ଅନ୍‌ଲାଇନରେ ହେବ ଓପିଏସ୍‌ସି ପରୀକ୍ଷା

କଟକ ଅଫିସ,୧୪ା୧୨:ଓଡ଼ିଶା ଲୋକ ସେବା ଆୟୋଗ (ଓପିଏସ୍‌ସି)ର ସମସ୍ତ ପରୀକ୍ଷା ଏଣିକି ଅନ୍‌ଲାଇନରେ କରାଯିବ। କରୋନା ମହାମାରୀ ଲାଗି ଆସନ୍ତା ୨୦ରେ ହେବାକୁ ଥିବା ମେଡିକାଲ ଅଫିସର ପଦବୀ ନିମନ୍ତେ ପରୀକ୍ଷା ଅନ୍‌ଲାଇନରେ କରାଯିବ। ପରୀକ୍ଷା ପରିଚାଳନା ନିମନ୍ତେ ଏକ ବେସରକାରୀ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଛି। ଯଦି ଏଥର ସଫଳ ଭାବେ ପରୀକ୍ଷା ପରିଚାଳନା ହୁଏ ତେବେ ଆଗକୁ ସମସ୍ତ ପରୀକ୍ଷା ଅନ୍‌ଲାଇନରେ କରାଯିବ। ବିଶେଷକରି ଅଧିକ ସଂକ୍ଷିପ୍ତ ପ୍ରଶ୍ନ ଥିବା ପରୀକ୍ଷାଗୁଡିକ ଅନ୍‌ଲାଇନରେ କରାଯିବ ବୋଲି ଓପିଏସ୍‌ସି ସେକ୍ରେଟାରୀ ଅଶୋକ କୁମାର ଦାଶ କହିଛନ୍ତି। ଇନ୍‌ସ୍ୟୁରାନ୍ସ ମେଡିକାଲ ଅଫିସର ପଦବୀ ନିମନ୍ତେ ଭୁବନେଶ୍ୱରର ୨ଟି କେନ୍ଦ୍ରରେ ପରୀକ୍ଷା କରାଯିବ। ଏଥର ପରୀକ୍ଷାରେ ପରୀକ୍ଷାର୍ଥୀଙ୍କ ଫଟୋ ଯାଞ୍ଚ ବାଧ୍ୟତାମୂଳକ କରାଯାଇଛି। ପ୍ରତ୍ୟେକ ପରୀକ୍ଷାର୍ଥୀ ଆବେଦନ ସମୟରେ ଯେଉଁ ଫଟୋ ଦେଇଥିବେ ତାହା ଆଡ୍‌ମିଟ କାର୍ଡରେ ଡାଉନ୍‌ଲୋଡ କରିବେ। ସେହି ଫଟୋର ଆଉ ଏକ କପି ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବାବେଳେ ସାଥିରେ ନେଇଥିବେ। ପରୀକ୍ଷକ ଫଟୋ ଯାଞ୍ଚ କରିବା ପରେ ପରୀକ୍ଷାର୍ଥୀଙ୍କୁ ଭିତରକୁ ଛାଡିବେ। ଏହାଦ୍ୱାରା ଜଣେ ଅନ୍ୟ ଜଣଙ୍କ ପାଇଁ ପରୀକ୍ଷା ଦେଇପାରିବେ ନାହିଁ ବୋଲି ଓପିଏସ୍‌ସି କର୍ତ୍ତୃପକ୍ଷ ଆଶା ରଖିଛନ୍ତି ା

Share