ନୂଆ ଆଇନ: ଅଫିସ ଛାଡ଼ିବା ପରେ କର୍ମଚାରୀଙ୍କୁ ଆଉ କଲ୍‌ କରିପାରିବେନି ମାଲିକ

ଲିସ୍‌ବନ,୧୨ା୧୧: ପ୍ରାୟତଃ କର୍ମଚାରୀମାନେ ଅଫିସରୁ ଘରକୁ ଯିବା ପରେ ମଧ୍ୟ ମାଲିକଙ୍କ ଫୋନ୍‌ କଲ୍‌ ଏବଂ ମେସେଜ୍‌ ଯୋଗୁ ଅସୁବିଧାରେ ପଡ଼ିଥାନ୍ତି। ଏଥି ସହିତ ଗତ ଦୁଇବର୍ଷ ମଧ୍ୟରେ କରୋନା ମହାମାରୀ ଯୋଗୁ ଘରୁ କାମ କରିବା ଅଭ୍ୟାସ ଯଥେଷ୍ଟ ବୃଦ୍ଧି ପାଇଛି। ଏଭଳି ପରିସ୍ଥିତିରେ ଲୋକମାନେ ମଧ୍ୟ ଦୀର୍ଘ ସମୟ ଧରି କାମ କରିବାକୁ ପଡୁଛି ବୋଲି ଅଭିଯୋଗ ଆସୁଛି। ଅଫିସ ସମୟ ସରିବା ପରେ ମଧ୍ୟ କାମ ଶେଷ ହୁଏ ନାହିଁ। ଲୋକଙ୍କ ଏହି ସମସ୍ୟାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଅନେକ ଦେଶ ଘରୁ କାମ ସମ୍ବନ୍ଧରେ ଆଇନ ପ୍ରଣୟନ କରିବା ଆରମ୍ଭ କରିଛନ୍ତି। ଦୁନିଆର ଏଭଳି ଏକ ଦେଶ ହେଉଛି ପର୍ତ୍ତୁଗାଲ, ଯାହା ଏକ ନୂତନ ନିୟମ ପ୍ରଣୟନ କରିଛି। ଅଫିସ ସମୟ ସରିବା ପରେ କର୍ମଚାରୀଙ୍କୁ କଲ୍‌, ମେସେଜ୍‌ କିମ୍ବା ଇମେଲ କରିବା ମାଲିକଙ୍କ ପାଇଁ ବେଆଇନ ଘୋଷିତ ହୋଇଛି। କେବଳ ଏତିକି ନୁହେଁ, ମାଲିକ ଏପରି କଲେ ଦଣ୍ଡ ମଧ୍ୟ ପାଇବେ।

ପର୍ତ୍ତୁଗାଲର ସଂସଦ ଦ୍ୱାରା ପାରିତ ହୋଇଥିବା ନୂତନ ନିୟମ ଅନୁଯାୟୀ, କମ୍ପାନୀଗୁଡ଼ିକ କେବଳ ଅଫିସ ସମୟ ପରେ ନୁହେଁ ବରଂ ସପ୍ତାହ ଶେଷରେ ମଧ୍ୟ ସେମାନଙ୍କ କର୍ମଚାରୀଙ୍କୁ କଲ୍‌ କିମ୍ବା ଇମେଲ କରିପାରିବେ ନାହିଁ। ଯଦି ସେମାନେ ଏପରି କରନ୍ତି, ତେବେ ସେମାନେ ଦଣ୍ଡର ସାମ୍ନା କରିବେ।

ଏହି ନୂତନ ଆଇନ ବିଷୟରେ ପର୍ତ୍ତୁଗାଲର ସାମାଜିକ ସୁରକ୍ଷା ମନ୍ତ୍ରୀ କହିଛନ୍ତି, କରୋନା ଅବଧି ସମୟରେ ଘରୁ କାମ ଏକ ନୂତନ ବାସ୍ତବତାରେ ପରିଣତ ହୋଇଛି। ସେଥିପାଇଁ କାମକୁ ସହଜ କରିବା ପାଇଁ ଏହି ନିୟମ ଅଣାଯାଇଛି। ଏଥି ସହିତ ସେ କହିଛନ୍ତି, ମହାମାରୀ ସମୟରେ ଲୋକଙ୍କ ବିକଳ୍ପ ପୂରଣ କରିବା ପାଇଁ ନୂତନ ଦ୍ୱାର ଖୋଲାଯାଇଛି କିନ୍ତୁ ଏଥିପ୍ରତି ମଧ୍ୟ ସତର୍କ ରହିବା ଆବଶ୍ୟକ।

Share