ଭୋଜି କରି ୭ ହଜାର ତଣ୍ଡ ଗଣିଲେ ଆୟୋଜକ

ରୂପ୍‌ସା,୬।୫(ଡି.ଏନ.ଏ.)  କରୋନା ସ୍ଥିତି ଜଟିଳ ହେଉଥିବାରୁ କଡ଼ାକଡ଼ି ଭାବେ କଟକଣା ପାଳନ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏଭଳି ସ୍ଥିତିରେ ବାଲେଶ୍ୱର ସଦର ବ୍ଲକ ରୂପ୍‌ସା ଥାନା ଅଧୀନ ମିରିଗିମୁଣ୍ଡି ଗ୍ରାମରେ ଭୋଜିଭାତର ଆୟୋଜନ କରି ଜରିମାନା ଗଣିଛନ୍ତି ଆୟୋଜକ। ସୂଚନା ଅନୁସାରେ, ଗ୍ରାମର ପୂର୍ଣ୍ଣଚନ୍ଦ୍ର ବେହେରା ତାରିଣୀ ମନ୍ଦିରରେ ପୂଜାପାଠ ଆୟୋଜନ ଅବସରରେ ଭୋଜିଭାତ ବ୍ୟବସ୍ଥା କରିଥିଲେ। ଏ ସମ୍ପର୍କରେ ଖବର ପାଇ ପ୍ରଶାସନ ପକ୍ଷରୁ ଚଢ଼ାଉ କରି କୋଭିଡ୍‌ କଟକଣା ଉଲ୍ଲଂଘନ ଅଭିଯୋଗରେ ତାଙ୍କଠାରୁ ୭ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ଏଥିସହ ରନ୍ଧାଖାଦ୍ୟ ଜବତ ହୋଇଛି।
ପୂର୍ଣ୍ଣଚନ୍ଦ୍ର ମାନସିକ ରକ୍ଷା ପାଇଁ ମଙ୍ଗଳବାର ଗଁା ତାରିଣୀ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ଏଥିପାଇଁ ସେ ୨୫୦ ଲୋକଙ୍କ ଲାଗି ପ୍ରସାଦ ସେବନ ବ୍ୟବସ୍ଥା କରିଥିଲେ। ପ୍ରଶାସନ ଅଗୋଚରରେ ଗଁାରେ ଭିଡ଼ ଜମିବାକୁ ବିରୋଧ କରିଥିଲେ ସ୍ଥାନୀୟ ଲୋକେ। ଖବର ପାଇ ତହସିଲଦାର ଅନାମିକା ସିଂହ, ରୂପ୍‌ସା ଥାନାଧିକାରୀ କମଳାକାନ୍ତ ଦାସ ପ୍ରମୁଖ କର୍ମଚାରୀଙ୍କ ସହ ଘଟଣାସ୍ଥଳରେ ପହଞ୍ଚି ସତ୍ୟାସତ୍ୟ ଅନୁଧ୍ୟାନ କରିଥିଲେ। ତହସିଲଦାର ପୂଜାପାଠରେ ବାଧା ନ ଦେଇ ଅଯଥା ଭିଡ଼ ଓ ଭୋଜିଭାତ ବ୍ୟବସ୍ଥା ନେଇ ତାଗିଦ୍‌ କରିଥିଲେ। ଅଧିକାଂଶ ଲୋକେ ମାସ୍କ ପିନ୍ଧି ନ ଥିବା ଓ ସାମାଜିକ ଦୂରତା ନ ଥିବା ଦେଖି ତହସିଲଦାର ଆୟୋଜକଙ୍କଠାରୁ ଜରିମାନା ଆଦାୟ କରିଥିଲେ। ସମସ୍ତ ରନ୍ଧାଖାଦ୍ୟକୁ ସେ ବାଲେଶ୍ୱରର ଏକ ଅନାଥାଶ୍ରମ ଓ ବସ୍ତିବାସିନ୍ଦାଙ୍କୁ ବାଣ୍ଟି ଦେଇଥିବା ଜଣାଯାଇଛି।

Share