ମଡେଲଙ୍କ ଫଟୋକୁ ଏଡିଟ୍‌ କରି ବ୍ଲାକ୍‌ମେଲ୍‌ କରୁଥିଲେ

ଉମରକୋଟ, ୧୬।୭(ସ୍ବ.ପ୍ର.): ମୁମ୍ବାଇର ଜଣେ ମଡେଲଙ୍କ ଫଟୋକୁ ନଗ୍ନ ରୂପ ଦେଇ ଟଙ୍କା ମାଗିବା ଅଭିଯୋଗରେ ନବରଙ୍ଗପୁର ଜିଲା ଉମରକୋଟ ଅଞ୍ଚଳର ଜଣେ ଯୁବକଙ୍କୁ ଗିରଫ କରାଯାଇଛି। ସେ ହେଲେ ଉମରକୋଟ ବ୍ଲକ ସୁନାବେଡ଼ା ପଞ୍ଚାୟତ ସଦର ଗାଁର ସୌରଭ ମଣ୍ଡଳ(୨୧)। ସୌରଭ ଜୟପୁର ବିକ୍ରମଦେବ କଲେଜରେ ଯୁକ୍ତ ୩ରେ ପଢ଼ନ୍ତି। ସାଇବର କ୍ରାଇମ ଆଧାରରେ ମୁମ୍ବାଇ କ୍ରାଇମ ବ୍ରାଞ୍ଚ ପୋଲିସ ତାଙ୍କୁ ଗିରଫ କରି ଉମରକୋଟ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତରେ ହାଜର କରିଥିଲା। ସେଠାରୁ ତାଙ୍କୁ ଟ୍ରାଞ୍ଜିଟ ରିମାଣ୍ଡରେ ମୁମ୍ବାଇ ନିଆଯାଇଛି।

ସୂଚନା ମୁତାବକ, ମୁମ୍ବାଇର ଜଣେ ମଡେଲଙ୍କ ଫଟୋକୁ ଫେସ୍‌ବୁକ୍‌, ଇନ୍‌ଷ୍ଟାଗ୍ରାମରୁ ନେଇ ତାହାକୁ ବିଭିନ୍ନ ପ୍ରକାର ନଗ୍ନ ରୂପ ଦେଇ ସୌରଭ ଏଡିଟ୍‌ କରୁଥିଲେ। ପରବର୍ତ୍ତୀ ସମୟରେ ଉକ୍ତ ମଡେଲଙ୍କୁ ସୋସିଆଲ ମିଡ଼ିଆରେ ଯୋଗାଯୋଗ କରି ଫଟୋ ଦେଖାଇ ବ୍ଲାକ୍‌ମେଲ୍‌ କରୁଥିଲେ। ମଡେଲ ଜଣଙ୍କ ଅନ୍ୟ କିଛି ଉପାୟ ନ ପାଇ ସୌରଭଙ୍କୁ ଟଙ୍କା ପଠାଇଥିଲେ। ସୌରଭ କିନ୍ତୁ ମଡେଲଙ୍କୁ ଏକାଧିକ ଥର ଟଙ୍କା ମାଗିଥିଲେ। ଏନେଇ ମଡେଲ ଜଣକ ନିଜ ସମସ୍ତ ସୋସିଆଲ ମିଡିଆ ଆକାଉଣ୍ଟ ବନ୍ଦ କରି ଦେଇଥିଲେ। କିନ୍ତୁ ସୌରଭ ଓ ତାଙ୍କର କେତେଜଣ ସହଯୋଗୀ ମଡେଲଙ୍କ ଭାଇଙ୍କୁ ଖୋଜି ସୋସିଆଲ ମିଡିଆରେ ଉକ୍ତ ଫଟୋ ପଠାଇ ପୁଣି ଟଙ୍କା ମାଗିଥିଲେ। ଏନେଇ ମଡେଲଙ୍କ ଭାଇ ମହାରାଷ୍ଟ୍ର ସାଇବର ପୋଲିସରେ ସୌରଭ ଓ ଅନ୍ୟଙ୍କ ନାମରେ ଅଭିଯୋଗ କରିଥିଲେ। ମୁମ୍ବାଇ ପୋଲିସ କେସ୍‌ ନଂ. ୨୩/୨୧ରେ ମାମଲା ରୁଜୁ କରି ଏହାକୁ ମୁମ୍ବାଇ କ୍ରାଇମ ବ୍ରାଞ୍ଚକୁ ହସ୍ତାନ୍ତର କରିଛି। ଏପିଆଇ ଜୟଦୀପ ୟାଦବଙ୍କ ତତ୍ତ୍ୱାବଧାନରେ ତିନିଜଣିଆ ଟିମ୍‌ ଉମରକୋଟ ପୋଲିସ ସହାୟତାରେ ଗୁରୁବାର ରାତିରେ ସୌରଭଙ୍କ ଘରେ ପହଞ୍ଚତ୍ ତାଙ୍କୁ ଗିରଫ କରିଥିଲେ। ପୋଲିସ ସୌରଭଙ୍କ ମାବାଇଲ ଜବତ କରିଛି। ଏହ ମାମଲାରେ ଜଡିତ ଅନ୍ୟ ଦୁଇ ଜଣଙ୍କୁ ମୁମ୍ବାଇରୁ ଗିରଫ କରାଯାଇଛି।

Share