ବିରୋଧୀ ଉଠାଇଲେ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ

ଭୁବନେଶ୍ୱର,୩୧।୭(ଅନିଲ ଦାସ): ସ୍ବତନ୍ତ୍ର ରାଜ୍ୟପାହ୍ୟା, ସ୍ବତନ୍ତ୍ର ଫୋକସ ଷ୍ଟେଟ୍‌ ନା ସ୍ବତନ୍ତ୍ର ଆବଣ୍ଟନ, ନୀତି ଆୟୋଗ ବୈଠକରେ ରାଜ୍ୟ ସରକାର କ’ଣ ଦାବି ରଖିଛନ୍ତି। ସେ ବିଷୟରେ ସରକାର ଗୃହକୁ ଅବଗତ କରାନ୍ତୁ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୀତି ଆୟୋଗ ବୈଠକରେ ଯୋଗଦେଇ ଫେରିବା ପରେ ବିଧାନସଭାରେ ବିରୋଧୀ ବିଜେଡି ଓ କଂଗ୍ରେସ ଏହି ପ୍ରସଙ୍ଗ ଉଠାଇ ବିବୃତି ଦାବି କରିଛନ୍ତି।
ଶୂନ୍ୟକାଳରେ ବିଜେଡି ସଭ୍ୟ ଅରୁଣ ସାହୁ ଏହି ପ୍ରସଙ୍ଗ ଉଠାଇ କହିଛନ୍ତି, ବିଧାନସଭାର ବଜେଟ ସେସନ ଚାଲିଛି। ଇତିମଧ୍ୟରେ ନୂଆଦିଲ୍ଲୀରେ ନୀତି ଆୟୋଗ ବୈଠକ ଶେଷ ହୋଇଛି। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଯୋଗଦେଇ ଫେରିଛନ୍ତି। ନୀତି ଆୟୋଗ ବୈଠକରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ରାଜ୍ୟ ପାଇଁ କ’ଣ ଦାବି କରିଛନ୍ତି। ସ୍ବତନ୍ତ୍ର ରାଜ୍ୟପାହ୍ୟା, ସ୍ବତନ୍ତ୍ର ଫୋକସ ଷ୍ଟେଟ୍‌ ନା ସ୍ବତନ୍ତ୍ର ଆବଣ୍ଟନ, କ’ଣ ଦାବି ରଖିଲେ ବୋଲି ଅରୁଣ ପ୍ରଶ୍ନ କରିଛନ୍ତି। ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟପାହ୍ୟା ଭାଜପାର ୨୦୧୪ ନିର୍ବାଚନ ଇସ୍ତାହାରରେ ପ୍ରତିଶ୍ରୁତି ଥିଲା। ପରବର୍ତ୍ତୀ ସମୟରେ ଦଳ ଏହାକୁ ହଟାଇ ଦେଇଥିଲା। ଏବେ ନୂଆ ସ୍ବତନ୍ତ୍ର ଆବଣ୍ଟନର ଯୁଗ ଆସିଛି। ଆନ୍ଧ୍ରପ୍ରଦେଶ ଓ ବିହାରକୁ ସ୍ବତନ୍ତ୍ର ପ୍ୟାକେଜ ଦିଆଯାଇଛି। ଓଡ଼ିଶାର ଭୋଟ ପାଇ କେନ୍ଦ୍ରରେ ଭାଜପା ସରକାର କରିଛନ୍ତି। ୨୧ ଏମ୍‌ପିରୁ ୨୦ ଏମ୍‌ପି ନେଇଛନ୍ତି। ଏପରି ସ୍ଥିତିରେ ଓଡ଼ିଶା ପାଇଁ ନୀତି ଆୟୋଗ ବୈଠକରେ ସ୍ବତନ୍ତ୍ର ରାଜ୍ୟପାହ୍ୟା ନା ସ୍ବତନ୍ତ୍ର ଫୋକସ ଷ୍ଟେଟ ନା ସ୍ବତନ୍ତ୍ର ଆବଣ୍ଟନ ମଗାଯାଇଛି ତାହା ଗୃହରେ ସ୍ପଷ୍ଟ କରିବାକୁ ସେ ଦାବି କରିଛନ୍ତି।
ଅନ୍ୟପକ୍ଷରେ ବିଜେଡି ସହିତ କଂଗ୍ରେସ ମଧ୍ୟ ତାଳ ଦେଇଛି। କଂଗ୍ରେସ ମଧ୍ୟ ସମାନ ପ୍ରଶ୍ନ କରିଛି। ଶୂନ୍ୟକାଳରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତି, ରାଜ୍ୟକୁ ସ୍ବତନ୍ତ୍ର ରାଜ୍ୟପାହ୍ୟ ମାନ୍ୟତା ଡବଲ ଇଞ୍ଜିନ ସରକାର ଦେବେ ବୋଲି ଆମେ ଆଶା କରୁଛୁ। ସ୍ବତନ୍ତ୍ର ରାଜ୍ୟପାହ୍ୟା ନା ସ୍ବତନ୍ତ୍ର ଫୋକସ ନା ସ୍ବତନ୍ତ୍ର ପ୍ୟାକେଜ ଦାବି ହୋଇଛି ସେ ବିଷୟରେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିବାକୁ ସେ ଦାବି କରିଛନ୍ତି। ଓଡ଼ିଶା ଏକ ଆଦିବାସୀ ଓ ପ୍ରାକୃତିକ ବିପର୍ଯ୍ୟୟପ୍ରବଣ ରାଜ୍ୟ। ଆନ୍ଧ୍ର ଓ ବିହାରକୁ ସ୍ବତନ୍ତ୍ର ପ୍ୟାକେଜ ମିଳିଛି। ଓଡ଼ିଶାକୁ ଅଣଦେଖା କରାଯାଇଛି। ଭାଜପା ୨୦୧୪ ଦଳୀୟ ଇସ୍ତାହାରରେ ସ୍ବତନ୍ତ୍ର ରାଜ୍ୟପାହ୍ୟା କଥା କହିଥିଲା। ଏବେ କ’ଣ ଦାବି ରଖିଛନ୍ତି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ ବୋଲି ପ୍ରଶ୍ନ କରିଛନ୍ତି। ପୋଲାଭରମ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ଆନ୍ଧ୍ରକୁ ପଇସା ଦେଇଛନ୍ତି। ଏହି ଡ୍ୟାମର ଉଚ୍ଚତା ଧୀରେ ଧୀରେ ବଢାଯାଉଛି। ଏହାଦ୍ୱାରା କୋରାପୁଟ ଓ ମାଲକାନଗିରିର ବହୁ ଆଦିବାସୀ ଗାଁ ବୁଡି ଯିବାର ସମ୍ଭାବନା ରହିଛି। ପୋଲାଭରମ ପ୍ରସଙ୍ଗରେ କ’ଣ କରିଛନ୍ତି ତାହା ମୁଖ୍ୟମନ୍ତ୍ରୀ ଗୃହରେ ପ୍ରକାଶ କରିବାକୁ କାଡାମ ଦାବି କରିଛନ୍ତି। କଂଗ୍ରେସ ସଭ୍ୟ ସି.ଏସ. ରାଜନ ଏକ୍କା ମଧ୍ୟ ନୀତି ଆୟୋଗ ବୈଠକରେ ସରକାର କି ପ୍ରସ୍ତାବ ରଖିଛନ୍ତି ତାହା ଗୃହରେ ପ୍ରକାଶ କରିବାକୁ ଦାବି କରିଛନ୍ତି।

Share