Categories: ରାଜ୍ୟ

ଘର ମାଲିକଙ୍କୁ ଠକି ବନ୍ଧା ହେଲେ

ଭୁବନେଶ୍ୱର,୨୫ା୮(ସୂର୍ଯ୍ୟକାନ୍ତ ବେହେରା): ମାଛ ବ୍ୟବସାୟୀର ପରିଚୟ ଦେଇ ଘର ଭଡ଼ା ନେଉଥିଲେ। ଘର ମାଲିକଙ୍କ ମନରେ ବିଶ୍ୱାସ ଜନ୍ମାଇ ପ୍ରଥମେ ଧାର ଟଙ୍କା ନେଇ ଠିକ୍‌ ସମୟରେ ଶୁଝୁଥିଲେ। ପରେ ମାଲିକଙ୍କ ନିକଟତର ହୋଇ ଅଧିକ ଟଙ୍କା ଧାର ନେଇ ଆଉ ଫେରାଉ ନ ଥିଲେ। ଏହିଭଳି ଏକାଧିକ ଥର ମାଲିକାଣୀ ଓ ମାଲିକଙ୍କୁ ଜାଲରେ ପକାଇ ଠକୁଥିବା ଜଣେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଅଭିଯୁକ୍ତ ହେଲେ ଜଙ୍କିଆ ଥାନା ଅଞ୍ଚଳର ତପନ କୁମାର ଦଳେଇ ଓରଫ ଟୁଲୁ। ଖଣ୍ଡଗିରି ଥାନା ଅଞ୍ଚଳରେ ହରପ୍ରିୟା ପାତ୍ର ନାମୀ ଜଣେ ମହିଳାଙ୍କୁ ୧୦ଲକ୍ଷ ଟଙ୍କା ଠକିବା ଅଭିଯୋଗରେ ପୋଲିସ ତପନଙ୍କୁ ଗିରଫ କରିଛି। ପୂର୍ବରୁ ତପନ ଶିରିପୁର ଅଞ୍ଚଳରେ ଭଡ଼ାରେ ରହି ଜଣେ ବ୍ୟକ୍ତିଙ୍କ ଠାରୁ ୮ ଲକ୍ଷ ଟଙ୍କା ଠକିଥିବା ମଧ୍ୟ ଅଭିଯୋଗ ଆସିଛି।
ସୂଚନା ଅନୁସାରେ ଗତ ଜୁଲାଇ ମାସରେ ତପନ ନିଜକୁ ଜଣେ ବଡ଼ ମାଛ ବ୍ୟବସାୟୀ ପରିଚୟ ଦେଇ ସୁଆଙ୍ଗ ଗ୍ରାମରେ ହରପ୍ରିୟାଙ୍କ ଘର ଭଡ଼ା ସୂତ୍ରରେ ନେଇଥିଲେ। ତପନ ତାଙ୍କ ସ୍ତ୍ରୀଙ୍କୁ ମଧ୍ୟ ସାଥିରେ ରଖୁଥିଲେ। ଜୁଲାଇ ୨୫ରେ ତପନ ମାଛ ବ୍ୟବସାୟ ପାଇଁ ୫ଲକ୍ଷ ଆବଶ୍ୟକ ଅଛି ବୋଲି କହି ଘର ମାଲିକାଣୀ ହରପ୍ରିୟାଙ୍କୁ ଧାର ମାଗିଥିଲେ। ହରପ୍ରିୟା ବିନା କାଗଜପତ୍ରରେ ୫ଲକ୍ଷ ଟଙ୍କା ଧାର ଦେଇଥିଲେ। ଦୁଇ ଦିନ ଭିତରେ ତପନ ୫ ଲକ୍ଷ ଟଙ୍କା ସହ ଅଧିକ ୨୦ହଜାର ଟଙ୍କା ମିଶାଇ ହରପ୍ରିୟାଙ୍କୁ ଶୁଝି ଦେଇଥିଲେ। ଟଙ୍କା ଶୁଝିବାର ଦୁଇ ଦିନ ପରେ ପୁଣି ୧୦ଲକ୍ଷ ଟଙ୍କା ଧାର ମାଗିଥିଲେ। ଏପରି କି ଅଧିକ ୪୦ ହଜାର ଟଙ୍କା ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏଥିରେ ବିଶ୍ୱାସ କରି ହରପ୍ରିୟା ୫ ଲକ୍ଷ ଟଙ୍କା ଫିକ୍ସ ବଣ୍ଡ ଭାଙ୍ଗିବା ସହ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଠାରୁ ଆଉ ୫ଲକ୍ଷ ଆଣି ଏପରି ୧୦ ଲକ୍ଷ ଟଙ୍କା ତପନଙ୍କୁ ଦେଇଥିଲେ। ଟଙ୍କା ପାଇବା ପରେ ତପନ ରାତାରାତି ହରପ୍ରିୟାଙ୍କ ଘର ଛାଡ଼ି ଚାଲି ଯାଇଥିଲେ। ଟଙ୍କା ଶୁଝିବା ସମୟ ଗଡି ଯାଇଥିଲେ ମଧ୍ୟ ତପନ ଭଡ଼ା ଘରକୁ ଫେରି ନ ଥିଲେ। ହରପ୍ରିୟା ତାଙ୍କୁ ଫୋନ୍‌ କରିବାରୁ ସେ ଘରକୁ ଫେରିଲେ ଟଙ୍କା ଦେବେ ବୋଲି କହିଥିଲେ। ଠକେଇର ଶିକାର ହେବା ଜାଣି ହରପ୍ରିୟା ଖଣ୍ଡଗିରି ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ।

Share