ସଖୀ ନାଚର କାହାଣୀ କହିବ ‘ନାଚବାଲି’

ଭୁବନେଶ୍ୱର, ୧୧।୪ (ବ୍ୟୁରୋ): ନବେ ଦଶକରେ ସଖୀ ନାଚ ବେଶ୍‌ ଲୋକପ୍ରିୟତା ଅର୍ଜନ କରିଥିଲା। ବିଶେଷକରି ଗାଁ ଗହଳିର ବିଭିନ୍ନ ଉତ୍ସବରେ ସଖୀ ନାଚକୁ ପ୍ରାଧାନ୍ୟ ମିଳୁଥିଲା। ପୁଅମାନେ ଝିଅ ବେଶ ହୋଇ ଗାଁ ଗାଁ ବୁଲି ଏହି ନାଚ ପରିବେଷଣ କରୁଥିଲେ। ମାତ୍ର ସମୟ ବଦଳିବା ସହ ଯାତ୍ରା, ମେଲୋଡି ଓ ଅନ୍ୟାନ୍ୟ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଏହି ସଖୀ ନାଚର ସ୍ଥାନ ନେଲେ। ବଣ ମଲ୍ଲି ବଣରେ ଝଡିଯିବା ଭଳି ସଖୀ ନାଚ କଳାକାରଙ୍କ ପ୍ରତିଭା ଗାଁ ଭିତରେ ହିଁ ସୀମିତ ହୋଇ ରହିଗଲା। ଲୋକଙ୍କ ମାନସପଟ୍ଟରୁ କ୍ରମଶଃ ଲିଭି ଆସୁଥିବାବେଳେ ଓଡ଼ିଶାର ଏହି ଲୁପ୍ତପ୍ରାୟ କଳାକୁ ନେଇ ଖୁବ୍‌ଶୀଘ୍ର ରିଲିଜ୍‌ ହେବାକୁ ଯାଉଛି ଓଡ଼ିଆ ଚଳଚ୍ଚିତ୍ର ‘ନାଚବାଲି’। ଚଳଚ୍ଚିତ୍ରର ମୁଖ୍ୟ ଭୂମିକା କୁଇନ୍‌ର ଚରିତ୍ର ଆସୁଛନ୍ତି କିନ୍ନର ଆୟେଶା ବେହେରା। ସେହିଭଳି ସୋମୁ (ସଖୀ)ଭୂମିକାରେ ଅଛନ୍ତି ବିଭୁଦତ୍ତ ଦାସ ଓ ଧିରୁ (ମ୍ୟାନେଜର) ଭୂମିକାରେ ଅଛନ୍ତି ସୁଧାଂଶୁ ଶତପଥୀ। ଓଡ଼ିଶୀ ନୃତ୍ୟ ଗୁରୁ ଶାଶ୍ୱତ ଯୋଶୀ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିବାବେଳେ ଏହାର ପ୍ରଯୋଜନା ଦାୟିତ୍ୱ ନେଇଛନ୍ତି ଏସ୍‌ଜେ ପ୍ରଡକ୍ସନ ହାଉସ୍‌ ଓ ଲାସ୍ୟକଳା।

ଚଳଚ୍ଚିତ୍ରର କାହାଣୀ ଅନୁଯାୟୀ, କୁଇନ ଓ ସୋମୁ ଦୁହେଁ ଗାଁ ଗାଁ ବୁଲି ନାଚ ପରିବେଷଣ କରନ୍ତି। ଲୋକେ ସ୍ନେହରେ ତାଙ୍କୁ ନାଚବାଲି ବୋଲି ଡାକନ୍ତି। କାର୍ଯ୍ୟକ୍ରମର ପୂରା ଦାୟିତ୍ୱ ବୁଝନ୍ତି ମ୍ୟାନେଜର ଧିରୁ। ସବୁକିଛି ଠିକ୍‌ ଠାକ୍‌ ଚାଲିଥିବାବେଳେ ଧିରେ ଧିରେ ଏହି ନାଚର ଲୋକପ୍ରିୟତା କମିବାକୁ ଲାଗେ। ଏମାନେ ଗାଉଁଲି ଅଶିକ୍ଷିତ ହୋଇଥିବାରୁ ଆଗକୁ ବଢି ପାରନ୍ତି ନାହିଁ। ଶେଷରେ କାମ ନ ପାଇ ସେମାନଙ୍କୁ ଭୋକ ଉପାସରେ ଦିନ ବିତାଇବାକୁ ପଡେ। ପରିସ୍ଥିତି ଏପରି ହୁଏ ଶେଷରେ ମୁଠାଏ ଦାନା ପାଇଁ ସେମାନେ ପରସ୍ପର ଉପରେ ଆକ୍ରମଣ କରିବାକୁ ପଛାନ୍ତି ନାହିଁ। ଏଭଳି ଏକ ମର୍ମସ୍ପର୍ଶୀ କାହାଣୀକୁ ନେଇ ଚଳଚ୍ଚିତ୍ରଟି ପ୍ରସ୍ତୁତ ହୋଇଛି। ୨୯ ମିନିଟ୍‌ର ଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ସୁମିତ ଦିକ୍ଷୀତ। ‘ନାଚବାଲି ପୁଣି ନାଇବ ନୂପୂର’ ଗୀତଟି ଅତ୍ୟନ୍ତ ହୃଦୟସ୍ପର୍ଶୀ ହୋଇପାରିଛି। ଆସନ୍ତା ୨୯ ତାରିଖ ବିଶ୍ୱ ନୃତ୍ୟ ଦିବସ ଅବସରରେ ଏହା ରିଲିଜ୍‌ ହେବ। ଭୁବନେଶ୍ୱରରେ ଏହାର ପ୍ରିମିୟର ହେବା ସହ ‘ଶାସ୍ବତ ଯୋଶୀ ୟୁଟୁବ୍‌’ ଚ୍ୟାନେଲରେ ରିଲିଜ୍‌ କରାଯିବ। ଗତ ୧ବର୍ଷ ଧରି ସେ ଏହି କଳା ଉପରେ ଗବେଷଣା କରିବା ପରେ ଚଳଚ୍ଚିତ୍ରଟି ନିର୍ମାଣ କରିଥିବା ଶାଶ୍ୱତ କହିଛନ୍ତି।

Share