ରତ୍ନଭଣ୍ଡାର ଖୋଲିବାକୁ ଦାବି ଉଠାଇଲେ ବିରୋଧୀ

ଭୁବନେଶ୍ବର, ୧ା୭(ସୁନିତ୍‌ ମିଶ୍ର): ଶ୍ରୀମନ୍ଦିର ରତ୍ନଭଣ୍ଡାର ନ ଖୋଲାଯିବା ନେଇ ତେଜିଛି ରାଜନୀତି। ସାଧାରଣ ଭକ୍ତଙ୍କଠାରୁ ଆରମ୍ଭକରି ଅନ୍ୟମାନେ ମଧ୍ୟ ଏନେଇ ଦାବି କରିବା ଆରମ୍ଭ କରିଛନ୍ତି। ତେବେ ସରକାର ଏଥିପ୍ରତି ଧ୍ୟାନ ଦେଉ ନ ଥିବା ବିରୋଧୀ ଅଭିଯୋଗ କରିଛନ୍ତି। ଅନ୍ୟପଟେ ରତ୍ନଭଣ୍ଡାର ଖୋଲାଯିବା ନେଇ ହାଇକୋର୍ଟରେ ଭାଜପା ଯାଇ ପହଞ୍ଚିଛି।
ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ରତ୍ନଭଣ୍ଡାରକୁ ନେଇ କିଛି ଗୋଟେ ବିଭ୍ରାଟ ହୋଇଛି। ଗତଥର ଯେମିତି ଚାବି ହଜିବା କଥା ସାମ୍ନାକୁ ଆସିଲା। ଚାବି କୁଆଡେ ଗଲା ବୋଲି ପ୍ରଶ୍ନ ଉଠିଲା। ତା’ପରେ ଡୁପ୍ଲିକେଟ୍‌ ଚାବି ନ ମିଳିବା କଥା ଆସିଲା। ସେଥିରୁ କେତେଜଣ ଅଫିସର ବଦଳି ହୋଇ ଚାଲିଗଲେଣି। ବର୍ତ୍ତମାନ ଅନ୍ୟ ଅଫିସର ଅଛନ୍ତି। ଏହା ଭିତରେ ଅନେକ କଥା ରହିଛି, ସେଥିଲାଗି ସେମାନେ ରତ୍ନଭଣ୍ଡାର ଖୋଲିବାକୁ ପ୍ରସ୍ତୁତ ହେଉନାହାନ୍ତି ବୋଲି ଶରତ କହିଛନ୍ତି।
କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ସେ ଆଇନ ମନ୍ତ୍ରୀ ଥିବାବେଳେ ରତ୍ନଭଣ୍ଡାର ଖୋଲିବାକୁ ଉଦ୍ୟମ କରିଥିଲେ। କିନ୍ତୁ ସେ ବିଫଳ ହୋଇଥିଲେ। ସେତେବେଳେ ତାଙ୍କ ଉପରେ ଚାପ ପଡ଼ିଥିଲା। ସହଜରେ ତାଙ୍କ ଉପରେ ଚାପ କାମ ଦିଏ ନାହିଁ, ହେଲେ ସେହି ସମୟରେ ତାହା କାମ ଦେଲା। ତାଙ୍କ ସରକାର ସେତେବେଳେ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ ବୋଲି କହିଥିଲା, ଯାହା କରୁଛନ୍ତି ଭାବିଚିନ୍ତି କରନ୍ତୁ ବୋଲି କୁହାଯାଇଥିଲା। ଏବେ ବି ଦାବି କରୁଛି, ରତ୍ନଭଣ୍ଡାର ଖୋଲାଯାଉ ବୋଲି ନରସିଂହ କହିଛନ୍ତି।

Share