୍ରମଣ ଜାରି ରଖିଥିବାବେଳେ ଭାରତର ବିରୋଧୀ ଦଳ ନେତାମାନେ ସୋମବାର ନୂଆଦିଲ୍ଲୀସ୍ଥିତ ପାଲେଷ୍ଟାଇନ୍‌ ଦୂତାବାସ ଯାଇ ଏହାର ଜନସାଧାରଣଙ୍କୁ ସମର୍ଥନ ଜଣାଇଛନ୍ତି। ଦୂତାବାସ ଯାଇଥିବା ନେତାମାନଙ୍କ ମଧ୍ୟରେ ଅଛନ୍ତି ବିଏସ୍‌ପି ଏମ୍‌ପି ଡାନିସ୍‌ ଅଲି, ପୂର୍ବତନ କଂଗ୍ରେସ ଏମ୍‌ପି ମଣିଶଙ୍କର ଆୟାର ଏବଂ ଜେଡିୟୁ ନେତା କେ.ସି. ତ୍ୟାଗୀ। ଏମାନଙ୍କ ବ୍ୟତୀତ ସିପିଆଇ (ଏମ୍‌ଏଲ୍‌)ର ସାଧାରଣ ସମ୍ପାଦକ ଦୀପଙ୍କର ଭଟ୍ଟାଚାର୍ଯ୍ୟ ଏବଂ ସମାଜବାଦୀ ପାର୍ଟି ଏମ୍‌ପି ଜାଭେଦ ଅଲି ଖାନ୍‌ ପାଲେଷ୍ଟାଇନ୍‌ ଦୂତାବାସ ଯାଇଥିଲେ। ବିଶ୍ୱର ସବୁ ଲୋକଙ୍କ ପାଇଁ ଆମେ ସ୍ବର ଉତ୍ତୋଳନ କରୁଛୁ। ଗାଜାରେ କେବଳ ମନଇଚ୍ଛା ଲୋକମାନଙ୍କୁ ହତ୍ୟା କରାଯାଉନାହିଁ, ବିଶ୍ୱକୁ ତୃତୀୟ ବିଶ୍ୱଯୁଦ୍ଧ ଆଡ଼କୁ ଠେଲିଦିଆଯାଉଛି। ଏହା ବିରୋଧରେ ଶାନ୍ତି ପାଇଁ ଜୋର୍‌ଦାର ସ୍ବର ଉତ୍ତୋଳନ କରିବାକୁ ପଡ଼ିବ ବୋଲି ଭଟ୍ଟାଚାର୍ଯ୍ୟ କହିଛନ୍ତି। ହମାସ୍‌ ଆତଙ୍କବାଦୀମାନେ ଇସ୍ରାଏଲ୍‌ ଉପରେ ଆକ୍ରମଣ କରିବା ଏବଂ ଜେରୁଜେଲମ୍‌ ଏହାର ଜବାବ ଦେବାକୁ ନେଇ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଇସ୍ରାଏଲ୍‌ର ଆକ୍ରମଣରେ ଗାଜା ଷ୍ଟ୍ରିପ୍‌ର ୨,୬୦୦ରୁ ଅଧିକ ଲୋକ ପ୍ରାଣ ହରାଇଲେଣି ଯାହା ବିଶ୍ୱ ପାଇଁ ଚିନ୍ତାର ବିଷୟ ହୋଇଛି।

Share