ଭୁବନେଶ୍ୱର, ୯ା୪(ସୁନିତ୍ ମିଶ୍ର):ଓ୍ବକ୍ଫ ବିଲ୍ ପ୍ରସଙ୍ଗରେ ବିଜେଡି ଭାଗ ହୋଇଯାଉଥିବା ଦେଖିବାକୁ ମିଳୁଛି। ପାଣ୍ଡିଆନ୍ଙ୍କୁ ସୁରକ୍ଷା ଦେବାକୁ ଗୋଟିଏ ଗୋଷ୍ଠୀ ଲାଗିପଡ଼ିଛନ୍ତି। ଅନ୍ୟପଟେ ପାଣ୍ଡିଆନ୍ଙ୍କ ହାତରୁ ବିଜେଡି ସାଙ୍ଗଠନିକ ଦାୟିତ୍ୱ ରଖେଇ ନ ଦେବା ଲାଗି ତୃଣମୂଳସ୍ତରରୁ ଆରମ୍ଭକରି ରାଜ୍ୟସ୍ତର ପର୍ଯ୍ୟନ୍ତ ବହୁ ଭାଗରେ ବିଜେଡି ନେତାମାନେ ଏକାଠି ହେବାରେ ଲାଗିପଡ଼ିଛନ୍ତି। ଗୋଟିଏ ପଟେ ଓ୍ବକ୍ଫ ବିଲ୍କୁ ନେଇ ଦଳରେ ହୋଇଥିବା କ୍ଷତି ପାଇଁ ପାଣ୍ଡିଆନ୍ ଦାୟୀ ନୁହନ୍ତି ଏକଥା ପ୍ରମାଣ କରିବା ଲାଗି ଜୋର୍ଦାର ଉଦ୍ୟମ ଚାଲିଛି। ଅନ୍ୟପଟେ କେତେଜଣ ପୂର୍ବତନ ବିଧାୟକ ଏବଂ ଏବର ବିଧାୟକ ଏକାଠି ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଅଧିକାଂଶ ପୂର୍ବତନ ବିଧାୟକ ଓ ମନ୍ତ୍ରୀଙ୍କ ପୁଅ ରହିଛନ୍ତି। ଏଥିରୁ ସ୍ପଷ୍ଟ ବୁଝାପଡୁଛି ଦଳରେ ଯେଉଁ ପାଣ୍ଡିଆନ୍ ସୁରକ୍ଷା ଅଭିଯାନ ଆରମ୍ଭ ହୋଇଛି ସେହି କଥାରେ ବହୁ ନେତା ସହମତ ନାହାନ୍ତି। ଏପରିକି ଏଭଳି ଏକାଠି ନ ହେବାକୁ ଦିଆଯାଇଥିବା ନିର୍ଦ୍ଦେଶକୁ ବାଏଁ ବାଏଁ ଉଡ଼ାଇ ଦେଇଛନ୍ତି। ମଙ୍ଗଳବାର ବୈଠକ କରିଥିବା ବିଜେଡିର ଗୋଟିଏ ଗୋଷ୍ଠୀ ଏନେଇ ବୁଧବାର ଏକ ଦାବିପତ୍ର ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରିବେ ବୋଲି ଜଣାପଡ଼ିଛି। ବିଜେଡି ନେତା ତଥା ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତିଙ୍କ ଭୁବନେଶ୍ୱରସ୍ଥିତ ବାସଭବନରେ ଦିନ ୧୨ଟାରେ ଏକ ରୁଦ୍ଧଦ୍ୱାର ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ, ବିଧାୟକ ସୁନୀଲ ମହାନ୍ତି, ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ, ଚନ୍ଦ୍ରସାରଥି ବେହେରା, ପ୍ରଣବ ବଳବନ୍ତରାୟ, ବିଷ୍ଣୁବ୍ରତ ରାଉତରାୟ ପ୍ରମୁଖ ଏକାଠି ହୋଇଥିବା ଜଣାପଡ଼ିଛି। ବୈଠକରେ ମୁଖ୍ୟତଃ ଓ୍ବକ୍ଫ ବିଲ୍ ପ୍ରସଙ୍ଗ ନେଇ ଆଲୋଚନା ହୋଇଥିବା କୁହାଯାଉଛି। ଏଥିରେ ଯୋଗଦେଇଥିବା ଜଣେ ବିଧାୟକ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, ଦଳର ମୂଳ ବିଷୟ ନେଇ ଆଲୋଚନା ହୋଇଛି। ଓ୍ବକ୍ଫ ବିଲ୍ ବିଷୟରେ ମଧ୍ୟ ଚର୍ଚ୍ଚା କରାଯାଇଛି। ଏହାଦ୍ୱାରା ତୃଣମୂଳସ୍ତରରେ ଦଳର ବ୍ୟାପକ କ୍ଷତି ହୋଇଛି। ନିର୍ବାଚନମଣ୍ଡଳୀରେ ଥିବା ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକମାନେ ବିଜେଡିଠାରୁ ମୁହଁ ଫେରାଉଛନ୍ତି। ଏକଥାକୁ ପ୍ରଶମିତ କରିବା ଲାଗି ଆଗକୁ କ’ଣ କରାଯିବ ସେ ବିଷୟରେ ଆଲୋଚନା ହୋଇଥିବା ସମ୍ପୃକ୍ତ ନେତା କହିଛନ୍ତି।


