ଡାକ୍ତରଙ୍କ ବିରୋଧରେ ଥାନାରେ ଅଭିଯୋଗକଲେ ମାଲିକ

ଭବାନୀପାଟଣା,୨୦।୪(ସ୍ବ.ପ୍ର.): ଟମି ମୋ ପରିବାରର ଥିଲା ଜଣେ ସଦସ୍ୟ। ସେ କୁକୁର ହେଲେ ବି ମୋ ପୁଅ ଭଳି ଥିଲା। ହଠାତ୍‌ ତାର ଦେହ ଖରାପ ହେବାରୁ ମେଡ଼ିକାଲ ନେଲି ହେଲେ ଡାକ୍ତର ବାବୁଙ୍କ ଅବହେଳା ଯୋଗୁ ଆଜି ଟମି ମୋତେ ସବୁଦିନ ପାଇଁ ଛାଡି ଦେଇଗଲା। କୁକୁର ମରିଯିବା ପରେ କାନ୍ଦି କାନ୍ଦି କୋହ ଭରା କଣ୍ଠରେ ଏମିତି କହିଛନ୍ତି ମାଲିକ ସୀତାରାମ କର।
କଳାହାଣ୍ଡି ଜିଲା ଭବାନୀପାଟଣା ସହରର ସୀତାରାମ ଗତ ୫ ବର୍ଷ ହେଲା ତାଙ୍କ ଘରେ କୁକୁର ପୋଷିଥିଲେ। ଯାହାର ନାଁ ଦେଇଥିଲେ ଟମି। ନିଜ ପୁଅ ଝିଅଙ୍କୁ ଯେତିକି ସ୍ନେହ କରନ୍ତି ସେତିକି ସ୍ନେହ ଟମିକୁ ଦେଇ ଆସିଥିଲେ। ପଶୁ ହେଲେ ବି ଘରର ସମସ୍ତଙ୍କ ସହ ମିଶୁଥିଲା, ବଜାରକୁ ବୁଲିବାକୁ ଯାଉଥିଲା। ଏମିତି କି ନିଜ ମାଲିକ ଅଫିସରୁ ଫେରିବା ଦେଖିଲେ ଘର ଲୋକଙ୍କୁ ଡାକି ଆଣି ଗେଟ ଖୋଲିବାକୁ ଇସାରା କରୁଥିଲା। ମଙ୍ଗଳବାର ଟମି ଅସୁସ୍ଥ ହେବାରୁ ସୀତାରାମ ତାଙ୍କୁ ତୁରନ୍ତ ଜିଲା ପ୍ରାଣୀ ଚିକିତ୍ସାଳୟକୁ ନେଇ ଯାଇଥିଲେ। ସେଠାରେ ମେଡ଼ିକାଲ ବନ୍ଦ ଥିବା ଦେଖି ଡାକ୍ତର ବାବୁଙ୍କୁ ବାରମ୍ବାର ଫୋନ କରି ଚାଲିଲେ । କିନ୍ତୁ ପ୍ରାୟ ୪ ଘଣ୍ଟା ବିଳମ୍ବରେ ମେଡ଼ିକାଲରେ ପହଞ୍ଚି ଥିଲେ ଡାକ୍ତର। ସେତେବେଳକୁ ଟମିର ପ୍ରାଣବାୟୁ ଉଡି ସାରିଥିଲା। ତେଣୁ ଡାକ୍ତର ଆସିବା ପରେ କୋହକୁ ସମ୍ଭାଳି ନ ପାରି ମେଡ଼ିକାଲରେ କାନ୍ଦି ପକାଇଥିଲେ। ଶେଷରେ ଡାକ୍ତରଙ୍କ ଅବହେଳାରୁ ଟମିର ମୃତ୍ୟୁ ଘଟିଥିବା ନେଇ ଭବାନୀପାଟଣା ଟାଉନ ଥାନାରେ ସୀତାରାମ ଲିଖିତ ଅଭିଯୋଗ କରିଥିଲେ। ତାଙ୍କ କହିବା ଅନୁଯାୟୀ ସମ୍ପୃକ୍ତ ଡାକ୍ତର ନିଜ କର୍ତ୍ତବ୍ୟରେ ଅବହେଳା କରିବାରୁ ଟମିର ମୃତ୍ୟୁ ହୋଇଛି। ତେଣୁ ତୁରନ୍ତ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ତେବେ ଏହା କେବଳ ଗୋଟିଏ ଘଟଣା ନୁହେଁ ବରଂ ଅନେକ ସମୟରେ ପ୍ରାଣୀ ଚିକିତ୍ସାଳୟ ବନ୍ଦ ରହୁଥିବା ଓ ଠିକ ଭାବରେ ଗୃହପାଳିତ ପଶୁଙ୍କୁ ଚିକିତ୍ସା ଯୋଗାଇ ଦିଆଯାଉ ନ ଥିବା ଅଭିଯୋଗ ହେଉଛି। ଏନେଇ ଜିଲା ପ୍ରାଣୀ ଚିକିତ୍ସା ଅଧିକାରୀ ସତ୍ୟଧର ମହାନ୍ତିଙ୍କୁ ପଚାରିବାରେ ଡାକ୍ତର ବିଳମ୍ବରେ ଆସୁଥିବା କଥାକୁ ସ୍ବୀକାର କରିଥିଲେ।

Share