ଯାଜପୁର ଅଫିସ,୨୮ା୬: ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟର କାର୍ଯ୍ୟ ଓଡ଼ିଆ ଭାଷାରେ କରିବା ପାଇଁ ଉଦ୍ୟମ କରାଯିବ। ଏନେଇ ୨୨ା୯ା୨୦୧୬ରେ ଓଡ଼ିଶା ସରକାରୀ ଭାଷା ସଂଶୋଧିତ ଅଧିନିୟମ ୨୦୧୬ର ଧାରା-୨ର ଉପଧାରା(୨) ଅନୁଯାୟୀ ଅଧିସୂଚନା ଜାରି ହୋଇଥିଲା। ଓଡ଼ିଶା ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ଏହି ଅଧିସୂଚନା କେବଳ ଉଦ୍ୟମରେ ସୀମିତ ରହିଛି। ଆଜିବି ଅଧିକାଂଶ ସରକାରୀ କାର୍ଯ୍ୟ କେବଳ ଇଂଲିଶରେ ହେଉଥିବା ଦେଖିବାକୁ ମିଳିଛି। ରାଜ୍ୟରେ ବିଭିନ୍ନ ମହଲରେ ଓଡ଼ିଆ ଭାଷାର ସୁରକ୍ଷା ପାଇଁ ଲଢ଼େଇ ଜାରି ରହିଛି। କିନ୍ତୁ ସରକାର ନିଜେ ଜାରି କରିଥିବା ଅଧିସୂଚନାକୁ ଭୁଲିଯାଇଛନ୍ତି। ଫଳରେ ଆମେ ଓଡ଼ିଆ ହୋଇ ଓଡ଼ିଆ ଭାଷା ପାଇଁ ସଂଗ୍ରାମ କରୁଛେ ବୋଲି କ୍ଷୋଭ ପ୍ରକାଶ ପାଉଛି।
ଅଧିସୂଚନାରେ ଆହୁରି ଦର୍ଶାଯାଇଥିଲା ଯେ, ସମସ୍ତ ବିଭାଗରେ ଓଡ଼ିଆରେ ହସ୍ତଗତ ହେଉଥିବା ଦରଖାସ୍ତ/ପତ୍ରର ଫଏସଲା କରାଯାଇ ଆବେଦନକାରୀଙ୍କୁ ଓଡ଼ିଆରେ ଜଣାଇ ଦିଆଯିବ। ବିଧାନସଭା ସଂକ୍ରାନ୍ତୀୟ ସମସ୍ତ ବିଲ୍ ଉଭୟ ଇଂଲିଶ ଏବଂ ଓଡ଼ିଆରେ କରାଯିବ। ଅଧିସୂଚନା ପୂର୍ବରୁ ୧୭ା୮ା୨୦୧୬ରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ସରକାରୀ ଭାଷା କମିଟିର ପ୍ରଥମ ବୈଠକ ବସିଥିଲା। ସରକାରୀସ୍ତରରେ ବ୍ୟବହାର ହେଉଥିବା ସମସ୍ତ ନିମନ୍ତ୍ରଣ ପତ୍ର, ନାମଫଳକ ଓଡ଼ିଆ ଅଥବା ଉଭୟ ଇଂଲିଶ୍ ଏବଂ ଓଡ଼ିଆରେ କରିବା, ସାଧାରଣ ପ୍ରଶାସନ ବିଭାଗରେ ଓଡ଼ିଆ ଭାଷା ପ୍ରଭାଗର କାର୍ଯ୍ୟକାରିତା ପାଇଁ ଆବଶ୍ୟକ ପଦବୀ ସୃଷ୍ଟି ନିମନ୍ତେ ଅର୍ଥ ବିଭାଗକୁ ଅନୁରୋଧ କରିବା ଲାଗି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ପ୍ରତ୍ୟେକ ବର୍ଷ ଏପ୍ରିଲ ୧ରୁ ୭ ଯାଏ ଓଡ଼ିଆ ସପ୍ତାହ ପାଳନ କରାଯିବ। ଏଥିନିମନ୍ତେ ସମସ୍ତ ବିଭାଗ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରି କୃତୀ ବ୍ୟକ୍ତିଙ୍କୁ ପୁରସ୍କୃତ କରିବାକୁ ପରାମର୍ଶ ଦିଆଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ହେଲେ ଆଜି ଯାଏ ଓଡ଼ିଆ ସପ୍ତାହ ପାଳନ ହୋଇପାରିନାହିଁ କିମ୍ବା ସମସ୍ତ ବିଭାଗରେ ଓଡ଼ିଆ ଭାଷା ଉପଯୁକ୍ତ ଭାବେ ବ୍ୟବହାର ହୋଇ ପାରି ନ ଥିବା ଅଭିଯୋଗ ହେଉଛି। ସାହିତି୍ୟକ ହରେକୃଷ୍ଣ ପଣ୍ଡା କୁହନ୍ତି, ସରକାରଙ୍କ ଘୋଷଣାକୁ କାର୍ଯ୍ୟକାରୀ କରିବାରେ ଅମଲାମାନଙ୍କ ଆନ୍ତରିକତା ପ୍ରକାଶ ପାଉନାହିଁ। ଅନ୍ୟ ରାଜ୍ୟରେ ନିଜ ଭାଷା ପ୍ରତି ଥିବା ଆଦର ଆମ ରାଜ୍ୟରେ ନାହିଁ। ପ୍ରଶାସନିକ ବ୍ୟବସ୍ଥା ଓଡ଼ିଆ ଭାଷା ପ୍ରତି ଯନତ୍ବାନ ନୁହଁ ବୋଲି ମନେହେଉଛି।
ଗାଳ୍ପିକ ରାଜ୍ୟବର୍ଦ୍ଧନ ଧଳମହାପାତ୍ର କହିଛନ୍ତି, ଆମ ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇବା ପରେ ଆଶା କରାଯାଉଥିଲା ଏ ଭାଷାର ବିକାଶ ସହ ଏହାର ସାହିତ୍ୟର ଯଥେଷ୍ଟ ଉନ୍ନତି ସାଧନ ହେବ। ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଏ ଭାଷାରେ ପ୍ରକାଶିତ ପୁସ୍ତକର ଆଦର ଓ ଚାହିଦା ବଢ଼ିବ। ମାତ୍ର ୭ ବର୍ଷରୁ ଊର୍ଦ୍ଧ୍ୱକାଳ ଧରି ଶାସ୍ତ୍ରୀୟ ମାନ୍ୟତା ପାଇଥିଲେ ମଧ୍ୟ ଆମେ ଏବେବି ‘ଯଥା ପୂର୍ବଂ ତଥା ପରଂ’ ସ୍ଥିତିରେ ଅଛୁ। ଭାଷାର ବିକାଶ ପାଇଁ ସ୍ବତନ୍ତ୍ର ଭାବେ ପ୍ରତିଷ୍ଠିତ ଓଡ଼ିଆ ଭାଷା ବିଶ୍ୱବିଦ୍ୟାଳୟର ପ୍ରଗତି ମଧ୍ୟ ଆଖିଦୃଶିଆ ନୁହେଁ। ଗୋଟିଏ ଜାତି ବଞ୍ଚେ ତା’ର ଭାଷାକୁ ନେଇ। ଓଡ଼ିଶାର ଅନ୍ୟତମ ବୈଶିଷ୍ଟ୍ୟ ହେଉଛି ଭାରତର ଏକ ମାତ୍ର ରାଜ୍ୟ ଯିଏ ଭାଷା ଭିତ୍ତିରେ ଗଠିତ ହୋଇଛି। ମାତ୍ର କେତେଦିନ ଯାଏ ଆମେ ସେଇ କଥାକୁ ପୁଞ୍ଜିକରି ଚଳିପାରିବା। ତେଣୁ ପ୍ରତ୍ୟେକ ଭାଷାପ୍ରେମୀ ଓ ବୁଦ୍ଧିଜୀବୀଙ୍କର ଦାୟିତ୍ୱ ହେଉଛି ଏ ଭାଷାକୁ ବଞ୍ଚାଇବା ସହ ଏହାର ପ୍ରଚାର, ପ୍ରସାର ଓ ବିକାଶରେ ଭାଗୀଦାରି ହେବା।
ହର୍ଷବର୍ଦ୍ଧନ ବେହେରା