Categories: ଜାତୀୟ

ଦରମା ମାଗିବାରୁ ଯୁବତୀଙ୍କ ପଛରେ କୁକୁର ଛାଡ଼ିଲେ ମାଲିକ

ନୂଆଦିଲ୍ଲୀ, ୭।୭: କରୋନା ମହାମାରୀ ଯୋଗୁ ଦେଶରେ ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ ଲୋକଙ୍କ ପାଖରେ ସଞ୍ଚିତ ଥିବା ଟଙ୍କା ସରିବାରେ ଲାଗିଛି। ଦିଲ୍ଲୀରେ ଜଣେ ଯୁବତୀ ସେ କାମ କରୁଥିବା ମାଲିକଙ୍କୁ ଦରମା ମାଗିଥିଲେ। ମାଲିକ ଯୁବତୀଙ୍କୁ ପ୍ରଥମେ ଶାରୀରିକ ସମ୍ପର୍କ ରକ୍ଷା କରିବାକୁ କହିଥିଲେ। ଯୁବତୀ ଜଣକ ଏନେଇ ରାଜି ନ ହେବାରୁ ସେ ତାଙ୍କୁ ମାରଧର କରିଥିଲେ। ଏହାପରେ ଯୁବତୀଙ୍କ ପଛରେ କୁକୁର ଛାଡ଼ିଦେଇଥିବା ଅଭିଯୋଗ ହୋଇଛି। ଯୁବତୀ ଜଣକ ଅଭିଯୋଗ କରିବା ପରେ ଦିଲ୍ଲୀ ମହିଳା କମିଶନ ପକ୍ଷରୁ ଏହାର ତଦନ୍ତ ଆରମ୍ଭ କରାଯାଇଛି। ପୂର୍ବରୁ ଯୁବତୀ ଜଣକ ଏନେଇ ଥାନାରେ ଅଭିଯୋଗ କରିଥିଲେ। ତେବେ ମେଡିକାଲ ରିପୋର୍ଟ ନ ଥିବାରୁ ପୋଲିସ କୌଣସି ମାମଲା ଦାଏର କରି ନ ଥିଲେ। ମାଲବ୍ୟ ନଗର ଆମ୍‌ ଆଦ୍‌ମୀ ପାର୍ଟି ବିଧାୟକ ସୋମନାଥ ଚାଟାର୍ଜୀ ଏନେଇ ଟୁଇଟ୍‌ କରି ମହିଳା କମିଶନଙ୍କୁ ଏ ସମ୍ପର୍କରେ ରବିବାର ଜଣାଇଥିଲେ। ସେ କହିଥିଲେ ଯେ, ଘଟଣା ଦୁଇ ସପ୍ତାହ ତଳେ ଘଟଥିଲେ ମଧ୍ୟ ଏନେଇ କୌଣସି ମାମଲା ଦାଏର ହୋଇନାହିଁ। ଖବର ମିଳିବା ପରେ ମହିଳା କମିଶନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। ପରେ ମାଲବ୍ୟ ନଗର ଥାନାରେ ଏନେଇ ମାମଲା ରୁଜୁ କରାଯାଇଥିଲା।

Share