କାର୍ଯ୍ୟକାରୀ ହେଲାନି ହାଇକୋର୍ଟଙ୍କ ନିର୍ଦ୍ଦେଶ

ନୟାଗଡ,୨୩।୬(ଲୋକନାଥ ମିଶ୍ର): ନୟାଗଡ ଜିଲା ନୂଆଗାଁ ତହସିଲ ସାନହମରା ମୌଜାର ଏକ ଜମିରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଚାଷୀ ଧାନ ନ ବୁଣି ପାରି ଗୁରୁବାର ଫେରିଛନ୍ତି। ନୂଆଗଁା ତହସିଲଦାର ଓ ମହିପୁର ଆରଆଇଙ୍କ ବାରଣ, ବିଲ ମୁଣ୍ଡରେ ଆଦିବାସୀ ଲୋକ ମାରଣାସ୍ତ୍ର ଧରି ଜଗି ବସିଥିବାରୁ ନିରାଶ ହୋଇ ଚାଷୀ ଫେରିଛନ୍ତି ବୋଲି ଅଭିଯୋଗ ହୋଇଛି।
ସାନହମରା ମୌଜାରେ ହାଇକୋର୍ଟଙ୍କ ସ୍ଥିତାବସ୍ଥା ରହିଥିବା ଏକ ଜମି ଉପରେ ନୂଆଗାଁ ତହସିଲ ଓ ବନବିଭାଗ ପକ୍ଷରୁ କିଛି ଦିନ ତଳେ ନାଲି ପତାକା ମରାଯାଇଥିଲା। ନାଲି ପତାକା ମରାଯିବା ପରେ ଜମି ଦଖଲରେ ଥିବା କଣ୍ଟାବଣିଆ ଗାଁର ରାଘବ ନାୟକ ଅସନ୍ତୋଷ ବ୍ୟକ୍ତ କରି ନୟାଗଡ଼ ଜିଲାପାଳଙ୍କୁ ଫେରାଦ୍‌ ହୋଇ ହାଇକୋର୍ଟଙ୍କ ନିର୍ଦ୍ଦେଶ ସହ ଅନ୍ୟ କାଗଜାତ ଦାଖଲ କରିଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଅନୁଧ୍ୟାନ କରିବା ପରେ ଜିଲାପାଳ ଏନେଇ ବିହିତ କାର୍ଯ୍ୟାନୁଷ୍ଠାନ ନେବାକୁ ତହସିଲଦାରଙ୍କ ପାଖକୁ ପଠାଇଥିଲେ। ତେବେ ରାଘବ ଧାନ ବୁଣି ଫେରିବା ପରେ ପୁଣି ହାଇକୋର୍ଟକୁ ଯିବେ ବୋଲି ଜଣାପଡିଛି। ଅଭିଯୋଗ ଅନୁସାରେ କଣ୍ଟାବଣିଆ ଗାଁର ରାଘବ ନାୟକଙ୍କ ପରିବାର ବାପା ଜେଜେବାପା ଅମଳରୁ ସାନହମରା ମୌଜାରେ ଖାତା ନଂ. ୭୩, ପ୍ଲଟ ନଂ. ୧୬୧ ଓ ୧୫୩ରେ ୧.୪୭ ଏକର ଜମି ୮୦ ବର୍ଷ ହେଲା ଦଖଲ କରି ଆସଛନ୍ତି। ସେଟେଲମେଣ୍ଟ ପୂର୍ବରୁ ଜମିର କିସମ ପତିତ ଥିଲା। ସେଟେଲମେଣ୍ଟ ସମୟରେ ଜମି ନିଜ ନାଁରେ  ରେକର୍ଡ କରାଇ ପାରି ନ ଥିଲେ। ଏନେଇ ଉପଜିଲାପାଳଙ୍କ କୋର୍ଟରେ ଏକ ମାମଲା କ଼ରିବା ପରେ ରାଘବଙ୍କ ନାଁରେ ରେକର୍ଡ କରିବାକୁ ଉପଜିଲାପାଳ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ତହସିଲଦାର ରାଘବଙ୍କ ନାଁରେ ରେକର୍ଡ ନ କରି ହାଲ ସେଟେଲମେଣ୍ଟରେ ପତିତ କିସମ ପରିବର୍ତ୍ତନ କରି ମେଲା ଜଙ୍ଗଲ କିସମରେ ବଦଳାଇ ଦେଲେ। ପରବର୍ତ୍ତି ପର୍ଯ୍ୟାୟରେ ୨୦୨୧ରେ ସାନହାମରା ଗ୍ରାମବାସୀଙ୍କ ଅଭିଯୋଗକୁ ଭିତ୍ତି କରି ନୂଆଗାଁ ତହସିଲଦାର ଓ ଖେଡପଡା ଫରେଷ୍ଟର ଜମିକୁ ମାପଚୁପ କରି ନାଲିପତାକା ପୋତିଦେଲେ। ଏନେଇ ରାଘବ ହାଇକୋର୍ଟ ଯିବା ପରେ ସ୍ଥିତାବସ୍ଥା ଜାରି ରହିଛି। ହାଇକୋର୍ଟରେ କେଶ ସ୍ଥଗିତାଦେଶ ଥିବାବେଳେ ପୁଣି ନୂଆଗାଁ ତହସିଲଦାର ଓ ଖେଡପଡା ଫରେଷ୍ଟର ଜମିକୁ ମାପଚୁପ କରି ନାଲିପତାକା ପୋତି ସାନହାମରା ଗାଁଲୋକଙ୍କୁ ଜମି ହସ୍ତାନ୍ତର କରିଛନ୍ତି। ମହିପୁର ଆରଆଇ ଅଶୋକ ପଢ଼ିଆରୀ କୁହନ୍ତି, ତହସିଲଦାରଙ୍କ ନିର୍ଦ୍ଦେଶ ଅନୁସାରେ ଚାଷୀଙ୍କୁ ଧାନ ବୁଣିବାକୁ ମନା କରାଯାଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ପରବର୍ତ୍ତି ପଦକ୍ଷେପ ନିଆଯିବ। ଅଯଥାରେ ବିବାଦ ନ ଲାଗିବାକୁ ପରାମର୍ଶ ପରେ ଚାଷୀ ଫେରି ଯାଇଛନ୍ତି। ରାଘବ ନାୟକ କୁହନ୍ତି, ମୁଁ କୋର୍ଟଙ୍କୁ ସମ୍ମାନ ଦେଇ ଆସିଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଖାଇବା ପରେ ନ୍ୟାୟ ନ ମିଳିବାରୁ କୋର୍ଟକୁ ପୁଣି ଯିବି ବୋଲି କହିଛନ୍ତି।