ଭୁବନେଶ୍ୱର, ୨୮।୨(ଅସମାପିକା ସାହୁ): ଶିମିଳିପାଳରେ ଏବେ କଳା ବାଘ ବଂଶ ବୃଦ୍ଧି ପାଉଛି। ଯଦିଓ ଏହିଭଳି କଳାବାଘ କେବଳ ଶିମିଳିପାଳରେ ଦେଖାଯାଉଥିବାରୁ ବନ ବିଭାଗ ଖୁସି ହେଉଛି, ତଥାପି ଏହାର ସଂଖ୍ୟା ବଢ଼ୁଥିବାରୁ ଚିନ୍ତା ମଧ୍ୟ ଘାରୁଛି। ତେଣୁ ଏହାର ସମାଧାନ ପାଇଁ ବାହାରୁ ବାଘୁଣୀ ଆଣି ଶିମିଳିପାଳରେ ଛାଡ଼ିବା ପାଇଁ ବନ ବିଭାଗ ଚିନ୍ତା କରିଛି। ଶିମିଳିପାଳରେ ଏବେ ୧୩ଟି କଳା ବାଘ ରହିଛନ୍ତି। ଇନ୍ ବ୍ରିଡିଂ ଯୋଗୁ କଳା ବାଘଙ୍କ ସଂଖ୍ୟା ବଢ଼ୁଥିବା ପିସିସିଏଫ୍ (ବନ୍ୟପ୍ରାଣୀ) ସୁଶାନ୍ତ ନନ୍ଦ କହିଛନ୍ତି। ଏହି ସମସ୍ୟାର ସମାଧାନ ପାଇଁ ଅନ୍ୟ ସ୍ଥାନରୁ ବାଘୁଣୀ ଆଣି ଶିମିଳିପାଳରେ ଛାଡ଼ିବାକୁ ଯୋଜନା ହୋଇଛି। ଏଥିପାଇଁ ଏନ୍ଟିସିଏ ଏବଂ ୱାଇଲ୍ଡ ଲାଇଫ୍ ଇନ୍ଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ ସହ ଯୋଗାଯୋଗ କରାଯାଇଛି ବୋଲି ସେ ପ୍ରକାଶ କରିଛନ୍ତି। ସେହିଭଳି ଓଡ଼ିଶାରେ ପ୍ରତିବର୍ଷ ବାଘ ଗଣନା ହେବ। କ୍ୟାମେରା ଟ୍ରାପ୍ ଜରିଆରେ ବର୍ଷ ସାରା ମହାବଳ ବାଘଙ୍କ ସ୍ଥିତି ଉପରେ ନଜର ରହିବ ବୋଲି ମଙ୍ଗଳବାର ପିସିସିଏଫ୍ କାର୍ଯ୍ୟାଳୟରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ନନ୍ଦ ଏହି ସୂଚନା ଦେଇଛନ୍ତି। ସେପଟେ ସାତକୋଶିଆରେ ଗୋଟିଏ ବି ମହାବଳ ବାଘ ନାହାନ୍ତି। ଅଭୟାରଣ୍ୟ ଭିତରେ ଥିବା ଜନବସତିକୁ ସମ୍ପୂର୍ଣ୍ଣ ବିସ୍ଥାପିତ କରିବା ପରେ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପରେ ବାଘ ଛଡ଼ାଯିବା ନେଇ ଯୋଜନା କରାଯିବ। ଶିମିଳିପାଳରେ ବାଘ ସଂଖ୍ୟା ବଢ଼ିବା ପରେ ମହାବଳ ନୂଆ ଟେରିଟୋରି ସନ୍ଧାନରେ ଅଛନ୍ତି। ତେଣୁ କେନ୍ଦୁଝର, ହଦଗଡ଼ ଓ କୁଲଡ଼ିହାକୁ ମିଶାଇ ଗ୍ରେଟର ଶିମିଳିପାଳ ଲ୍ୟାଣ୍ଡସ୍କେପ ବିକାଶ କରାଯାଉଛି ବୋଲି ପିସିସିଏଫ୍ କହିଛନ୍ତି।