ଗୋରୁ ମାଲିକଙ୍କୁ ତୀରମାରି ହତ୍ୟା

କେନ୍ଦୁଝର,୮।୧୦(ସ୍ବ.ପ୍ର.): ଚାଷଜମିରେ ଗୋରୁ ପଶି ଫସଲ ଖାଇବାକୁ କେନ୍ଦ୍ରକରି ଜଣେ ଯୁବକଙ୍କୁ ତୀର ମାରି ହତ୍ୟା କରାଯାଇଛି। କେନ୍ଦୁଝର ଜିଲା ନୟାକୋଟ ଥାନା ବାଂଶପାଳ ବ୍ଲକ ଅଧୀନ କୋଡକଳା ଗ୍ରାମରେ ଗୁରୁବାର ସନ୍ଧ୍ୟାରେ ଏଭଳି ଘଟଣା ଘଟିଛି। ମୃତକ ହେଲେ ଉକ୍ତ ଗ୍ରାମର ନୀଳ ଗିରି। ଏହି ଘଟଣାରେ ପୋଲିସ ଶୁକ୍ରବାର ସମ୍ପୃକ୍ତ ଅଭିଯୁକ୍ତ ଚଷା ଦେହୁରୀଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।
ଘଟଣାରୁ ପ୍ରକାଶ ଯେ, ଗୁରୁବାର ଅପରାହ୍ନରେ ନୀଳ ଓ ଅନ୍ୟ ଗ୍ରାମବାସୀ ପାଖ ଜଙ୍ଗଲରେ ଗୋରୁ ଚରାଉଥିଲେ। କେତେକ ଗୋରୁ ଚଷାଙ୍କ ଚାଷଜମିରେ ପଶି ବିରି ଖାଇଦେଇଥିଲେ। ଏହାକୁ ନେଇ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଚଷା ଏକ ଟାଙ୍ଗିଆ ଧରି ନୀଳ ଓ ଅନ୍ୟମାନଙ୍କୁ ଆକ୍ରମଣ କରିବାକୁ ଗୋଡ଼ାଇଥିଲେ। ଅନ୍ୟ ଦୁଇଜଣ ଭୟରେ ଜଙ୍ଗଲକୁ ଦୌଡ଼ି ପଳାଇ ଯାଇଥିବା ବେଳେ ନୀଳ ଓ ଚଷା ମୁହଁାମୁହିଁ ହୋଇଯାଇଥିଲେ। ଏହି ସମୟରେ ଚଷା ତୀରରେ ନୀଳଙ୍କୁ ଆକ୍ରମଣ କରିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଗ୍ରାମବାସୀ ଏ ସମ୍ପର୍କରେ ନୟାକୋଟ ଥାନାକୁ ଜଣାଇବା ପରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏନେଇ ଥାନାରେ ହତ୍ୟା ମାମଲା (ନଂ.୫୦/୨୧) ରୁଜୁ କରାଯାଇଛି। ଅଭିଯୁକ୍ତଙ୍କୁ ଅଟକ ରଖି ଅଧିକ ତଦନ୍ତ ଚାଲିଥିବା ଏସ୍‌ଡିପିଓ ପି.ଜେ. ଟପୋ କହିଛନ୍ତି।