ହାଇକୋର୍ଟଙ୍କ ନିର୍ଦ୍ଦେଶରେ ମୂଳ ସଂସ୍ଥାର କାମ ଆରମ୍ଭ

ପାରାଦୀପ,୩୦।୧୦(ସ୍ବ.ପ୍ର.): ପାରାଦୀପ ଇଫ୍‌କୋ କମ୍ପାନୀର ଜିପ୍‌ସମ୍‌ ପରିବହନକୁ ନେଇ ୩ ମାସ ହେଲା ଯେଉଁ ବିବାଦ ସୃଷ୍ଟି ହୋଇଥିଲା ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ତାହା ସମାଧାନ ହୋଇଛି। ଅର୍ଥାତ୍‌ ଜିପସମ୍‌ ପରିବହନ କାମ ପାଇଥିବା ଆର୍‌ଆର୍‌ପିଏଲ୍‌ ଓ ନିରାକାର କନଷ୍ଟ୍ରକଶନ୍‌ ଗୁରୁବାର ପୁଣି ପରିବହନ ଆରମ୍ଭ କରିଛନ୍ତି। ଉକ୍ତ ଜିପସମ୍‌ ପାରାଦୀପଠାରୁ ନିର୍ଗୁଣ୍ଡି ଯାଏ ପରିବହନ ହେଉଛି।
ଏହି ପରିବହନ କାମକୁ ପାରାଦୀପର ୩ଟି ଟ୍ରକ୍‌ ମାଲିକ ସଂଘକୁ ନେଇ ଗଠିତ ଜେସିସି (ଜଏଣ୍ଟ କୋଅର୍ଡିନେଶନ କମିଟି) ବିରୋଧ କରିବା ଯୋଗୁ ବିବାଦ ଉପୁଜିଥିଲା। ଆର୍‌ଆର୍‌ପିଏଲ୍‌ କମ୍ପାନୀ ଇଫ୍‌କୋ ଜିପସମ୍‌ ନେବାପାଇଁ ଟେଣ୍ଡରରେ ଅଗ୍ରାଧିକାର ପାଇଥିଲା। ଉକ୍ତ କମ୍ପାନୀ ପାରାଦୀପର ନିରାକାର କନଷ୍ଟ୍ରକଶନ୍‌ ନାମକ ସଂସ୍ଥାକୁ ଏହି ପରିବହନ କାମ ଦେଇଥିଲା। ଏପରି ବ୍ୟବସ୍ଥାକୁ ଜେସିସି ବିରୋଧ କରିଥିଲା। ସେତେବେଳେ ଜେସିସି ପକ୍ଷରୁ କୁହାଯାଇଥିଲା ଯେ, ଇଫକୋ ସମସ୍ତ ପଣ୍ୟ ପରିବହନ ପାଇଁ ଜେସିସି ସହିତ ଚୁକ୍ତି କରିଛି। ତେଣୁ ନୂଆ ପରିବହନ ସଂସ୍ଥାକୁ ଗତ ସେପ୍ଟେମ୍ବର ୩ରେ ଜେସିସି ବିରୋଧ କରିଥିଲା। ଫଳରେ ପ୍ରାୟ ୫ ଦିନ ଧାରଣା ପରେ ପ୍ରଶାସନ, ଇଫ୍‌କୋ, ଜେସିସି, ପରିବହନକାରୀ ସଂସ୍ଥା ଆଦିଙ୍କୁ ନେଇ ଏକାଧିକ ଥର ବୈଠକପରେ ନିରାକାର କନଷ୍ଟ୍ରକଶନ୍‌ ପରିବହନକୁ ବନ୍ଦ କରାଯାଇଥିଲା। ଏହାର ପ୍ରତିବାଦରେ ଉକ୍ତ ସଂସ୍ଥା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା। ଶେଷରେ କୋର୍ଟ ମୂଳସଂସ୍ଥା ସପକ୍ଷରେ ପରିବହନ ନିର୍ଦ୍ଦେଶ ଦେଇଥିଲେ। ଏହି ଘଟଣା ସମ୍ପର୍କରେ ଜେସିସିର ବରିଷ୍ଠ କର୍ମକର୍ତ୍ତା ପ୍ରକାଶ କୁମାର ଜେନା କୁହନ୍ତି, ଏବେ କୋର୍ଟଙ୍କ ଅର୍ଡର ବିରୋଧରେ ଯିବୁନାହୁଁ। କିନ୍ତୁ ସେହିଭଳି ନ୍ୟାୟିକ ବିରୋଧ ଆଗାମୀ ସମୟରେ କରାଯିବ। ନିରାକାର ପରିବହନର ମୁଖ୍ୟ ବାପୁ ପରିଡା କୁହନ୍ତି, କାହା ବିରୋଧରେ ଆମର କିଛି କହିବାର ନାହିଁ। ଅନ୍ୟପକ୍ଷରେ କୋର୍ଟଙ୍କ ରାୟ ଉପରେ ଇଫକୋ କର୍ତ୍ତୃପକ୍ଷ କିଛି କହିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି।