ନିୟମ ମାନୁନାହାନ୍ତି ବାର୍‌ ମାଲିକ

ଭୁବନେଶ୍ୱର,୬।୬(ବ୍ୟୁରୋ):: ରାଜଧାନୀର ବାର ଖୋଲିବା ପାଇଁ ସର୍ତ୍ତମୂଳକ ଅନୁମତି ରହିଥିଲେ ମଧ୍ୟ କେତେକ ବାର ମାଲିକ ନିୟମ ମାନୁ ନ ଥିବା ଦେଖିବାକୁ ମିଳିଛି। ବାରଗୁଡ଼ିକରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଡାନ୍ସ ଚାଲୁଥିବା ଖବର ପାଇ ଶନିବାର କମିଶନରେଟ ପୋଲିସ୍‌ର ଟିମ୍‌ ୧୯ଟି ବାରରେ ଅଚାନକ ଚଢ଼ାଉ କରିଥିଲା। ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ୧୨ଟି ଓ ଇନ୍‌ଫୋସିଟି ଥାନା ଅଞ୍ଚଳରେ ୭ଟି ବାର୍‌ରେ ଚଢ଼ାଉବେଳେ ଅଧିକାଂଶ ନିୟମ ଉଲ୍ଲଂଘନ କରାଯାଇଥିବା ଦେଖିବାକୁ ମିଳିଥିଲା। ସମ୍ପୃକ୍ତ ବାର୍‌ ମାଲିକ ଓ କର୍ମଚାରୀଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ଭୁବନେଶ୍ବର ଡିସିପି। ଏଥିସହ ଇନ୍‌ଫୋସିଟି ଥାନା ଅଞ୍ଚଳରେ ରହିଥିବା ରିବନ୍‌ ଓ ନାଇଟ କ୍ଲବ୍‌ ବାର ନିୟମ ଉଲ୍ଲଂଘନ କରି ରାତି ପ୍ରାୟ ୧୨ଟା ୧୫ ମିନିଟ ପର୍ଯ୍ୟନ୍ତ ଚାଲୁଥିବାରୁ ଖୋର୍ଦ୍ଧା ଜିଲା ଅବକାରୀ ଅଧୀକ୍ଷକଙ୍କୁ ରିପୋର୍ଟ ଦେଇଛି ପୋଲିସ। ଏଥିସହ ନିୟମ ଉଲ୍ଲଂଘନ ନେଇ ଏହି ଦୁଇଟି ବାର ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲାପାଳକୁ ପୋଲିସ ଅପିଲ କରିଛି।

Share